ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ଓ ମହାରାଷ୍ଟ୍ର ଦେବାଗଡ଼ ପୁଲିସର ହସ୍ତକ୍ଷେପ ପରେ ମଝି ସମୁଦ୍ରରେ ବନ୍ଧା ପଡ଼ିଥିବା ୯ ଯୁବକ ଆଜି ଟ୍ରେଲରୁ ମୁକୁଳୁଛନ୍ତି। ପରିବାରଲୋକଙ୍କ ଅଭିଯୋଗ ଆଧାରରେ ବନ୍ଧମୁଣ୍ଡା ପୁଲିସ ମହାରାଷ୍ଟ୍ର ସିନ୍ଧୁଦୁର୍ଗ ଜିଲ୍ଲା ଅନ୍ତର୍ଗତ ଦେବାଗଡ଼ ଥାନା ସହ ଯୋଗାଯୋଗ କରିଥିଲେ। ଦେବାଗଡ଼ ପୁଲିସ ଟିମ୍ ମାଲିକଙ୍କ ସହାୟତାରେ ସମୁଦ୍ରରେ ବନ୍ଧକ ଥିବା ୯ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ପରେ ସମସ୍ତଙ୍କୁ ରାଉରକେଲାକୁ ପଠାଇବାରେ ବ୍ୟବସ୍ଥା କରିଥିଲେ। ଆସନ୍ତା ଶନିବାର ୯ ଯୁବକ ରାଉରକେଲା ଷ୍ଟେସନରେ ପହଞ୍ଚିବା ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ବନ୍ଧମୁଣ୍ଡା ପୁଲିସ କହିଛି।
ଉଦ୍ଧାର ଯୁବକମାନଙ୍କ ମଧ୍ୟରେ ବନ୍ଧମୁଣ୍ଡା ତିଲକାନଗରର ସ୍ନେହାଂଶୁ ପଲ, ଡିକୁ ସୋରେନ୍, ଗୟା ସିଂହ, ରାକେଶ ପ୍ରସାଦ, ବିକାଶ ବରୁଆ, ଆଲୋକ ବରୁଆ, ଅଭିନାଶ ନାଗ, ଗୁଡୁ ନାଗ ଓ ଆକାଶ ସନ୍ୟାସୀ। ଗତ ସପ୍ତାହ ତଳେ ସୁନ୍ଦରଗଡ଼ ସହରର ଜଣେ ଦଲାଲ ବନ୍ଧମୁଣ୍ଡାରେ ରହୁଥିବା ଅନ୍ୟ ଜଣେ ଦଲାଲକୁ କିଛି ଶ୍ରମିକ ଯୋଗାଡ଼ କରିବାକୁ କହିଥିଲେ। ଦଲାଲ ଜଣକ ମାସିକ ୧୫ ହଜାର ଟଙ୍କା, ଖାଇବା ଓ ରହିବା ମାଗଣା ଲୋଭ ଦେଖାଇ ବନ୍ଧମୁଣ୍ଡା ତିଲକାନଗର ୯ ଯୁବକ ଯୋଗାଡ କରିଥିଲେ। ସମସ୍ତଙ୍କୁ ଗୋଆରେ ଭଲ କାମ କରିବାକୁ କହି ବସ୍ରେ ସୁନ୍ଦରଗଡ଼ ସହରକୁ ନେଇଯାଇଥିଲେ। ପୂର୍ବରୁ ସେଠାରେ ଅପେକ୍ଷା କରିଥିବା ମୁଖ୍ୟ ଦଲାଲ ୯ ଯୁବକଙ୍କୁ ବୋଲୋରୋ ବସାଇ ସଡ଼କ ପଥରେ ମହାରାଷ୍ଟ୍ରର ଦେବାଗଡ଼ରେ ପହଞ୍ଚିଥିଲେ। ପୂର୍ବ ଯୋଜନା ମୁତାବକ ଦେବାଗଡ଼ରେ ଜଣେ ଟ୍ରେଲର ମାଲିକଙ୍କ ପାଖରେ କାମ ଦେଇଥିଲେ। ମାଲିକଙ୍କଠୁ ମୋଟା ଅଙ୍କର ଅର୍ଥ ଧରି ସୁନ୍ଦରଗଡ଼ ଫେରି ଆସିଥିଲେ। ଦଲାଲ ଜଣକ ସୁନ୍ଦରଗଡ଼ ଫେରି ଆସିବା ପରେ ଟ୍ରେଲର ମାଲିକ ୯ ଯୁବକଙ୍କୁ ସମୁଦ୍ରରେ ମାଛ ଧରା କାମରେ ନିୟୋଜିତ କରିଥିଲେ। ସେମାନଙ୍କୁ ଦିଆଯାଉଥିବା ଅତ୍ୟାଚାର ସମ୍ପର୍କିତ ଭିଡିଓ କରି ଯୁବକମାନେ ତାଙ୍କ ପରିବାରକୁ ପଠାଇଥିଲେ।