ଭୁବନେଶ୍ୱର: ଗୋଟିଏ କ୍ୟାମ୍ପସରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ। କଥାଟା ଅଡ଼ୁଆ ଲାଗୁଥିଲେ ମଧ୍ୟ ଓଡ଼ିଶାର ପ୍ରାୟ ୨୦୦ ଯୁକ୍ତ୩(ଡିଗ୍ରି) ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨) ଗୋଟିଏ କ୍ୟାମ୍ପସରେ ରହିଛି। ଯେଉଁଠି ବିଦ୍ୟାଳୟର ପାଠପଢ଼ା ହେଉଛି ସେଠାରେ ମହାବିଦ୍ୟାଳୟ ଚାଲିଛି। କେତେକ କ୍ୟାମ୍ପସରେ ଉଭୟ ଛାତ୍ରଛାତ୍ରୀ ଗୋଟିଏ ଲାବରେଟୋରି, ଲାଇବ୍ରେରିକୁ ବ୍ୟବହାର କରୁଛନ୍ତି। ଭୁବନେଶ୍ବରସ୍ଥିତ ରମାଦେବୀ ମହିଳା ମହାବିଦ୍ୟାଳୟ କ୍ୟାମ୍ପସରେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଚାଲିଛି। ତା’ପୁଣି ପାଳି କରି ପାଠପଢ଼ା ହେଉଛି। ଅର୍ଥାତ୍‌ ସକାଳ ୭ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ବିଦ୍ୟାଳୟ ପିଲା ପଢ଼ୁଛନ୍ତି। ପରେ ସେଠାରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରୀ ପଢ଼ୁଛନ୍ତି। ଗୋଟିଏ ପଟେ ଅଧ୍ୟାପକମାନେ ୭ ଘଣ୍ଟା ଧରି କ୍ୟାମ୍ପସରେ ଶିକ୍ଷାପ୍ରଦାନ କରିବାକୁ ନିୟମ ରହିଥିବା ବେଳେ ଏଠାରେ ୪ ଘଣ୍ଟାରେ ପାଠପଢ଼ା ଶେଷ। ଏହା ଏକ ଉଦାହରଣ ମାତ୍ର। ବର୍ଷ ବର୍ଷ ଧରି ଏଭଳି ଭାବେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ପ୍ରଚଳିତ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରି ନାହିଁ। ଏକାଠି ଥିବା ଯୁକ୍ତ୩ ଓ ଯୁକ୍ତ୨କୁ ଅଲଗା କରିବାକୁ ୨୦୧୫ରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କ୍ୟାମ୍ପସ ଅଲଗା କରିବାକୁ ରୂପରେଖ ପ୍ରସ୍ତୁତ ହୋଇଥିଲା। କେତେକ କ୍ୟାମ୍ପସରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଇଁ ଅଲଗା ଅଲଗା ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି। ତା’ପରେ ମଧ୍ୟ କ୍ୟାମ୍ପସ ଅଲଗା ହେଉ ନଥିବାରୁ ସମସ୍ୟା ବଢ଼ିବାରେ ଲାଗିଛି।

Advertisment

କଟକସ୍ଥିତ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ପରି ରାଜ୍ୟର କେତେକ କ୍ୟାମ୍ପସରେ ଜଣେ ବ୍ୟକ୍ତି ଉଭୟ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ବରେ ରହିଥିବାର ନଜରି ରହିଛି। ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ୨୦୧୬ରେ ଗଣଶିକ୍ଷା ବିଭାଗ ଅଧୀନକୁ ଆସିଥିଲା। ତେଣୁ ଯେଉଁମାନେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ନିଯୁକ୍ତି ପାଇ ବିଦ୍ୟାଳୟରେ ପଢ଼ାଉଥିଲେ ସେମାନେ ନିଜର ମୂଳ ପଦବିକୁ ଫେରିବା କଥା। ହେଲେ ଅଧିକାଂଶ ଫେରିଯାଇଛନ୍ତି, ମାତ୍ର କିଛି ମହାବିଦ୍ୟାଳୟରେ କାର୍ଯ୍ୟକାରୀ ହୋଇନି। ଆହୁରି ଆଶ୍ଚର୍ଯ୍ୟ କରିବା ଭଳି କଥା ହେଉଛି ଯେ କ୍ୟାମ୍ପସ ଅଲଗା କରିବାକୁ ଗତ ୯ ବର୍ଷ ମଧ୍ୟରେ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗ ମଧ୍ୟରେ ୧୯ ଥର ବୈଠକ ସରିଲାଣି। ସମାଧାନର ବାଟ ବାହାରିନି। ଇତିମଧ୍ୟରେ ସରକାର ବଦଳିଛି। ହେଲେ ଏଭଳି ସମସ୍ୟା ସମ୍ପର୍କରେ ନୂଆ ମନ୍ତ୍ରୀଙ୍କୁ ବିଭାଗୀୟ ଅଧିକାରୀ ଅବଗତ କରିଛନ୍ତି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

ଅନ୍ୟପକ୍ଷରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ୪୮ଟି ମହାବିଦ୍ୟାଳୟ ମଧ୍ୟରୁ ୨୦ଟି ମହିଳା ମହାବିଦ୍ୟାଳୟରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଲଗା ହୋଇ ନାହିଁ। ଏହାଦ୍ବାରା ଶିକ୍ଷାନୁଷ୍ଠାନ ପରିଚାଳନା ସହ ପାଠପଢ଼ା ପ୍ରଭାବିତ ହେଉଛି। ଏଣୁ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରି ଉଚ୍ଚଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ପ୍ରାଶାସନିକ ନିୟନ୍ତ୍ରଣରେ ଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୋଟିଏ ଜାଗାରେ ରହିବା ଦ୍ବାରା ପରିଚାଳନାରେ ଅସୁବିଧା ହେଉଛି। ନାକ୍‌ ମାନ୍ୟତା ପାଇବା ସମୟରେ ମହାବିଦ୍ୟାଳୟଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଥିବା ସେ ଅବଗତ କରାଇଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ୫୦ରୁ ଅଧିକ ମହାବିଦ୍ୟାଳୟ କ୍ୟାମ୍ପସରେ ବିଦ୍ୟାଳୟରେ ଶିକ୍ଷା ପ୍ରଦାନ କରାଯାଉଛି।