‘ପୀତାମ୍ବରଙ୍କ ଭଳି ବାଗ୍ମୀ ପୁରୁଷ ପାଇ ଭଦ୍ରକ ମାଟି ଧନ୍ୟ’

ପୀତାମ୍ବର ସ୍ୱାଇଁଙ୍କ ୯୧ତମ  ଜୟନ୍ତୀ  ସମାରୋହ

ଭଦ୍ରକ: ବିଶିଷ୍ଟ ଶିକ୍ଷାବିତ୍‌, ସାହିତ୍ୟିକ, ଗବେଷକ ଅଧ୍ୟାପକ ଡ. ପୀତାମ୍ବର ସ୍ୱାଇଁ ଥିଲେ ଜଣେ ବାଗ୍ମୀ ପୁରୁଷ। ତାଙ୍କ କଣ୍ଠରେ ସରସ୍ବତୀ ବିରାଜମାନ କରିଥିଲେ। ତାଙ୍କ ପରି ଜଣେ ବାଗ୍ମୀ ପୁରୁଷଙ୍କୁ ଏ ମାଟି ପାଇ ଧନ୍ୟ ହୋଇଥିଲା ବୋଲି ମୁଖ୍ୟଅତିଥି ଭାବେ ବିଶିଷ୍ଟ କବି ତଥା ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଗୋସ୍ୱାମୀ ଗୋଲାମ ଦେବତା କହିଛନ୍ତି। ସ୍ମୃତି ସଂସଦ ପକ୍ଷରୁ ପୀତାମ୍ବର ସ୍ୱାଇଁଙ୍କ ୯୧ତମ  ଜୟନ୍ତୀ  ସମାରୋହରେ ବିଶି‌ଷ୍ଟ ଅଧିବକ୍ତା ନିରାକାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଶ୍ରୀ ଦେବତା ଯୋଗ ଦେଇ କହିଲେ ମୁଁ ପୀତାମ୍ବର ସାର୍‌ଙ୍କୁ ବେଶ ପାଖରୁ ଦେଖିଛି। ଭଦ୍ରକ ମହାବିଦ୍ୟାଳୟରେ ତାଙ୍କର ଛାତ୍ର ହେବାର ସୌଭାଗ୍ୟ ପାଇଛି। ସେ ଜଣେ ଛାତ୍ର ବତ୍ସଳ ଅଧ୍ୟାପକ ଭାବେ ସାରା ଓଡିଶାରେ ପରିଚିତ ଥିଲେ। ତାଙ୍କର ସଜ୍ଞା ବର୍ଣ୍ଣନା କରିହେବ ନାହିଁ।

ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଲେଖକ  ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ଟିକାୟତ ରାୟ ଯୋଗ ଦେଇ କହିଲେ ଆତ୍ମାର ସ୍ବରୁପକୁ ଚିହ୍ନିବାକୁ ହେଲେ ଆତ୍ମା ପୁରୁଷ ଏବଂ ପରମାତ୍ମାକୁ ଚିହ୍ନିବା ଦରକାର। ପରମାତ୍ମା ଓ ଆତ୍ମାକୁ ସ୍ବୀକାର କରିବା ଏକ ଜ୍ଞାନ। ଏ ସମଗ୍ର ସୃଷ୍ଟି ଓ ପ୍ରକୃତି ପରମାତ୍ମାଙ୍କର। ଈଶ୍ବର ସାରା ସୃଷ୍ଟିକୁ ତିଆରି କରିଛନ୍ତି। ସେ ସବୁକିଛି ଦେଇଛନ୍ତି। ତାଙ୍କ ଇଚ୍ଛାରେ ପବନ ବହେ, ଆଲୋକ ମିଳେ। ଈଶ୍ବରଙ୍କୁ ଅସ୍ବୀକାର କରି ଏ ସୃଷ୍ଟି ଅସମ୍ଭବ ବୋଲି କହିଥିଲେ। ସମ୍ମାନିତ ପ୍ରତିଭା ଭାବରେ ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ ଦାଶ ବେନହୁର ଯୋଗ ଦେଇଥିଲେ। ଶ୍ରୀ ବେନହୁରଙ୍କୁ ଏହି ଅବସରରେ ସ୍ମୃତି ସଂସଦ ପକ୍ଷରୁ ‘ରାଜ୍ୟସ୍ତରୀୟ ପୀତାମ୍ବର ସ୍ୱାଇଁ ବାଗ୍ମୀତା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।

