ହୋମ୍ ଆଇସୋଲେସନ୍‌ରେ ରହି ୯୦ ପ୍ରତିଶତ ଲୋକ ଭଲ ହୋଇପାରିବେ: ବିଶେଷଜ୍ଞ ଡାକ୍ତର

ଭୁବନେଶ୍ୱର: କରୋନା ପୀଡିତ ୯୦ ପ୍ରତିଶତ ଲୋକ ହୋମ୍ ଆଇସୋଲେସନରେ ରହି ଭଲ ହୋଇପାରିବେ । ତେଣୁ କରୋନା ପଜିଟିଭ ହେଲେ ଭୟଭୀତ ହେବା ଉଚିତ ନୁହେଁ । କିନ୍ତୁ ଖାମଖିଆଲ ବି ହୁଅନ୍ତୁ ନାହିଁ । ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ଏହି ମତ ଦେଇଛନ୍ତି ।
କରୋନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ବିଶେଷଜ୍ଞ ଡାକ୍ତରମାନେ କହିଛନ୍ତି ଯେ, ଡାକ୍ତରଙ୍କ ସହ ପରାମର୍ଶ କରି ଘରେ ରହି କୋଭିଡ ରୋଗୀ ସୁସ୍ଥ ହୋଇପାରିବେ । ଔଷଧ ଖାଇଲା ପରେ ବି ଜ୍ୱର ଲାଗି ରହିପାରେ । ଶ୍ୱାସକ୍ରିୟାରେ ଯନ୍ତ୍ରଣା ଅନୁଭବ କଲେ ଶରୀରରେ ଅକ୍ସିଜେନ ମାତ୍ରା ହ୍ରାସ ପାଉଥିଲେ ଡାକ୍ତରଙ୍କୁ ଜଣାଇବା ଦରକାର । ଡାକ୍ତରଙ୍କ ପରାମର୍ଶ କ୍ରମେ ରୋଗୀ ହସ୍ପିଟାଲ ଯିବା ଦରକାର । କିନ୍ତୁ ମନେ ରଖିବାକୁ ହେବ ଯେ, ତରତର ହୋଇ ଡାକ୍ତରଖାନା ଯିବା ଅନୁଚିତ ।

english.dailynews24.in

ଶରୀରରେ ଅକ୍ସିଜେନ ମାତ୍ରା କମିଗଲେ କିଛି ସମୟ ପର୍ଯ୍ୟନ୍ତ ମୁହଁମାଡ଼ି ହୋଇ ଶୋଇପଡ଼ିଲେ ଭଲ । ପ୍ରଥମେ ବାମକଡ଼ ମାଡ଼ି ଏବଂ ଏହା ପରେ ଡାହାଣ କଡ଼ ମାଡ଼ି ଶୋଇଲେ ଭଲ । ଏହା ପରେ କିଛି ସମୟ ଆଉଜି ହୋଇ ବସନ୍ତୁ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ଏପରି କଲେ ଅକ୍ସିଜେନ ମାତ୍ରା ସ୍ୱାଭାବିକ ସ୍ତରକୁ ଆସିଯିବ ।
କୋଭିଡ କାଳରେ ଗର୍ଭଧାରଣ ନେଇ କିଛି ନିର୍ଦ୍ଦେଶାବଳୀ ନାହିଁ ବୋଲି ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି । ଯଦି ଗର୍ଭ ରହିଯାଏ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । ଗର୍ଭଧାରଣ ବେଳେ ରୋଗପ୍ରତିରୋଧକ ଶକ୍ତି କମିଯାଇଥାଏ । ଏହି ସମୟରେ କରୋନା ହେଲେ ମା’ ଓ ଶିଶୁକୁ ବିଭିନ୍ନ ସମସ୍ୟା ହୋଇଥାଏ । କରୋନା କାଳରେ ଗର୍ଭବତୀ ମହିଳା ସ୍ୱାସ୍ଥ୍ୟ ପରୀକ୍ଷାରେ ବ୍ୟବଧାନ ଆଣନ୍ତୁ । ଯଦି ଜଟିଳତା ନାହିଁ, ପ୍ରତିମାସରେ ନ କରି ୨ ମାସରେ ପରୀକ୍ଷା କରନ୍ତୁ । ଗର୍ଭାବସ୍ଥାରେ କୋଭିଡ ଗାଇଡଲାଇନ ପାଳନକରି ଅଲଟ୍ରାସାଉଣ୍ଡ କରନ୍ତୁ । ଗର୍ଭବତୀ ମହିଳା କରୋନା ଟିକା ନନେବା ଉଚିତ ବୋଲି ଡାକ୍ତର କହିଛନ୍ତି । ଟିକାର ପ୍ରଥମ ଡୋଜ ପରେ ଗର୍ଭଧାରଣ କଲେ ୨ୟ ଡୋଜ ଟିମା ନନେବା ଉଚିତ ।
କୋଭିଡ ପଜିଟିଭ ହେଲେ ସଂକ୍ରମଣ ନ ବ୍ୟାପିବା ପାଇଁ ଯତ୍ନବାନ ହୁଅନ୍ତୁ । କୋଭିଡ ପଜିଟିଭ ହେଲେ ୧୦୪କୁ ପରାମର୍ଶ କରିବା ଦରକାର । ଭୁବନେଶ୍ୱରବାସୀ ହୋଇଥିଲେ ୧୯୨୯କୁ ଫୋନ କରି ଅଧିକ ସୂଚନା ପାଇପାରିବେ ।

ସମ୍ବନ୍ଧିତ ଖବର