ଖୋର୍ଦ୍ଧା: ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ, ସଂସ୍କୃତ ବିଦ୍ୱାନ, ସାହିତ୍ୟିକ, ସମାଜ ସଂସ୍କାରକ, ଆସାମର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୨ତମ ଜୟନ୍ତୀ ପାଳିତ ହୋଇ ଯାଇଛି।

Advertisment

ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ଖୋର୍ଧାସ୍ଥିତ ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ୟାନ ପରିସରରେ ଥିବା ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଏଥିରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ପୂର୍ବତନ ବିଧାୟକ ଜିତୁ ମିତ୍ର, ସଞ୍ଜୟ ପଟ୍ଟନାୟକ, ଖୋର୍ଧା ଓକିଲ ସଂଘର ସଭାପତି ଶିଶିର ପରିଡ଼ା, ସୁବାସ ପାତ୍ର ଓ ଅନ୍ୟ ବହୁ ବୁଦ୍ଧିିିଜୀବୀ ଯୋଗ ଦେଇ ସ୍ୱର୍ଗତ ପଟ୍ଟନାୟକଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି।

ସେହିପରି ଆଜି ସକାଳେ ସ୍ୱର୍ଗତ ପଟ୍ଟନାୟକଙ୍କ ଜନ୍ମସ୍ଥାନ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ରାମେଶ୍ୱର ଠାରେ ମଧ୍ୟ ୯୨ତମ ଜୟନ୍ତୀ ପାଳିତ ହୋଇଛି। ଏଥିପାଇଁ ସକାଳେ ଏକ ମାରାଥନ ଦୌଡ଼ର ଆୟୋଜନ କରାଯାଇଥିଲା। ପରେ ସେଠାରେ ଜାନକୀବଲ୍ଲଭ ସ୍ମୃତି କମିଟି, ରାମେଶ୍ୱର ପକ୍ଷରୁ ଆୟୋଜିତ ସଭାରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି, ପ୍ରଫେସର ହରେକୃଷ୍ଣ ଶତପଥୀ ମୁଖ୍ୟବକ୍ତା ଓ ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ଶିକ୍ଷାବିତ ଦବ୍ୟସିଂହ ତ୍ରିପାଠୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ରାମେଶ୍ୱର ଜାନକୀବଲ୍ଲଭ ସ୍ମୃତି କମିଟିର ସଭାପତି ବିଶ୍ୱମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ବୀରବର ରଥ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ୱର୍ଗତ ଜାନକୀବଲ୍ଲଭଙ୍କ ଉପରେ ପ୍ରକାଶିତ ସ୍ମରଣୀକା ‘ତପୋବନ’କୁ ମୁଖ୍ୟଅତିିଥି ଶ୍ରୀ ପଟ୍ଟନାୟକ ଉନ୍ମୋଚନ କରିଥିଲେ।

publive-image

ସୂଚନାଯୋଗ୍ୟ ଯେ ୧୯୨୭ ମସିହା ଜାନୁଆରୀ ୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ୱରରେ ଗୋକୁଳାନନ୍ଦ ପଟ୍ଟନାୟକଙ୍କ କୋଳମଣ୍ଡନ କରିଥିଲେ ଯୋଗଜନ୍ମା ମହାନ ଜନନାୟକ ଜାନକୀବଲ୍ଲଭ ପଟ୍ଟନାୟକ। ସାଧାରଣ ମଧ୍ୟବିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ସ୍ୱୀୟ ନିଷ୍ଠା ଓ ପ୍ରତିଭା ବଳରେ ସେ ସଫଳତାର ଶୀର୍ଷସ୍ଥାନ ଛୁଇଁ ପାରିଥିଲେ। ଜାନକୀବଲ୍ଲବ ପଟ୍ଟନାୟକ ଥିଲେ ଏକାଧାରରେ ସମ୍ପାଦକ, ସାରସ୍ୱତ ସାଧକ ,ସଂସ୍କୃତ ବିଦ୍ୱାନ ଓ ପ୍ରବୀଣ ରାଜନୀତିଜ୍ଞ। ୧୯୪୯ ମସିହାରେ ପ୍ରଜାତନ୍ତ୍ରର ପ୍ରଚାର ସମିତିରେ ଯୋଗ ଦେଇ ତରୁଣ ବୟସରେ ପ୍ରଜାତନ୍ତ୍ରର ସମ୍ପାଦକ ହୋଇ ପାରିଥିଲେ। ୧୯୭୧ରେ ଲୋକସଭାକୁ ନିର୍ବାଚିତ ହୋଇ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ଉପମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିବା ସହିତ ତିନି ତିନି ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନିଜ ରାଜନୈତିକ ପରିପକ୍ୱତାର ନିଦର୍ଶନ ଦେଇଥିଲେ ସ୍ୱର୍ଗତ ପଟ୍ଟନାୟକ। ଆସାମର ରାଜ୍ୟପାଳଭାବେ ସେ ବହୁ ସଂସ୍କାରମୂଳକ କାର୍ଯ୍ୟ କରି ବେଶ୍‌ ଲୋକପ୍ରିୟ ହୋଇ ପାରିଥିଲେ।

ମାସିକ ପତ୍ରିକା ‘ପୌରୁଷ’ର ସମ୍ପାଦନା ସହିତ ଗୌତମ ବୁଦ୍ଧ, ସିନ୍ଧୁ ଉପତ୍ୟକା, ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ, ସ୍ୱପ୍ନ ଓ ସଙ୍କଳ୍ପ ଆଦି ତାଙ୍କର ସାହିତ୍ୟ ସାଧନାର ଗୋଟିଏ ଗୋଟିଏ ସ୍ତବକ ମାତ୍ର। ମହାକାବ୍ୟ ରାମାୟଣ ଓ ମହାଭାରତର ପୁର୍ନଲିଖନ ସହିତ ସଂସ୍କୃତ ଶ୍ରୀମଦ୍‌ ଭଗବତର ସମ୍ପୂର୍ଣ୍ଣ ଗଦ୍ୟାନୁବାଦ ତାଙ୍କୁ ଓଡ଼ିଆ ସାରସ୍ୱତ ଜଗତରେ ଅମର କରି ରଖିବ। ଭର୍ତ୍ତୃହରିଙ୍କ ନୀତିଶତକ, ଶୃଙ୍ଗାର ଶତକ ଓ ବୈରାଗ୍ୟ ଶତକ ସଂସ୍କୃତ ଗ୍ରନ୍ଥକୁ ସେ କାବ୍ୟିକ ଅନୁବାଦ କରିଛନ୍ତି । ବୈରାଗ୍ୟ ଶତକ ପାଇଁ ତାଙ୍କୁ ମିଳିଥିଲା ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର । ୨୦୧୫ ଏପ୍ରିଲ ୨୧ ତାରିଖରେ, ଅକ୍ଷୟ ତୃତୀୟା ପରି ପବିତ୍ର ଦିନରେ ଏହି ଯୋଗଜନ୍ମା ଜନନାୟକ ଆମ ଗହଣରୁ ବିଦାୟ ନେଇଥିଲେ ହେଁ ତାଙ୍କ କୃତି ଓ କୀର୍ତ୍ତୀ ପାଇଁ ସେ ସବୁଦିନ ଅବିସ୍ମରଣୀୟ ରହିବେ।