ସମ୍ବର୍ଦ୍ଧିତ ହେବା ଅବସରରେ ଶ୍ରୀ ବେନହୁର କହିଲେ ଭଦ୍ରକ ମାଟି ମୋତେ ବହୁତ କିଛି ଦେଇଛି। ମୁଁ  ଏଠୁ ଏତେ ପାଇଛି, ଯାହା ବର୍ଣ୍ଣନା କରିବା ମୋ  ପକ୍ଷରେ ସମ୍ଭବ ନୁହେଁ। ଏହି ମାଟିରେ ମୋର ଅଧ୍ୟାପକ ଓ  ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା। ଏହି ମାଟି ମୋର ଅତିପ୍ରିୟ ଓ ପରିଚିତ ମାଟି। ଭଦ୍ରକ ମାଟିକୁ ଆସିଲେ ମୋ ଆଖିରୁ ଲୁହ ଗଡିପଡେ। ଭଦ୍ରକ ସହିତ ମୋର ଜୀବନର ଅନେକ ସ୍ମୃତି ଜଡ଼ିତ ହୋଇ ରହିଛି। ମୋତେ ମୋର ପ୍ରିୟ ମାଟିରେ ସମ୍ମାନିତ କରାଯାଇଥିବାରୁ ସ୍ମୃତି ସଂସଦର କର୍ମକର୍ତ୍ତଙ୍କୁ  ସାଧୁବାଦ ଜଣାଉଛି। ସଭାରେ ବିଶିଷ୍ଟ ଗାଳ୍ପିକ ଡ଼ ରାଧାବିନୋଦ ନାୟକ ଓ ବିଶିଷ୍ଟ କବି ହୃଦାନନ୍ଦ ପାଣିଗ୍ରାହୀଙ୍କୁ ସଂସଦର ସ୍ୱତନ୍ତ୍ର ସମ୍ମାନିତ ପ୍ରତିଭା ‘ସରସ୍ୱତୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।

ସଭା ପ୍ରାରମ୍ଭରେ ଅଧ୍ୟାପକ ବିଶ୍ବରଂଜନ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗାଳ୍ପିକ ତଥା  ପ୍ରାଧ୍ୟାପକ  ପବିତ୍ର ପାଣିଗ୍ରାହୀ   ସଂପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସଭାରେ ପ୍ରଫେସର ବ୍ରଜମୋହନ ମିଶ୍ର, କ୍ଷୀରୋଦ ସାମଲ, ଡ ପ୍ରଦୀପ ନାୟକ, ଆଡଭୋଗେଟ ରାଧା ଦାସ, ନାସିର ବକ୍ସ, ଶିକ୍ଷାବିତ ରାଧାରାଣୀ ମହାପାତ୍ର, ଝରଣା ପଟ୍ଟନାୟକ, ଚପଳା ନାୟକ, ଅଜୟ ନାୟକ, ଅଟଳ ବିହାରୀ ନାୟକ, ସୁଧାକର ରାଉତ, ସନ୍ତୁନ ରାଉତ, କିଶୋର ପାଣିଗ୍ରାହୀ, ନିତ୍ୟାନନ୍ଦ ଦାସ, ମମତା ସାହୁ, ବୈକୁଣ୍ଠ ବିଶ୍ୱାଳ, ଡ. ହରିହର ନାୟକ,  ରୂପକ ରାୟ, ମନୋରଞ୍ଜନ ଦାସ, ଗୀତାରାଣୀ ଆଇଚ, ଦୁର୍ଗା ଦାସ, ଶ୍ରୀହର୍ଷ ସ୍ୱାଇଁ,  ପ୍ରଦୋଷ ସ୍ୱାଇଁ , କୁମାର କବି ଗଙ୍ଗାଧର ପ୍ରମୁଖ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଶେଷ‌େର ପୀତାମ୍ବର ସ୍ବାଇଁଙ୍କ ସୁପୁତ୍ର ବାଲେଶ୍ବରର ପୂର୍ବତନ ସାଂସଦ ମହାମେଘବାହନ ଐର ଖାରବେଳ ସ୍ବାଇଁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର