ଭୁବନେଶ୍ବର : ଜେଲ୍ରେ ରହୁଥିବା କଏଦୀମାନଙ୍କ ମଧ୍ୟରେ ଯେପରି କରୋନା ଭୂତାଣୁ ନ ବ୍ୟାପେ, ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଗହଳି ରହୁଥିବା ଜେଲ୍ରୁ କଏଦୀମାନଙ୍କୁ ଫାଙ୍କା ଜେଲ୍କୁ ସ୍ଥାନାନ୍ତର କରାଯାଉଛି। ଏହି ପରିପ୍ରେକ୍ଷୀରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟି ପ୍ରଥମ ପର୍ଯ୍ୟାୟରେ ୮୫୬ଜଣ କଏଦୀଙ୍କୁ ସ୍ଥାନାନ୍ତର କରିବା ପାଇଁ ସ୍ଥିର କରିଛି। ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ କଏଦୀ ସ୍ଥାନାନ୍ତର ହୋଇ ସାରିଥିବା ବେଳେ ବାକି ଥିବା କଏଦୀମାନଙ୍କୁ ଖୁବ୍ଶୀଘ୍ର ସ୍ଥାନାନ୍ତର କରାଯିବ। ଆଜି ଆଉ ୫୦ଜଣଙ୍କୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି କାରାଗାର ନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।
ରାଜ୍ୟରେ ୮୭ ଜେଲ୍ ରହିଛି। ଏଗୁଡ଼ିକରେ ୧୯ ହଜାର ୭୯୧ କଏଦୀ ରହିବା ଦକ୍ଷତା ରହିଛି। ଏବେ ୮୭ ଜେଲ୍ରେ ୧୮ ହଜାର ୧୧୨ କଏଦୀ ରହିଛନ୍ତି। ୧୪ ହଜାର ୩୮୭ ବିଚାରାଧୀନ ଥିବା ବେଳେ ୩ ହଜାର ୭୨୫ ଜଣ ଦଣ୍ଡିତ କଏଦୀ ରହିଛନ୍ତି। କୋଭିଡ୍-୧୯ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହେବା ବେଳେ ଏହି ସବୁ କଏଦୀଙ୍କ କଥା ବିଚାରକୁ ନିଆଯାଇଥିଲା। ଏହି ଭୂତାଣୁକୁ ନେଇ ଜେଲ୍ରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ତିନିଜଣିଆ ଏକ ହାଇପାୱାର କମିଟି ଗଠନ କରିଥିଲେ। ରାଜ୍ୟ ଆଇନ ସେବା ପ୍ରାଧିକରଣ ସଚିବ ଏହି କମିଟିର ଅଧ୍ୟକ୍ଷ ଥିବା ବେଳେ ଗୃହ ସଚିବ ଓ କାରାଗାର ନିର୍ଦ୍ଦେଶକ ସଦସ୍ୟ ରହିଥିଲେ। କମିଟି ବୈଠକ ବସି ଏହି ଜେଲ୍ଗୁଡ଼ିକ ମଧ୍ୟରୁ ୧୮ଟି ଗହଳି ଜେଲ୍ ଓ ୧୭ଟି ଫାଙ୍କା ଜେଲ୍ ଚିହ୍ନଟ କରିଥିଲା। କମିଟି ପ୍ରଥମେ ୮୫୬ ଓ ପରେ ୫୦ ଜଣ, ଏଭଳି ୯୦୬ କଏଦୀଙ୍କୁ ଏହି ୧୭ ଫାଙ୍କା ଜେଲ୍କୁ ସ୍ଥାନାନ୍ତର ପାଇଁ ସୁପାରିସ୍ କରିଥିଲା। କେବଳ ଦଣ୍ଡିତ କଏଦୀମାନଙ୍କୁ ସ୍ଥାନାନ୍ତର ହେବା ପାଇଁ କମିଟି ସୁପାରିସ୍ କରିଥିଲା।
ଏହି ଗହଳି ଜେଲ୍ ବା ଯେଉଁ ଜେଲ୍ରୁ ବନ୍ଦୀମାନେ ସ୍ଥାନାନ୍ତର ହେବାକୁ ନିଷ୍ପତ୍ତି ହୋଇଥିଲା, ସେଗୁଡ଼ିକ ମଧ୍ୟରେ ଭୁବନେଶ୍ବର ଝାରପଡ଼ା, କଟକ ଚୌଦ୍ବାର, ବ୍ରହ୍ମପୁର, ଭଦ୍ରକ, ଫୁଲବାଣୀ, ସମ୍ବଲପୁର, ସୁନ୍ଦରଗଡ଼, ବାଲିଗୁଡ଼ା, ଯାଜପୁର, ଆଠଗଡ଼, ଢେଙ୍କାନାଳ, ଅନୁଗୁଳ ଓ ଭବାନୀପାଟଣା ରହିଥିଲା। ଏହି ସବୁ ଜେଲ୍ରୁ ଦକ୍ଷତାଠାରୁ ଅପେକ୍ଷାକୃତ କମ୍ କଏଦୀ ଥିବା ଅନ୍ୟ ୧୭ଜେଲ୍କୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହା ଛଡ଼ା ଜେଲ୍ଗୁଡ଼ିକ ଯେଭଳି ଫାଙ୍କା ରହିବ, ସେଥିପାଇଁ ଉଦ୍ୟମ କରିବାକୁ ରାଜ୍ୟ ଓ ଜିଲ୍ଲାସ୍ତରୀୟ ମନିଟରିଂ କମିଟି ଗଠନ କରାଯାଇଛି। ଏହି କମିଟିର ସୁପାରିସ୍କ୍ରମେ ୧୨୬ଜଣଙ୍କୁ ଦଣ୍ଡ ଅବଧି ପୂରିବା ଦୁଇମାସ ପୂର୍ବରୁ ମୁକ୍ତ କରାଯାଇଛି। ଏଭଳି କଏଦୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ସେହିଭଳି କଏଦୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସମସ୍ତ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/jail.jpg)