ଭୁବନେଶ୍ବର: ନକଲି ଟ୍ରେଡିଂ ଆପ୍‌ରେ ଫସାଇ ଖଣ୍ଡଗିରି ଅଞ୍ଚଳର ଜଣେ ଡାକ୍ତରଙ୍କଠାରୁ ୯୦ ଲକ୍ଷ ଟଙ୍କା ଉଡ଼ାଇନେଇଥିବା ୨ ସାଇବର ଠକ ଧରାପଡ଼ିଛନ୍ତି। ଭୁବନେଶ୍ବର ସାଇବର ଥାନା ପୁଲିସ ୨ ଠକଙ୍କୁ ରାଜସ୍ଥାନରୁ ଉଠାଇଆଣିଛି। ସେମାନେ ହେଲେ ରାଜସ୍ଥାନ ଥର୍‌ ମରୁଭୂମି ସଂଲଗ୍ନ ଚୁରୁ ଜିଲ୍ଲା ରତନନଗରର ନବୀନ କୁମାର ଜାହାଙ୍ଗୀର୍‌ ଓ ମୁକେଶ କୁମାର ସିଲା। ନବୀନର ୟୁକୋ ବ୍ୟାଙ୍କ୍‌ ଆକାଉଣ୍ଟକୁ ସିଜ୍‌ କରାଯାଇଛି ଏବଂ ସେଥିରେ ପାଖାପାଖି ୬ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଅଧିକ ତତନ୍ତ ପାଇଁ ସେମାନଙ୍କୁ ପୁଲିସ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି। ଜାହାଙ୍ଗୀର୍‌ ଗ୍ରାଜୁଏଟ୍‌ ଓ ମୁକେଶ ଯୁକ୍ତ୨ ପଢ଼ିଥିବା ଜଣାପଡ଼ିଛି। ସେମାନେ ୟୁକୋ ବ୍ୟାଙ୍କ୍‌ରେ ମ୍ୟୁଲ୍‌ ଆକାଉଣ୍ଟ କରି ଏଭଳି ଠକାମି କରୁଥିବା ତଦନ୍ତରୁ ଜଣାପଡ଼ିଛି। ମ୍ୟୁଲ୍‌ ଆକାଉଣ୍ଟକୁ ଟଙ୍କା ଯିବା ମାତ୍ରେ ସେମାନେ ନିଜ ଆକାଉଣ୍ଟକୁ ଟ୍ରାନ୍‌ସଫର୍‌ କରି ନେଉଥିଲେ। 

Advertisment

ଖଣ୍ଡଗିରି ଆଇଗିଣିଆସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣେ ଡାକ୍ତର ଏହି ଠକଦ୍ବୟଙ୍କ ଟ୍ରେଡିଂ ଆପ୍‌ ମାୟାଜାଲରେ ଫସିଥିଲେ। ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍‌ ହାଇ ନେଟ୍‌ୱର୍ଥ ଇନ୍‌ଭେଷ୍ଟମେଣ୍ଟ୍‌ ପ୍ରୋଗ୍ରାମ୍‌ ନାମକ ଏକ ଜାଲି ଟ୍ରେଡିଂ ଆପ୍‌ କରି ଠକଦ୍ବୟ ଡାକ୍ତରଙ୍କୁ ଫସାଇଥିଲେ। ଡାକ୍ତର ଟ୍ରେଡିଂ ଆପ୍‌ରେ ବିନିଯୋଗ କରି ଅଧିକ ଲାଭ ପାଇବା ଲୋଭରେ ପଡ଼ି ଏହି ଆପ୍‌ର ଶିକାର ହୋଇଥିଲେ। ଡାକ୍ତରଙ୍କ ହ୍ବାଟସ୍‌ଆପ୍‌କୁ ଆସିଥିବା ଲିଙ୍କ୍‌କୁ ଖୋଲିବା ପରେ ତାଙ୍କୁ ଏକ ଗ୍ରୁପ୍‌ରେ ଯୋଡ଼ିଦିଆଯାଇଥିଲା। ଉକ୍ତ ଗ୍ରୁପ୍‌ର ସଦସ୍ୟମାନେ ସେହି ଆପ୍‌ରେ ବିନିଯୋଗ କରି ଭଲ ରିଟର୍ଣ୍ଣ ପାଉଥିବା କହୁଥିଲେ। ତେଣୁ ଡାକ୍ତରଜଣକ ପ୍ରଲୋଭିତ ହୋଇ ସେଥିରେ ବିନିଯୋଗ କରିବାକୁ ଲାଗିଲେ। ପ୍ରଥମେ ପ୍ରଥମେ ଅଳ୍ପ ବିନିଯୋଗ କରି ଡାକ୍ତର ଭଲ ରିଟର୍ଣ୍ଣ ପାଇଥିଲେ। ଫଳରେ ତାଙ୍କର ଲୋଭ ବଢ଼ିଥିଲା। ଏହାପରେ ତାଙ୍କୁ ଏକ ବଡ଼ ଲୋଭ ଦେଖାଇଦିଆଯାଇଥିଲା।

