ରାୟଗଡ଼ା: ୮୩୧ ଶିଶୁ ଅରେଞ୍ଜ, ୟେଲୋ ଜୋନରେ ଅଛନ୍ତି ୮୪୦୩। ୭ ଶିଶୁ ଅତ୍ୟନ୍ତ, ୧୨୪ ଶିଶୁ ମଧ୍ୟମ ଧରଣ କୁପୋଷଣର ଶିକାର ହୋଇଛନ୍ତି। ଗ୍ରିନ୍ ଜୋନରେ ୯୫୧୬୨ ଶିଶୁ ଥିବା ସତ୍ତ୍ବେ ୦ରୁ ୫ ବର୍ଷ ମଧ୍ୟରେ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ପୁଷ୍ଟିହୀନତାର ଶିକାର ଶିଶୁଙ୍କ ସଂଖ୍ୟା ୯୨୩୪। ଯାହା ଅତ୍ୟନ୍ତ ଉଦବେଗଜନକ।

Advertisment

୨୦୨୫ ସୁଦ୍ଧା କୁପୋଷଣ ଦୂର ପାଇଁ ଓଡ଼ିଶାରେ କାର୍ଯ୍ୟକାରୀ ହୋଇଛି ପୋଷଣ ତ୍ବରାନିତ ଅଭିଯାନ ‘ସୋପାନ’। ୨୦୨୧ ଅଗଷ୍ଟରୁ ଆରମ୍ଭ ହୋଇ ୨୦୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ସୋପାନ୍ ଯୋଜନାରେ କୁପୋଷଣ ଦୂର ଉପରେ ସରକାର ଗୁରୁତ୍ବାରୋପ କରିଥିବାରୁ ରାୟଗଡ଼ା ଜିଲ୍ଲା ଦୁର୍ଗମ ଇଲାକାରେ ଅପପୁଷ୍ଟି ହାର ଅଧିକ ଥିବା ୧୧୨ ସ୍ଥାନକୁ ଚିହ୍ନଟ କରି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଯାହାକୁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଅପପୁଷ୍ଟି ଶିକାର ଶିଶୁ ଓ ଗର୍ଭବତୀଙ୍କୁ ପୁଷ୍ଟିକେନ୍ଦ୍ର ମୁହାଁ କରି ପୋଷକତତ୍ତ୍ବ ଥିବା ଗରମ ରନ୍ଧା ଖାଦ୍ୟ, ଅଣ୍ଡା ପ୍ରଦାନ କରି କୁପୋଷଣରୁ ରକ୍ଷା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଯୋଜନା ଆରମ୍ଭକୁ ଇତି ମଧ୍ୟରେ ବିତିଲାଣି ବର୍ଷେ। ଅଥଚ ଆଜି ସୁଦ୍ଧା ଶତ ପ୍ରତିଶତ ଭାବେ ଅଙ୍ଗନବାଡ଼ି ତଥା ପୁଷ୍ଟି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରିନି। ଆଜି ସୁଦ୍ଧା ୨୦ ଅଙ୍ଗନବାଡ଼ିକେନ୍ଦ୍ରର ପରିଚାଳନା ପାଇଁ କୌଣସି କର୍ମୀ କିମ୍ବା ସହାୟିକା ନିଯୁକ୍ତି ହୋଇପାରିନାହାନ୍ତି।

