ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅଂଚଳର ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ନିଜ ବ୍ୟାଙ୍କ ଜମାଖାତାର ଡେବିଟ୍ କାର୍ଡ଼ କୋରିୟର୍ ମାଧ୍ୟମରେ ଆସିବାରେ ବିଳମ୍ବ ହେବାରୁ ସେସମ୍ପର୍କରେ ଜାଣିବା ପାଇଁ ଗୁଗୁଲ୍ ସର୍ଚ୍ଚ ଇଂଜିନ୍ରୁ କଷ୍ଟମର୍ କେୟାର୍ ନମ୍ବର ଖୋଜି ବାହାର କରି ସେହି ନମ୍ବରରେ ଫୋନ୍ କରିବା ପରେ ସାଇବର୍ ଠକ ହାବୁଡ଼ରେ ପଡ଼ିଯାଇଥିଲେ। ତାଙ୍କ ବ୍ୟାଙ୍କ ଜମାଖାତାରୁ ତିନିଥରରେ ମୋଟ ୯୪, ୮୯୧ଟଙ୍କା ଠକ ଜଣକ ଅନ୍ଲାଇନ୍ରେ ଲୁଟି ନେଇଥିବା ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା (କେସ୍ ନମ୍ବର ୨୧/୨୦୨୩) ରୁଜୁ କରି ଏହାର ତଦନ୍ତ କରୁଛି।
ସୂଚନା ମୁତାବକ, ଯୁବକ ଜଣକ ଆକ୍ସିସ୍ ବ୍ୟାଙ୍କରେ ଥିବା ନିଜ ଜମାଖାତାର ଡେବିଟ୍ କାର୍ଡ଼ ପାଇଁ ଆବେଦନ କରିଥିଲେ। ତାହା ଏକ କୋରିୟର୍ ସଂସ୍ଥା ମାଧ୍ୟମରେ ଗତ ୭ତାରିଖ ସୁଦ୍ଧା ଆସିବାର ଥିଲା। କିନ୍ତୁ ଏଥିରେ ବିଳମ୍ବ ହେବାରୁ ଯୁବକ ଜଣକ ଗତ ୮ତାରିଖ ସକାଳେ ଗୁଗୁଲ୍ ସର୍ଚ୍ଚ ଇଂଜିନ୍ରୁ ଉକ୍ତ କୋରିୟର୍ କମ୍ପାନିର କଷ୍ଟମର୍ କେୟାର୍ ନମ୍ବର ଖୋଜିଥିଲେ। ସେଥିରେ ଉପଲବ୍ଧ ଥିବା ଏକ ଫୋନ୍ ନମ୍ବରକୁ ଯୋଗାଯୋଗ କରିବାରୁ, ଜଣେ ଅଜଣା ବ୍ୟକ୍ତି ତାଙ୍କ ସହ କଥା ହୋଇ ବିଶ୍ବାସ ଜନ୍ମାଇଥିଲା। ସେହି ବ୍ୟକ୍ତି ଜଣକ ବ୍ୟାଙ୍କ ଆକାଉଣ୍ଟକୁ ନିଶ୍ଚିତ କରିବା ପାଇଁ ଫୋନ୍ପେ ମାଧ୍ୟମରେ ପଠାଇଥିବା କୋର୍ଡ଼କୁ ସେୟାର୍ କରିବାକୁ କହିଥିଲା। ଯୁବକ ଜଣକ ତିନିଥର ନିଜ ପାଖକୁ ଆସିଥିବା କୋଡ୍ ଗୁଡ଼ିକୁ ସେୟାର୍ କରିଥିଲେ। କିନ୍ତୁ ବ୍ୟାଙ୍କ ଆକାଉଣ୍ଟ ଯାଂଚ କରିବାରୁ, ପ୍ରଥମ ଥର ୨୪,୯୯୮ଟଙ୍କା, ଦ୍ବିତୀୟ ଥର ୪୯,୭୭୦ଟଙ୍କା ଏବଂ ଶେଷଥର ୨୦,୧୨୩ଟଙ୍କା ଏଭଳି ମୋଟ ୯୪,୮୯୧ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ସ୍ଥାନାନ୍ତର ହୋଇଥିବା ଜାଣିବାକୁ ପାଇଥିଲେ।
ପୁଣିଥରେ ସେହି ଅଜଣା ଦୁର୍ବୃତ୍ତ ଫୋନ୍ କରି ବ୍ୟାଙ୍କ ଆକାଉଣ୍ଟରୁ କଟିଥିବା ସମସ୍ତ ଟଙ୍କା ଫେରିପାଇବା ପାଇଁ ସେ ପଠାଇଥିବା କୋର୍ଡ଼କୁ ସେୟାର୍ କରିବାକୁ କହିଥିଲା। କିନ୍ତୁ ଠକାମିର ଶିକାର ହୋଇଥିବା ଅନୁଭବ କରି ଯୁବକ ଜଣକ କୋଡ୍ ସେୟାର୍ କରିନଥିଲେ। ଏନେଇ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରି ନିଜର ଟଙ୍କା ଫେରି ପାଇବା ପାଇଁ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ।