ଅସନବଣିରେ ୯୨ ହାତୀ

ପଛରେ ଆସୁଛନ୍ତି ଆଉ ଏକ ବଡ଼ ଦଳ

ପାଇଲଟ ଦନ୍ତା ଘର ଭାଙ୍ଗିଲା, ଆତଙ୍କ ଖେଳାଇଲା

ବେତନଟୀ/ଚିତ୍ରଡ଼ା : ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ଦୁର୍ଗାପୁର ରିଜର୍ଭରେ ଆଜି ସକାଳେ ୯୨ଟି ଝାଡ଼ଖଣ୍ଡୀ ହାତୀ ଉପଦ୍ରବ କରିଛନ୍ତି। ପୂର୍ବରୁ ଗୋଠଛଡ଼ା ହୋଇ ଏଠାରେ ଥିବା ପାଇଲଟ ଦନ୍ତାଟି ମଧ୍ୟ ଏବେ ଏହି ଦଳରେ ମିଶିଯାଇଛି। ବଡ଼ବଡ଼ ଦନ୍ତା ହାତୀ ସହିତ ବହୁ ଛୁଆ ହାତୀ ମଧ୍ୟ ଏହି ପଲରେ ଅଛନ୍ତି। ଏହାବାଦ୍‌ ଆହୁରି ହାତୀପଲ ମୟୂରଭଞ୍ଜ ସୀମାରେ ପଶିଥିବା ଜଣାପଡ଼ିଛି। ସୋମବାର ଏହି ହାତୀପଲ ଫୁଲଝରୀ ଦେଇ ସୁବର୍ଣ୍ଣରେଖା କେନାଲ ପାରିହୋଇ ଘୋଳମୁହାଁ, ତାଣ୍ଡଗୁହାଳୀ ପାଖରେ ଜମ୍ଭୀରା ନଦୀ ପାଖରେ ପହଞ୍ଚିଥିଲେ। ଅସ୍ତିଆଠାରେ ବାରିପଦା-ଅମର୍ଦା ରାସ୍ତା ପାରିହୋଇ ସମାୟଡିହି, ଶୁଖିଲାଖାଳି, ଭାଲୁକଚୁଆ ହୋଇ ଦୁର୍ଗାପୁର ପହଞ୍ଚିଥିଲେ। ବାଟରେ ଯାହା ଧାନଜମି ପଡ଼ିଲା ସେଥିରେ ଖାଇବା ସହ ଦଳିଦେଇଛନ୍ତି।

ଆଜି ୯୨ ହାତୀ ପୁରୁଣାଡିହି ନିକଟରେ ହରିଶ ସିଂ, ପରେଶ ସିଂ, ନରେନ୍ଦ୍ର ସିଂ, ରତନୀ ସିଂଙ୍କ ସମେତ ବହୁ ଚାଷୀଙ୍କ ଜମିରେ ପାଚିଲା ଧାନ ଖାଇଛନ୍ତି। ତା’ଠାରୁ ଅଧିକ ଦଳିଚକଟି ନଷ୍ଟ କରିଛନ୍ତି। ଗତକାଲି ରାତିରେ ଦନ୍ତାଟି ଦୁର୍ଗାପୁରର ମଦନ ସିଂଙ୍କ ଘର ଭାଙ୍ଗି ଧାନ, ଚାଉଳ ଖାଇଯାଇଛି। ଭାତ ହାଣ୍ଡି ମଧ୍ୟ ବାଦ୍‌ ପଡ଼ିନି। ମାଡ଼ିମକଚି ଦେଇଛି। ଘରେ ଶୋଇଥିବା ମହିଳା ସୁମିତ୍ରା ସିଂ କୌଣସିମତେ ଦୌଡ଼ି ପଳାଇ ନିଜ ଜୀବନ ରକ୍ଷା କରିଛନ୍ତି। ବାରିପଦା ଡିଏଫ୍‌ଓଙ୍କ ନିର୍ଦେଶକ୍ରମେ ଡିଭିଜନର ସମସ୍ତ ରେଞ୍ଜ୍‌ର କର୍ମଚାରୀ ବେତନଟୀ ରେଞ୍ଜ୍‌ରେ ପହଞ୍ଚି ହାତୀ ଘଉଡ଼ା ଅପରେସନରେ ସହଯୋଗ କରୁଛନ୍ତି। ବେତନଟୀ ରେଞ୍ଜର ସରୋଜ କୁମାର ମହାନ୍ତି, ରାସଗୋବିନ୍ଦପୁର ରେଞ୍ଜର ଦିଲ୍ଲୀପ କୁମାର ବାରିକ, ଦେଉଳି ରେଞ୍ଜର ରବିନାରାୟଣ ମହାନ୍ତି, ସ୍ୱତନ୍ତ୍ର ସ୍କ୍ଵାଡ୍‌ ଓ ବନ କର୍ମଚାରୀମାନେ ହାତୀପଲ ଉପରେ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର