ଆଧାର ସାଜିଛି ବାଧକ: ଭତ୍ତା ଓ ରାସନରୁ ବଞ୍ଚିତ ୯୨ ବର୍ଷର ବୃଦ୍ଧା

ବାଲିକୁଦା: ଯୋଜନାର ସୁଫଳ ପାଇବା ବାଟରେ କଣ୍ଟା ସାଜିଛି ଆଧାର। ଆଧାର ନଥିବାରୁ ବଡ଼ଚଣା ବ୍ଲକ ସାଉଡ଼ିଆ ପଞ୍ଚାୟତ ବାଲିକୁଦା ଗ୍ରାମର ୯୨ ବର୍ଷୀୟା ବୃଦ୍ଧା ଗୟା ଦଳାଇ ଭତ୍ତା ଓ ରାସନ ପାଇବାରୁ ବଞ୍ଚିତ ହୋଇଛନ୍ତି। ଗତ ୫ ମାସ ହେବ ଭତ୍ତା କି ରାସନ୍ ଚାଉଳ ତାଙ୍କ ମିଳୁନଥିବା ସେ କହିଛନ୍ତି। ତାଙ୍କର ଆଧାର ନଥିବାରୁ ବ୍ୟାଙ୍କରେ ଆକାଉଣ୍ଟ୍ ଖୋଲିବା ସମ୍ଭବ ହେଉନି। ସରକାର ହାତରେ ଭତ୍ତା ଟଙ୍କା ନଦେଇ ବ୍ୟାଙ୍କ ଖାତାରେ ଦେବାକୁ ନୂଆ ନିୟମ କରିଛନ୍ତି।

ଜମା ଖାତା ନଥିବାରୁ ତାଙ୍କର ଭତ୍ତା ଟଙ୍କା ଆସିପାରୁ ନାହିଁ। ସେହିଭଳି ପୂର୍ବରୁ ବିପିଏଲ ନଂ -୨୨୨୬୧୨/୯୭ ରେ ସେ ମାସକୁ ୨୫ କିଲୋ ଚାଉଳ ପାଉଥିଲେ। ନୂଆ ରାସନ୍ କାର୍ଡ ଆସିବା ପରେ ମାସକୁ ୫ କିଲୋ ଚାଉଳ ପାଇଲେ। ୨୦୨୦ ରେ ରାସନ୍ କାର୍ଡ ସହ ଆଧାର ସଂଯୋଗ କରିବା ବାଧ୍ୟତାମୂଳକ ହେବା ପରେ ତାଙ୍କର ଅଡ଼ୁଆ ଆରମ୍ଭ ହେଲା। ଗୟାଙ୍କ ଟିପ ଚିହ୍ନ ମେସିନ ନନେବାରୁ ଆଧାର ହୋଇପାରିଲା ନାହିଁ। ତେଣୁ ତାଙ୍କ ରାସନ୍ କାର୍ଡ ରଦ୍ଦ ହୋଇଗଲା। ମିଳୁଥିବା ୫ କିଲୋ ଚାଉଳ ମଧ୍ୟ ବନ୍ଦ ହୋଇଗଲା। ଏନେଇ ଗତ ମେ ମାସ ୧୨ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଯୋଗାଣ ନିରୀକ୍ଷକ ବିଶ୍ବଜିତ ମିଶ୍ର ବୃଦ୍ଧାଙ୍କ ଘରେ ପହଞ୍ଚି ତଦନ୍ତ କରିଥିଲେ। ୨୦୨୦ ଜୁଲାଇ ୧୬ରେ ତାଙ୍କୁ କାର୍ଡ ନଂ. ୧୩୦୧୩୧୧୧୧୯୮୯ ରେ ଅନ୍ନପୂର୍ଣ୍ଣା ଯୋଜନାରେ ସାମିଲ କରି ମାସକୁ ୧୦ କିଲୋ ଚାଉଳ ମାଗଣା ଦେବାର ବ୍ୟବସ୍ଥା କରିଥିଲେ।

ଭତ୍ତା ପାଉଥିବା ହିତାଧିକାରୀ ଅନ୍ନପୂର୍ଣ୍ଣା ଯୋଜନାରେ ସାମିଲ ହୋଇପାରିବେ ନାହିଁ ବୋଲି ସରକାର ଘୋଷଣା କରିବା ପରେ ବୃଦ୍ଧାଙ୍କ ଚାଉଳ ମଧ୍ୟ ବନ୍ଦ ହୋଇଯାଇଛି। ସ୍ବାମୀ ଓ ୪ ପୁଅଙ୍କୁ ହରାଇ ପୁତୁରାଙ୍କ ପାଖରେ ମୁଣ୍ଡ ଗୁଞ୍ଜିଛନ୍ତି। ପୁତୁରା ମଧ୍ୟ ଦିନ ମଜୁରିଆ ଶ୍ରେଣୀର। ପ୍ରଶାସନ ତୁରନ୍ତ ତାଙ୍କୁ ଭତ୍ତା ଓ ରାସନ ସାମଗ୍ରୀ ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର