ରାୟଗଡ଼ା ବନଖଣ୍ଡରୁ ୯୪ ହାତୀ ନିଖୋଜ, ୧୦୨ ବଦଳରେ ଅଛନ୍ତି ମାତ୍ର ୮

ରାୟଗଡ଼ା: ରାୟଗଡ଼ା ବନଖଣ୍ଡରୁ ୯୪ ହାତୀଙ୍କ ପତ୍ତା ମିଳୁନି। ୧୦୨ ବଦଳରେ ଏବେ ଅଛନ୍ତି ମାତ୍ର ୮ଟି। ତାହା ପୁଣି କେବେ ରାୟଗଡ଼ା ତ କେବେ କନ୍ଧମାଳରେ ଘୂରି ବୁଲୁଛନ୍ତି। ବର୍ଷର କିଛି ମାସକୁ ଛାଡ଼ିଲେ ଏହି ହାତୀପଲ କେଉଁଠି ରହୁଛନ୍ତି ତାହା ବନ ବିଭାଗକୁ ମଧ୍ୟ ମାଲୁମ୍ ନାହିଁ। ଏପଟେ କିନ୍ତୁ ପଡ଼ୋଶୀ ରାଜ୍ୟ ଓ ଜିଲ୍ଲାର ହାତୀପଲଙ୍କ ଦୌରାତ୍ମ୍ୟରେ ନାକେଦମ୍ ହୋଇ ପଡ଼ୁଛନ୍ତି ଜିଲ୍ଲାବାସୀ।
ରାଜ୍ୟ ସରକାରଙ୍କ ୧୯୭୯ ହାତୀ ଗଣନା ରିପୋର୍ଟ ଅନୁଯାୟୀ ରାୟଗଡ଼ା ଜଙ୍ଗଲରେ ୧୦୨ ହାତୀ ଥିଲେ। ୧୯୯୯ ଗଣନା ବେଳକୁ ହାତୀ ସଂଖ୍ୟା ୧୦କୁ ଖସି ଆସିଥିଲା। ୨୦ ବର୍ଷ ମଧ୍ୟରେ ୯୨ ହାତୀ ରାୟଗଡ଼ା ଜଙ୍ଗଲରୁ ନି‌ଖୋଜ ହୋଇ ଯାଇଥିଲେ। ଏହି ସମୟ ମଧ୍ୟରେ ୯୨ ହାତୀ ପଡ଼ୋଶୀ ଜିଲ୍ଲା କିମ୍ବା ରାଜ୍ୟକୁ ଚାଲିଗଲେ ନାଁ ପ୍ରାଣ ହରାଇଲେ କଲେ ତାର କୌଣସି ସୂଚନା ବନ ବିଭାଗ ପାଖରେ ନାହିଁ। ୨୦୦୭ ଗଣନା ବେଳକୁ ସଂଖ୍ୟା ବୃଦ୍ଧି ପାଇ ୨୪ରେ ପହଞ୍ଚିଥିଲା।

୨୦୧୦ରେ ପୁଣି ହ୍ରାସ ପାଇ ହାତୀ ସଂଖ୍ୟା ୧୨, ୨୦୧୨ରେ ୪, ୨୦୧୫ରେ ୯ ଏବଂ ୨୦୨୯ରେ ୮ରେ ସୀମିତ ରହିଛି। ୮ଟି ହାତୀ ଏବେ ଗୁଡ଼ାରି ରେଞ୍ଜର ଶ୍ରଦ୍ଧାପୁର ଅଞ୍ଚଳରେ ଅଛନ୍ତି। ଗୁଡାରି-ଚନ୍ଦ୍ରପୁର ଜଙ୍ଗଲକୁ ଛାଡ଼ିଲେ ଏହି ହାତୀ ପଲ ଅନ୍ୟ କୁଆଡ଼େ ଯାଉନଥିବା ବେଳେ ଆନ୍ଧ୍ର-ଓଡ଼ିଶା ସୀମା ରାୟଗଡ଼ା ଜଙ୍ଗଲରେ ଆନ୍ଧ୍ର ହାତୀ ପଲ, ମୁନିଗୁଡ଼ାରେ କନ୍ଧମାଳ ଏବଂ ନିୟମଗିରିରେ କଳାହାଣ୍ଡି ହାତୀପଲ ଦୌରାତ୍ମ୍ୟ ଜାରି ରଖିଛନ୍ତି। ବିଶିଷ୍ଟ ପରିବେଶପ୍ରେମୀ ତଥା ଅବ‌ୈତନିକ ଜିଲ୍ଲା ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଗୌରାଙ୍ଗ ରାଉତଙ୍କ କହିବାନୁଯାୟୀ, ଏକଦା ବଣକଦଳୀ, ବାଉଁଶ, ମହୁଲ ଖାଇବାକୁ ଘୂରି ବୁଲୁଥିଲେ ହାତୀପଲ। ଘଞ୍ଚ ଜଙ୍ଗଲ ପାଇଁ ମାସ ମାସ ଧରି ନିୟମଗିରିରେ ପଡ଼ି ରହୁଥିଲେ। ଏବେ କିନ୍ତୁ ଜିଲ୍ଲାରେ ହାତୀ କ୍ରମାଗତ ଭାବେ ହ୍ରାସ ପାଇ ହାତ ଗଣତି ରହିଯାଇଛନ୍ତି।

ସମ୍ବନ୍ଧିତ ଖବର