କୋଭିଡ୍ କଟକଣାରେ ବି ୯୦ ହଜାର ଗାଡ଼ି ବିକ୍ରି, ଆର୍ଥିକ ମାନ୍ଦାବସ୍ଥା ବେଳେ ଆଶା ସଂଚାର

କଟକ : କୋଭିଡ୍ କଟକଣା ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି କରିଛି। ଆର୍ଥିକ କାରବାର ତ୍ବରାନ୍ବିତ ହୋଇପାରୁନି। କିନ୍ତୁ ଏଭଳି ସ୍ଥିତିରେ ବି ରାଜ୍ୟରେ ନୂଆ ଗାଡ଼ି ବିକ୍ରି ପରିମାଣ ବ୍ୟବସାୟୀଙ୍କ ମଧ୍ୟରେ ଆଶା ସଂଚାର କରିଛି। କୋଭିଡ କଟକଣା ସମୟରେ ରାଜ୍ୟରେ ୯୦ ହଜାର ପାଖାପାଖି ନୂଆ ଗାଡ଼ି ବିକ୍ରି ହୋଇଥିବାବେଳେ ଏପ୍ରିଲରୁ ଜୁନ ଭିତରେ ଏ ବାବଦରେ ୧୫୯.୮ କୋଟି ଟଙ୍କାର ରାଜସ୍ବ ଆଦାୟ କରିଛି ପରିବହନ ବିଭାଗ। ଯଦିଓ ପୂର୍ବ ବର୍ଷ ତୁଳନାରେ ଏହି ରାଜସ୍ବ ଏବଂ ଗାଡ଼ି ବିକ୍ରି ସଂଖ୍ୟା କମ ରହିଛି, କିନ୍ତୁ ମାନ୍ଦାବସ୍ଥା ସମୟରେ ଏହି ସଂଖ୍ୟା ଉତ୍ସାହଜନକ ବୋଲି ପରିବହନ ବିଭାଗ ଆକଳନ କରିଛି।

ସୂଚନା ଅନୁଯାୟୀ, ମାର୍ଚ୍ଚ ୨୪ରୁ ଲକଡାଉନ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଗାଡ଼ି ଚଳାଚଳ ବନ୍ଦ ରହିବାରୁ ପୁରୁଣା ବସ୍ ଓ ଟ୍ରକ ମାଲିକ ମାସିକିଆ ଓ ତିନି ମାସିଆ ଗାଡ଼ି ଟିକସ ବି ଦେଇ ନପାରିବା ସ୍ଥିତିରେ ଗାଡ଼ିକୁ ଅଫରୋଡ୍ କରିଛନ୍ତି। ଫିଟନେସ୍, ଡିଏଲ ଏବଂ ଏନଫୋର୍ସମେଣ୍ଟ ପ୍ରକ୍ରିୟା ବି ବନ୍ଦ ରହିଛି। ଲକଡାଉନ ଏବଂ ସଟଡାଉନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କୁ ପରିବହନ ବିଭାଗ କର୍ମଚାରୀ ସହଯୋଗ କରିବା ଫଳରେ ଟିକସ ଆଦାୟ ଉପରେ ଅଧିକ ଗୁରୁତ୍ବ ଦିଆଯାଇ ନାହିଁ। କିନ୍ତୁ ପରିବହନ କମିସନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ୨୦୨୦ ଏପ୍ରିଲରେ ୨୮.୬୬ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇ ପାରିଛି। ଯଦିଓ ୨୦୧୯ ଏପ୍ରିଲରେ ୧୬୬.୨ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଥିଲା। ସେହିଭଳି ୨୦୨୦ ମେ’ରେ ୩୫ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଥିବାବେଳେ ୨୦୧୯ ମେ’ରେ ଏହି ପରିମାଣ ଥିଲା ୧୦୫ କୋଟି ଟଙ୍କା।

ଗଲା ଜୁନ ମାସରେ ୯୬ କୋଟି ଟଙ୍କାର ରାଜସ୍ବ ପରିବହନ ବିଭାଗ ଆଦାୟ କରିଥିବା ବେଳେ ୨୦୧୯ ଜୁନରେ ରାଜସ୍ବ ଆଦାୟ ଥିଲା ୧୧୨.୭ କୋଟି ଟଙ୍କା। ଅର୍ଥାତ ଏପ୍ରିଲରୁ ଜୁନ୍ ଭିତରେ ରାଜସ୍ବ ଆୟ ବଢିବାରେ ଲାଗିଛି। ସେହିପରି ୨୦୨୦ ଏପ୍ରିଲରେ ୨ ହଜାର ୫୯୯ ଗାଡ଼ି ବିକ୍ରି ହୋଇଥିବା ବେଳେ ମେ’ ମାସରେ ୧୫ ହଜାର ଗାଡ଼ି, ଜୁନରେ ୪୩ ହଜାର ଗାଡ଼ି ବିକ୍ରି ହୋଇଛି। ଜୁଲାଇ ମାସ ୨୦ ତାରିଖ ସୁଦ୍ଧା ୨୯ ହଜାର ଗାଡ଼ି ବିକ୍ରି ହୋଇଛି। କିନ୍ତୁ ୨୦୧୯ ଏପ୍ରିଲରେ ୭୫ ହଜାର, ମେ ମାସରେ ୬୬ ହଜାର, ଜୁନରେ ୬୪ ହଜାର ଗାଡ଼ି ବିକ୍ରି ହୋଇଥିଲା।

ରାଜ୍ୟରେ ସାଧାରଣ ସମୟରେ ମାସିକ ହାରାହାରି ୬୦ ହଜାର ଗାଡ଼ି ବିକ୍ରି ହେଉଥିବା ବେଳେ କୋଭିଡ କଟକଣା ସମୟରେ ବି ଜୁନ ଓ ଜୁଲାଇ ମାସର ଗାଡି ବିକ୍ରି ବ୍ୟବସାୟୀ ଓ ପରିବହନ ବିଭାଗ ପାଇଁ ଉତ୍ସାହର କାରଣ ହୋଇଛି। ଲକଡାଉନ ସମୟରେ ଏଭଳି ରାଜସ୍ବ ଆଦାୟ ଏବଂ ଗାଡି ବିକ୍ରିକୁ ନିରୁତ୍ସାହଜନକ କହି ହେବନାହିଁ ବୋଲି ପରିବହନ କମିସନର ସଂଜୀବ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର