ଯାଜପୁର: ଯାଜପୁର ଜିଲ୍ଲାରେ ରହିଛି ହଜାରହଜାର ବର୍ଷର ଐତିହ୍ୟ। ଏହାର ମୂକସାକ୍ଷୀ ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହୀରକ ତ୍ରିଭୁଜ ଭାବେ ଖ୍ୟାତ ରତ୍ନଗିରି ଓ ଉଦୟଗିରି, ଲାଙ୍ଗୁଡ଼ିପାହାଡ଼ର ପୁଷ୍ପଗିରି। ଏହିସବୁ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଅର୍ଥ ମଞ୍ଜୁର କରାଯାଇଛି। ଏହି ଅର୍ଥ ବିନିଯୋଗ ମାଧ୍ୟମରେ ବୌଦ୍ଧ ସମେତ ଅନ୍ୟାନ୍ୟ କୀର୍ତ୍ତିରାଜି ଆହୁରି ବିକାଶିତ ହେବାକଥା। ମାତ୍ର, ବାସ୍ତବକ୍ଷେତ୍ରରେ ଏହି ଅର୍ଥ ଖର୍ଚ୍ଚ ହୋଇନାହିଁ କିମ୍ବା ଅନ୍ୟ କ୍ଷେତ୍ରରେ ବିନିଯୋଗ କରାଯାଇଛି। ହସ୍ତଗତ ତଥ୍ୟ ଅନୁସାରେ, ଲଳିତଗିରି, ରତ୍ନଗିରି ଓ ଲାଙ୍ଗୁଡ଼ି ବୌଦ୍ଧସ୍ଥଳୀ ପୁଷ୍ପଗିରିର ବିକାଶ ପାଇଁ ୨୦୧୯-୨୦ ବର୍ଷରେ ୫ କୋଟି, ୨୦୨୦-୨୧ ରେ ଉଦୟଗିରି ଭିତ୍ତିଭୂମିର ବିକାଶ ପାଇଁ ୧ କୋଟି ୭୫ ଲକ୍ଷ ୬୪ ହଜାର ଓ ରତ୍ନଗିରିର ବିକାଶ ପାଇଁ ୪ କୋଟି ୫୭ ଲକ୍ଷ ୮୮ ହଜାର ଟଙ୍କା ମଞ୍ଜୁର ହୋଇଛି। ମୋଟ୍ ୧୧ କୋଟି ୩୩ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର ହୋଇଥିବା ତଥ୍ୟରେ ଉଲ୍ଲେଖ ଅଛି। ମାତ୍ର, ଏହି ଅର୍ଥ ଆଦୌ ପର୍ଯ୍ୟଟନର ବିକାଶ ପାଇଁ ଖର୍ଚ୍ଚ କରାଯାଇନାହିଁ। ଏହାର ଜ୍ବଳନ୍ତ ଉଦାହରଣ ହେଉଛି, ଖୋଲା ଆକାଶ ତଳେ ପଡ଼ିରହିଥିବା ହଜାରହଜାର ବର୍ଷର ପଥର କାରୁକାର୍ଯ୍ୟ ମୂର୍ତ୍ତି। ଏହିସବୁ ମୂର୍ତ୍ତି ନଷ୍ଟହେବାକୁ ବସିଲାଣି। ସେଥିମଧ୍ୟରୁ ଅନେକ ବି ମାଟିତଳେ ପୋତିହୋଇଯାଇଛି। ଯାହାଫଳରେ, ଏହି ମଞ୍ଜୁର ଅର୍ଥ କେଉଁଠି ବିନିଯୋଗ ହୋଇଛି, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୋଗ ହେଉଛି, ଏହି ଅର୍ଥ ବୌଦ୍ଧକୀର୍ତ୍ତିର ବିକାଶ ଅପେକ୍ଷା ବଙ୍ଗଳା ତିଆରିରେ ଖର୍ଚ୍ଚ କରାଯାଇଛି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି, ବାଲିଚନ୍ଦ୍ରପୁର ନିକଟରେ ଥିବା ପାନ୍ଥନିବାସ। କୀର୍ତ୍ତିରାଜିର ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ବ ନଦେଇ ଏହି ପାନ୍ଥନିବାସ ନିର୍ମାଣ କରାଯାଇଥିବା ବେଳେ ଏହା ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ସେହିପରି, ଠିକାଦାରଙ୍କ ସ୍ବାର୍ଥରେ ଉଦୟଗିରି ଓ ରତ୍ନଗିରି ପାହାଡ଼ର କିଛି ଦୂରରେ ଥିବା ବଙ୍ଗଳା ମରାମତି ନାମରେ କୋଟିକୋଟି ଟଙ୍କା ବ୍ୟୟ କରାଯାଇଛି। ଅତି ନିମ୍ନମାନର କାମ ହେତୁ ବର୍ଷକ ମଧ୍ୟରେ ତାହା ଭାଙ୍ଗିଯିବାକୁ ବସିଲାଣି।
୪ବର୍ଷ ମଧ୍ୟରେ ମଞ୍ଜୁର ୯୧ କୋଟି
ବୌଦ୍ଧସ୍ଥଳୀର ବିକାଶ ପାଇଁ ୧୧କୋଟି
ଖର୍ଚ୍ଚ ହୋଇନି କିମ୍ବା ବଙ୍ଗଳା ତିଆରିରେ ଲାଗିଛି
ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ବୌଦ୍ଧ କୀର୍ତ୍ତିରାଜି
ଏହିପରି ଭାବେ ଠିକାଦାରଙ୍କ ସ୍ବାର୍ଥରେ ୪ବର୍ଷ ମଧ୍ୟରେ ସମୁଦାୟ ୯୧ କୋଟି ୪ ଲକ୍ଷ ୬୨ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା କୁହାଯାଉଛି। ଜିଲ୍ଲାରେ ୧୯ ଟି ପର୍ଯ୍ୟଟନସ୍ଥଳୀ ରହିଛି। ଏସବୁ ସ୍ଥାନର ଭିତ୍ତିଭୂମି ବିକାଶ ତଥା ବଙ୍ଗଳା ଓ ଅନ୍ୟାନ୍ୟ କାମ ପାଇଁ କୋଟିକୋଟି ଟଙ୍କା ପର୍ଯ୍ୟଟନ ବିଭାଗ ମଞ୍ଜୁର କରିଛି। ଯାଜପୁର ବରାହ ପୀଠରେ ଭଗବାନ ଶିବଙ୍କର ମୂର୍ତ୍ତି ପାଇଁ ୨୦୧୯-୨୦ ରେ ୨ କୋଟି ଟଙ୍କା ଓ ୨୦୨୦-୨୧ ରେ ୫ କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିପରି କୁସୁମାରେ ୨୦୧୯-୨୦ ଆର୍ଥିକ ବର୍ଷରେ ଭାସମାନ ଝରଣା ପାଇଁ ୬ କୋଟି ୬୯ ଲକ୍ଷ ୧୭ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ବହୁଦିନ ହେଲାଣି ତାହା ଖରାପ ହୋଇପଡ଼ିଛି। ଧର୍ମଶାଳା ବ୍ଲକ୍ର କଣ୍ଟିଗଡ଼ିଆ ବଡ଼ପୋଖରୀ ପୁନରୁଦ୍ଧାର ପାଇଁ ୩ ଟି ଆର୍ଥିକ ବର୍ଷରେ ୧୦ କୋଟି ମଞ୍ଜୁର ହୋଇଛି। ମାତ୍ର, ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଅଣଦେଖା କରି ଅନୁଦାନର ସିଂହଭାଗ ଅର୍ଥ ବଙ୍ଗଳା ନିର୍ମାଣ, ପୋଖରୀରେ ଫାଉଣ୍ଟେନ ବା କୃତ୍ରିମ ଝରଣା ନିର୍ମାଣ, ପୋଖରୀ ଖନନରେ ବ୍ୟୟ କରାଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।