ରାଉରକେଲା: ବନ୍ଧମୁଣ୍ଡା ଓ ମହାରାଷ୍ଟ୍ର ଦେବାଗଡ଼ ପୁଲିସର ହସ୍ତକ୍ଷେପ ପରେ ସମୁଦ୍ରରେ ବନ୍ଧକ ଥିବା ୯ ଶ୍ରମିକ ଆଜି ରାଉରକେଲାରେ ପହଞ୍ଚିଥିଲେ। ବନ୍ଧମୁଣ୍ଡା ପୁଲିସ ଉଦ୍ଧାର ଶ୍ରମିକମାନଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ। ସମୁଦ୍ର ମଝିରେ ସେମାନଙ୍କୁ ଦିଆଯାଉଥିବା ଅତ୍ୟାଚାର ସମ୍ପର୍କରେ କହିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ତ୍ବରିତ ପଦକ୍ଷେପ ନେଇଥିବାରୁ ସେମାନେ ସୁରକ୍ଷିସତ ଭାବେ ଉଦ୍ଧାର ହୋଇପାରିଛନ୍ତି ବୋଲି କହିଛନ୍ତି। ଉଦ୍ଧାର ଯୁବକମାନେ ହେଲେ ବନ୍ଧମୁଣ୍ଡା ତିଲକାନଗରର ସ୍ନେହାଂଶୁ ପଲ, ଡିକୁ ସୋରେନ୍‌, ଗୟା ସିଂହ, ରାକେଶ ପ୍ରସାଦ, ବିକାଶ ବରୁଆ, ଆଲୋକ ବରୁଆ, ଅଭିନାଶ ନାଗ, ଗୁଡୁ ନାଗ ଓ ଆକାଶ ସନ୍ୟାସୀ ସୁନ୍ଦରଗଡ଼ ସହରର ଜଣେ ଦଲାଲ ବନ୍ଧମୁଣ୍ଡାରେ ରହୁଥିବା ଅନ୍ୟ ଜଣେ ଦଲାଲକୁ କିଛି ଶ୍ରମିକ ଯୋଗାଡ଼ କରିବାକୁ କହିଥିଲେ।

Advertisment

ଦଲାଲ ଜଣକ ମାସିକ ୧୫ ହଜାର ଟଙ୍କା, ଖାଇବା ଓ ରହିବା ମାଗଣା ଲୋଭ ଦେଖାଇ ବନ୍ଧମୁଣ୍ଡା ତିଲକାନଗର ୯ ଯୁବକ ଯୋଗାଡ କରିଥିଲେ। ସମସ୍ତଙ୍କୁ ଗୋଆରେ ଭଲ କାମ କରିବାକୁ କହି ବସ୍‌ରେ ସୁନ୍ଦରଗଡ଼ ସହରକୁ ନେଇଯାଇଥିଲେ। ପୂର୍ବରୁ ସେଠାରେ ଅପେକ୍ଷା କରିଥିବା ମୁଖ୍ୟ ଦଲାଲ ୯ ଯୁବକଙ୍କୁ ବୋଲୋରୋ ବସାଇ ସଡ଼କ ପଥରେ ମହାରାଷ୍ଟ୍ରର ଦେବାଗଡ଼ରେ ପହଞ୍ଚିଥିଲେ। ପୂର୍ବ ଯୋଜନା ମୁତାବକ ଦେବାଗଡ଼ରେ ଜଣେ ଟ୍ରେଲର ମାଲିକଙ୍କ ପାଖରେ କାମ ଦେଇଥିଲେ। ମାଲିକଙ୍କଠୁ ମୋଟା ଅଙ୍କର ଅର୍ଥ ଧରି ସୁନ୍ଦରଗଡ଼ ଫେରି ଆସିଥିଲେ। ଦଲାଲ ଜଣକ ସୁନ୍ଦରଗଡ଼ ଫେରି ଆସିବା ପରେ ଟ୍ରେଲର ମାଲିକ ୯ ଯୁବକଙ୍କୁ ସମୁଦ୍ରରେ ମାଛ ଧରା କାମରେ ନିୟୋଜିତ କରିଥିଲେ। ସେମାନଙ୍କୁ ଦିଆଯାଉଥିବା ଅତ୍ୟାଚାର ସମ୍ପର୍କିତ ଭିଡିଓ କରି ଯୁବକମାନେ ତାଙ୍କ ପରିବାରକୁ ପଠାଇବା ପରେ ଘଟଣା ସାମ୍ନାକୁ ଆସିଥିଲା।