୧୦ମ ଶ୍ରେଣୀ ଅନ୍ ଲାଇନ୍ “ଶିକ୍ଷା ସଂଯୋଗ’ ପରୀକ୍ଷାରେ ଉପସ୍ଥାନ ୯୨%

ଖୋର୍ଦ୍ଧା : କରୋନା ମହାମାରୀ ବିଦ୍ୟାଦାନ ଓ ଗ୍ରହଣର ମାଧ୍ୟମ ବଦଳାଇ ଦେଇଛି । ଶ୍ରେଣୀଗୃହରେ ଶିକ୍ଷାଦାନ ଗତ ୯ ମାସ ଧରି ବନ୍ଦ ରହିଛି । ଏଭଳି ସ୍ଥିତିରେ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ୧୦ମ ଶ୍ରେଣୀର ପ୍ରାକ୍ ବୋର୍ଡ ପରୀକ୍ଷା ଅନ୍ ଲାଇନ୍‌ରେ କରାଯାଇଛି । ଗତ ୩ ଦିନ ଧରି ହୋଇଥିବା ପରୀକ୍ଷାରେ ୯୨ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ଶିକ୍ଷା ସଂଯୋଗ ଅଭିଯାନରେ ଚଳିତ ମାସ ଡିସେମ୍ବର ୩ ତାରିଖରୁ ୫ ତାରିଖ, ୩ ଦିନ ଧରି ଇଂରାଜୀ, ସାହିତ୍ୟ, ସଂସ୍କୃତ ଓ ହିନ୍ଦୀ ପରୀକ୍ଷା ଅନ୍ଲାଇନ୍‌ରେ ଅନୁଷ୍ଠିତ ହୋଇଥିଲା । ପ୍ରତି ବିଷୟରେ ୩୦ ମାର୍କର ପରୀକ୍ଷା ହୋଇଥିଲା । ଜିଲ୍ଲାର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପ୍ରାୟ ୨୩ହଜାର ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୨ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ ।

୩ ତାରିଖରେ ହୋଇଥିବା ଇଂରାଜୀ ପରୀକ୍ଷାରେ ୨୨,୭୮୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦୮୨ଜଣ ସର୍ବାଧିକ ୩୦ ମାର୍କ ରଖିଛନ୍ତି । ଶୂନ ଠାରୁ ୧୦ ମାର୍କ ୧୪୨୫ ଛାତ୍ରଛାତ୍ରୀ ରଖିଛନ୍ତି । ସେହିଭଳି ପ୍ରଥମ ଭାଷା ଓଡ଼ିଆରେ ୨୪,୦୭୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩୧୫୮ ଛାତ୍ରଛାତ୍ରୀ ସର୍ବାଧିକ ୩୦ ମାର୍କ ରଖିଥିବା ବେଳେ ଶୂନ ଠାରୁ ୧୦ ମାର୍କ ୧୩୧୨ଜଣ ରଖିଛନ୍ତି । ତୃତୀୟ ଭାଷା ସଂସ୍କୃତରେ ମୋଟ ୧୬,୦୭୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୧୯୨ ଛାତ୍ରଛାତ୍ରୀ ସର୍ବାଧିକ ୩୦ ନମ୍ବର ରଖିଥିବା ବେଳେ ୧୮୪୩ ଛାତ୍ରଛଶତ୍ରୀ ଶୂନ ଠାରୁ ୧୦ ମାର୍କ ରଖିଛନ୍ତି । ସେହିଭଳି ତୃତୀୟ ଭାଷା ହିନ୍ଦୀରେ ମୋଟ ୭୩୮୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୭୨୯ ଛାତ୍ରଛାତ୍ରୀ ସର୍ବାଧିକ ୩୦ ନମ୍ବର ରଖିଥିବା ବେଳେ ୪୫୮ଛାତ୍ରଛାତ୍ରୀ ଶୂନ ଠାରୁ ୧୦ ମାର୍କ ରଖିଛନ୍ତି । ହାରାହାରି ଇଂରାଜୀରେ ଛାତ୍ରଛାତ୍ରୀମାନେ ୩୦ରୁ ୨୩ ମାର୍କ ରଖିଥିବା ବେଳେ ଓଡ଼ିଆରେ ୨୫, ସଂସ୍କୃତରେ ୨୫ ଓ ହିନ୍ଦୀରେ ୨୬ ମାର୍କ ରଖିଛନ୍ତି ।

ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର କହିଛନ୍ତି ଯେ ଶିକ୍ଷା ସଂଯୋଗ ଅଭିଯାନରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଖୋର୍ଦ୍ଧା ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ଏହି ପରୀକ୍ଷା କରାଯାଇଛି । ଏହା ଆସନ୍ତା ୧୨ ତାରିଖ ଯାଏଁ ଚାଲିବ । ପ୍ରାୟ ୧୦୦୦ ଛାତ୍ରଛାତ୍ରୀ ଭୁଲବଶତଃ ଦ୍ୱିତୀୟ ଥର ପାଇଁ ପରୀକ୍ଷା ଦେଇଛନ୍ତି । ଏହି ପରୀକ୍ଷା ନେଇ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏଥିପାଇଁ ଦୀର୍ଘ ୧ ମାସ ଧରି ପ୍ରଚେଷ୍ଟା ଚାଲିଥିଲା । ଯେଉଁ ଛାତ୍ରଛାତ୍ରୀଙ୍କ ଆଣ୍ଡ୍ରୋଏଡ୍ ଫୋନ୍ ନାହିଁ ସେମାନେ ଫୋନ୍ ଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଶେଷ ହେବା ପେର ଜଣକ ପରେ ଆଉ ଜଣେ ପରୀକ୍ଷା ଦେଇଥିଲେ । ଏଥିପାଇଁ ସ୍ଥାନୀୟ ସ୍କୁଲର ଶିକ୍ଷକମାନେ ଅଭିଭାବକଙ୍କ ସହ କଥାବାର୍ତା ହୋଇ ପୂର୍ବରୁ ବ୍ୟବସ୍ଥା କରାଇଥିଲେ ।

ଜିଲ୍ଲାରେ ପରୀକ୍ଷାମୂଳକ ଭାବେ କରାଯାଇଥିବା ଏହି ପରୀକ୍ଷାର ସୁପରିଚାଳନା ପାଇଁ ଜିଲ୍ଲା ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ପଟ୍ଟନାୟକ, ସମ୍ପାଦକ ସୁଧାକର ମହାପାତ୍ର ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ସମ୍ବନ୍ଧିତ ଖବର