‘ଲକ୍‌ଡାଉନ୍‌’କୁ ଗୁରୁତର ସହ ନିଅନ୍ତୁ, ନିଜର ଓ ପରିବାର କଥା ଚିନ୍ତା କରନ୍ତୁ: ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର: ‘ଲକ୍‌ଡାଉନ’କୁ ଗୁରୁତର ସହ ନେବାକୁ ପଡିବ। ନିଜ କଥା ପ୍ରଥମେ ଭାବନ୍ତୁ। ଏଥି ସହ ପରିବାରରେ ଅନ୍ୟମାନେ ଠିକ୍‌ ଅଛନ୍ତି କି ନାହିଁ, ତାହା ଚିନ୍ତା କରନ୍ତୁ। ଆମେ ଯଦି ଠିକ ଭାବେ ପରିଚାଳିତ ନ ହେବା, ତା’ହେଲେ ଘରେ ଥିବା ବୟସ୍କ ବ୍ୟକ୍ତି ଅର୍ଥାତ ବାପା-ମା’, ଅଜା-ଆଇ ହିଁ ଅସୁବିଧାରେ ପଡ଼ିବେ। ସେହିପରି ଘରେ ଥିବା ଲୋକେ ମଧ୍ୟ ପ୍ରଭାବିତ ହେବେ। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ମଙ୍ଗଳବାର ଏହା କହିଛନ୍ତି।

ଦେହ ଖରାପ ହେଲେ ପ୍ରଥମେ ଆମେ ଡାକ୍ତରଖାନା କଥା ଚିନ୍ତା କରିଥାଉ। କିନ୍ତୁ ସେଭଳି ମାନସିକ ଚିନ୍ତା ନ କରି ଆମେ ସମାଜର ଅନ୍ୟ ବ୍ୟକ୍ତିଙ୍କ କଥା ମଧ୍ୟ ଚିନ୍ତା କରିବାର ଦାୟିତ୍ୱ ଅଛି। ଆଜି ଭାରତର ଡାକ୍ତରଖାନାରେ ଲକ୍ଷେ ଲୋକଙ୍କ ପାଇଁ ହାତଗଣତି ୭୦ଟି ବେଡ ଅଛି। ପୁଣି ଏଥିରେ ୭୫ ପ୍ରତିଶତ ରୋଗୀ ଆଡମିଟ ହୋଇଛନ୍ତି। ହସ୍ପିଟାଲକୁ ଦୌଡ଼ି ଆମେ କରୋନା ସହ ଲଢ଼ିପାରିବା ନାହିଁ। ତେଣୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ଯେ, ଡାକ୍ତରଖାନା ସୁବିଧା କେମିତି ବାହାରେ ମଧ୍ୟ ଉପଲବ୍ଧ କରାଯାଇପାରିବ। ତେଣୁ ସମସ୍ତେ ଲକଡାଉନରେ ରହିଲେ ଭଲ ଏବଂ ଡାକ୍ତରଖାନାକୁ ଯିବା ନାହିଁ।

ଶ୍ରୀ ବାଗ୍‌ଚୀ କହିଛନ୍ତି ଯେ, ଏବେ ଅର୍ଥନୈତିକ ପ୍ରଭାବ କ’ଣ ରହିବ, ସେନେଇ ସମସ୍ତଙ୍କ ଚିନ୍ତା ବଢ଼ିଛି। କିନ୍ତୁ ସେସବୁ ଚିନ୍ତା କରିବାର ସମୟ ଆସିନାହି। ପ୍ରଥମେ ପ୍ରାଣ ବଞ୍ଚାଇବାକୁ ହେବ। ପ୍ରାଣ ବଞ୍ଚିଲେ ଅର୍ଥନୀତି ଫେରିଆସିବ। ଓଡ଼ିଶାରେ ୯୦ ପ୍ରତିଶତ ଲକଡାଉନ ସଫଳ ହୋଇଛି ବୋଲି ବାଗ୍‌ଚୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। କିଛି ଲୋକ ପୁଲିସ ସହ ଲୁଚକାଳି ଖେଳୁଛନ୍ତି। କିନ୍ତୁ ଏହା ପୁଲିସ ସହିତ ଲୁଚକାଳି ଖେଳିବାର ସମୟ ନୁହେଁ। କାରଣ କରୋନା ଲୋକଙ୍କୁ ଖୋଜୁଛି। ଉହାନରେ ଜନଶୂନ୍ୟ ଦେଖାଯାଇଛି। ଆମେରିକାର ଟାଇମ୍‌ସ ଛକରେ ଲକ୍ଷାଧିକ ବୁଲୁଥାନ୍ତି, ସେଠାରେ ଲୋକ ଦେଖାଯାଉ ନାହାନ୍ତି। ଲଣ୍ଡନର ଥେମ୍‌ସ ନଦୀ ଉପରେ ନିର୍ମିତ ବ୍ରିଜ୍‌ ଉପରେ ଚାଲିବାକୁ ସ୍ଥାନ ନଥାଏ। କିନ୍ତୁ ଏଠାରେ ଏବେ ଲୋକ ନାହାନ୍ତି। ସେହିଭଳି ଅଷ୍ଟ୍ରେଲିଆର ସିଡନୀ ପାହାଚରେ ମଧ୍ୟ ଲକ୍ଷାଧିକ ଲୋକ ବୁଲୁଥିବା ବେଳେ ଏବେ ଜନଶୂନ୍ୟ ହୋଇପଡ଼ିଛି।

ସମ୍ବନ୍ଧିତ ଖବର