ଅନ୍ୟପକ୍ଷରେ ଯୋଜନାରେ ଅର୍ନ୍ତଭୁକ୍ତ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଅନୁଦାନ ମିଳିନଥିବାରୁ ଭଡ଼ା ଘରେ, ଗଛ ମୂଳରେ ଚାଲିଛି କେନ୍ଦ୍ର। ଖାଦ୍ୟର ମାନ ବୃଦ୍ଧି ପାଇଁ ପ୍ରତି ସପ୍ତାହରେ ପ୍ରତି ସପ୍ତାହରେ ଘରକୁ ୩ଟି ଏବଂ ଗରମ ରନ୍ଧା ଖାଦ୍ୟରେ ୫ଟି ଅଣ୍ଡା ପ୍ରଦାନ କରାଯାଉଛି। କିନ୍ତୁ କେନ୍ଦ୍ରର ସ୍ଥାୟୀ ଗୃହ ନଥିବାରୁ ଗର୍ଭବତୀଙ୍କୁ ଖାଦ୍ୟ ସହିତ ଅନ୍ୟ ସାମଗ୍ରୀ ବଣ୍ଟନ, ମେଡ଼ିସିନ୍ ପ୍ରଦାନ, ଓଜନ ଯାଞ୍ଚରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଦାୟିତ୍ବରେ ଥିବା କର୍ମୀଙ୍କୁ। କାଶୀପୁର ବ୍ଲକର ୧୩, ଚନ୍ଦ୍ରପୁରର ୧୨, ବିଷମକଟକର ୧୧, ଗୁଡାରିର ୧୦, କଲ୍ୟାଣସିଂହପୁରର ୧୦, କୋଲନରାର ୧୦, ପଦ୍ମପୁରର ୧୦, ରାମନାଗୁଡ଼ାର ୧୦, ରାୟଗଡ଼ାର ୬, ଗୁଣପୁରର ୧୦, ମୁନିଗୁଡ଼ାର ୧୦ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଅନୁଦାନ ଆସିନଥିବାରୁ କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇପାରୁନି। ଆବଶ୍ୟକ କର୍ମଚାରୀ ନିଯୁକ୍ତି ହୋଇନଥିବାରୁ ମୁନିଗୁଡ଼ାର ୭ଟି, ବିଷମକଟକର ୩ଟି, ଗୁଡାରିର ୨ଟି, ପଦ୍ମପୁରର ଗୋଟିଏ, ଗୁଣପୁର ଗୋଟିଏ, କଲ୍ୟାଣସିଂହପୁରର ଗୋଟିଏ ଏପରି ଭାବେ ୨୦ ଅଙ୍ଗନବାଡ଼ି କେନ୍ଦ୍ର ଆରମ୍ଭ ହୋଇପାରିନି। ପର୍ଯ୍ୟାୟକ୍ରମେ ୯୨ ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି।

ମିଳିଥିବା ସୂଚନାନୁଯାୟୀ, ଜିଲ୍ଲାର କାଶୀପୁର ବ୍ଳକରେ ସର୍ବାଧିକ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ବ୍ଲକର ୧୭୨୨ ଶିଶୁ ୟେଲୋ, ୧୨୨ ଶିଶୁ ଅରେଞ୍ଜ, ରାୟଗଡ଼ା ସଦର ବ୍ଲକର ୧୫୫୭ ୟେଲୋ, ୧୩୪ ଅରେଞ୍ଜ,  ବିଷମକଟକ ବ୍ଲକର ୯୩୯ ଶିଶୁ ୟେଲୋ, ୧୨୭ ଅରେଞ୍ଜ ଜୋନ, ଚନ୍ଦ୍ରପୁରର ୨୫୧ ୟେଲୋ, ୨୩ ଅରେଞ୍ଜ, ଗୁଡାରିର ୪୧୯ ୟେଲୋ ୨୪ ଅରେଞ୍ଜ, ଗୁଣପୁରର ୭୧୮ ୟେଲୋ, ୫୯ ଅରେଞ୍ଜ, କଲ୍ୟାଣସିଂହପୁରର ୮୬୫ ୟେଲୋ, ୧୦୦ ଅରେଞ୍ଜ,  କୋଲନରାର ୭୩୮ ୟେଲୋ, ୮୭ ଅରେଞ୍ଜ,  ମୁନିଗୁଡ଼ାର ୭୪୨ ୟେଲୋ, ୯୯ ଅରେଞ୍ଜ, ପଦ୍ମପୁରରେ ୨୭୭ ୟେଲୋ, ୩୭ ଅରେଞ୍ଜ, ରାମନାଗୁଡାର ୧୭୫ ୟେଲୋ, ୧୯ ଅରେଞ୍ଜ ଜୋନରେ ଅଛନ୍ତି।