ଏକ ସ୍କିମ୍‌ରେ ୫୦ ଲକ୍ଷ ଟଙ୍କା ବିନିଯୋଗ କଲେ, ତାଙ୍କୁ ୧୦ କୋଟି ୪୦ ଲକ୍ଷ ଟଙ୍କା ମିଳିବ ବୋଲି କୁହାଯାଇଥିଲା। ଲୋଭର ବଶବର୍ତ୍ତୀ ହୋଇ ଡାକ୍ତର ସେହି ସ୍କିମ୍‌ରେ ୫୦ ଲକ୍ଷ ଟଙ୍କା ବିନିଯୋଗ କରିଦେଲେ। ଆର୍‌ଟିଜିଏସ୍‌, ଏନ୍ଇଏଫ୍‌ଟି ଓ ଆଇଏମ୍‌ପିଏସ୍‌ ଜରିଆରେ ସେ ୫୦ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ଏହାପରେ ହଠାତ୍‌ ତାଙ୍କ ଆପ୍‌ ଆକାଉଣ୍ଟ ବ୍ଲକ୍‌ ହୋଇଯାଇଥିଲା। ୧୦ କୋଟି ୪୦ ଲକ୍ଷ ଟଙ୍କା ପାଇବାକୁ ହେଲେ, ତାଙ୍କୁ ଟିକସ ବାବଦରେ ଅଧିକ ୩୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଗଲା। ତେଣୁ ଡାକ୍ତର ୩୦ ଲକ୍ଷ ଜମା କଲେ। ଏହାପରେ ତାଙ୍କୁ ପୁଣି ୧୦ ଲକ୍ଷ ଟଙ୍କା ପଇଠ କରିବାକୁ କୁହାଗଲା। ଏଥର ବ୍ୟବସାୟୀଙ୍କ ମନ‌ରେ ସନ୍ଦେହ ସୃଷ୍ଟି ହୋଇଥିଲେ ବି ୧୦ କୋଟି ଲୋଭରେ ସେ ଆଉ ୧୦ ଲକ୍ଷ ଜମା କରିଥିଲେ। ଏହାପରେ ତାଙ୍କୁ ଗ୍ରୁପ୍‌ରୁ ବାହାର କରିଦିଆଗଲା। ଏଥର ସେ ଠକାମିର ଶିକାର ହୋଇଥିବା ନିଶ୍ଚିତ ହୋଇଥିଲେ। ଅଭିଯୋଗ ପାଇବା ପରେ ଭୁବନେଶ୍ବର ସାଇବର ପୁଲିସ ବ୍ୟବସାୟୀଙ୍କ ଟଙ୍କା ଯାଇଥିବା ବିଭିନ୍ନ ଆକାଉଣ୍ଟକୁ ପିଛା କରିକରି ରାଜସ୍ଥାନରେ ପହଞ୍ଚିଥିଲା।