୯୪ କେଜି ଗଞ୍ଜେଇ ଜବତ, ୨ ଗିରଫ

ସୋନପୁର : ସୋନପୁର ପୁଲିସ ମଙ୍ଗଳବାର ଚଢ଼ଉ କରି ୯୪ କେଜି ୧୪୦ ଗ୍ରାମ ଗଞ୍ଜେଇ ଜବତ୍ କରିବା ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ଏସ୍‌ପି ସୀତାରାମ ଶତପଥୀ ବୁଧବାର ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସବିଶେଷ ସୂଚନା ଦେଇଛନ୍ତି। ସୂଚନା ଅନୁଯାଇ ଏସ୍‌ଆଇ ଅବିନାଶ ପ୍ରଧାନଙ୍କ ନେତୃତ୍ବରେ ପୁଲିସ ଟିମ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ପାଟ୍ରୋଲିଂ କରୁଥିବା ସମୟରେ ମଙ୍ଗଳବାର ସକାଳୁ ଗୋଟିଏ ଲାଲ ରଙ୍ଗର ହୁଣ୍ଡାଇ ଆଇ୨୦ କାର୍‌ (ଓଡି-୦୫-ଏଏଚ-୫୧୯୯) ମନମୁଣ୍ଡା ପଟରୁ ସୋନପୁର ପଟକୁ ଦ୍ରୁତ ବେଗରେ ଆସୁଥିଲା ବେଳେ ତାକୁ ପୁଲିସ ଟିମ୍ କୁଞ୍ଜ ଛକ ନିକଟରେ ଅଟାକଇଥିଲେ। ଏହାପରେ ଏକଜ୍ୟୁକିଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚ ସମୟରେ ଉକ୍ତ କାରରୁ ୪ଟି ଜରି ବସ୍ତାରେ ୯୪ କେଜି ୧୪୦ ଗ୍ରାମ ଗଞ୍ଜେଇ ବାହାରିଥିଲା ଯାହାକୁ ପୁଲିସ ଜବତ କରିଛି।

ଏହି ଘଟଣାରେ ସୋନପୁର ପୁଲିସ କଟକ ଜିଲ୍ଲା ଜଗତପୁର ଥାନା ପୂର୍ବକଚ ଗ୍ରାମର ରାଜେନ୍ଦ୍ର ଓରଫ ଟୁବୁଲା ପଣ୍ଡା(୨୯) ଏବଂ ମିଟୁ ଓରଫ ମୋହନ ସାହୁ(୩୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନଙ୍କଠାରୁ ବ୍ୟବହୃତ କାର୍‌, ଗୋଟିଏ ମୋବାଇଲ, ଗୋଟିଏ ଏଟିଏମ୍‌ କାର୍ଡ, ଗୋଟିଏ ପାନ୍‌କାର୍ଡ, ୧ ଲକ୍ଷ ୨୪ ହଜାର ୭୧୦ ଟଙ୍କା ପୁଲିସ ଜବତ କରିଛି। ତଦନ୍ତ ସମୟରେ ଜଣାପଡ଼ିଛି ଯେ ଅଭିଯୁକ୍ତ ଦ୍ବୟ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଦପଲା ଗ୍ରାମରୁ ଗଞ୍ଜେଇ କ୍ରୟ କରି ସମ୍ବଲପୁର ଜିଲ୍ଲା ରେଢାଖୋଲ ଦେଇ କଟକ ଚାଲାଣ କରୁଥିଲେ। ଏହି ଘଟଣାରେ ସୋନପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ସୋନପୁର ଆଇଆଇସି ପୁଷ୍ପେନ୍ଦୁ ସାଗର ଏହି ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର