୯୫ ପ୍ରତିଶତ ମୁଖ ଗହ୍ବର କର୍କଟର ମୁଖ୍ୟ କାରଣ ତମାଖୁ ସେବନ

ଭୁବନେଶ୍ୱର : ଗୁଟ୍‌ଖା ଓ ପାନ ଆଦି ଚୋବାଇ ଖାଉଥିବା ଅଧିକାଂଶ ବ୍ୟକ୍ତି ମୁଖଗହ୍ବର କର୍କଟରେ ପୀଡ଼ିତ ହେଉଥିଲେ ହେଁ ଏହାର ବ୍ୟବହାର ବଢ଼ି ବଢ଼ି ଚାଲିଛି। ଗୁଟ୍‌ଖା ସମ୍ପୂର୍ଣ୍ଣ ବ୍ୟାନ୍‌ ହୋଇଥିଲେ ହେଁ ନା ଏହାର ବିକ୍ରିବଟାରେ ରୋକ୍‌ ଲାଗିଛି, ନା ଏହାର ବ୍ୟବହାର ହ୍ରାସ ପାଉଛି।

ଧୂମପାନ ସେବନ (ସ୍ମୋକ୍‌ଲେସ୍‌)ରେ ଓଡ଼ିଶା ଜାତୀୟ ହାରଠୁ ସବୁବେଳେ ଅଧିକ ରହି ଆସିଛି। ଗତ କିଛି ବର୍ଷ ତଳର ତଥ୍ୟ ମୁତାବକ, ସ୍ମୋକ୍‌ଲେସ୍‌ ଧୂମପାନରେ ଜାତୀୟ ହାର ୨୧.୪ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୪୨.୯ପ୍ରତିଶତ ଥିଲା। ସେମାନଙ୍କ ମଧ୍ୟରେ ୮.୬ ପ୍ରତିଶତ ପାନ, ୧୬.୯ ପ୍ରତିଶତ ଖଇନି, ୯.୪ ପ୍ରତିଶତ ଗୁଟ୍‌ଖା ଓ ୮.୬ ପ୍ରତିଶତ ପାନ ମସଲା ସେବନ କରନ୍ତି। ଆଇନ ହେଉଛି, ସଚେତନତା ବି କରାଯାଉଛି। ଏହା ସତ୍ତ୍ବେ ଗୁଟ୍‌ଖା, ପାନ, ଗୁଡ଼ାଖୁ, ବିଡ଼ି, ସିଗାରେଟ୍‌ର ସେବନରେ ନିୟନ୍ତ୍ରଣ ଆସିପାରୁନାହିଁ।

ଏହା ଯୋଗୁଁ କେବଳ କର୍କଟରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରାଣହାନି ହେଉନାହିଁ, ବରଂ ସମ୍ପୃକ୍ତ ବ୍ୟକ୍ତିଙ୍କ ସଂସାର ଉଜୁଡ଼ି ଯାଉଛି। ତମାଖୁ ସେବନ ଯୋଗୁଁ ଦେଶରେ ପ୍ରତିବର୍ଷ ପ୍ରାୟ ୮ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ଯାହାକି ଯକ୍ଷ୍ମା, ଏଡ୍‌ସ ଓ ମ୍ୟାଲେରିଆ ରୋଗ ଜନିତ ମୃତ୍ୟୁଠାରୁ ଯଥେଷ୍ଟ ଅଧିକ। ୯୫ ପ୍ରତିଶତ ମୁଖ ଗହ୍ବର କର୍କଟର ମୁଖ୍ୟ କାରଣ ତମାଖୁ ହୋଇଥିବା ବେଳେ ଏହି କର୍କଟରେ ଆକ୍ରାନ୍ତ ଲୋକମାନଙ୍କ ସଂଖ୍ୟା ଭାରତରେ ସର୍ବାଧିକ ବୋଲି ଜଣାପଡ଼ିଛି। ତମାଖୁରେ ୭ ହଜାରରୁ ଅଧିକ ବିଷାକ୍ତ ପଦାର୍ଥ ରହିଥାଏ। ତହିଁରୁ ୬୦ଟି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ। ତମାଖୁ ସେବନ ଦ୍ବାରା ମୁଖ୍ୟତଃ ଫୁସଫୁସ, ମୁଖ ଗହ୍ବର, ଜିଭ, ବାକ୍ ଯନ୍ତ୍ର ଓ ମୁତ୍ରାଶୟରେ କର୍କଟ ରୋଗ ଦେଖାଦେଇଥାଏ। ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟ ଓ ଜୀବନ ଉପରେ ପ୍ରଭାବ ପକାଇଥାଏ। ଗର୍ଭପାତ, ସମୟ ପୂର୍ବରୁ ଜନ୍ମ ଓ ମୃତ ଛୁଆ ମଧ୍ୟ ଜନ୍ମ ହେବାର ଆଶଙ୍କା ରହିଛି।

ଅପରପକ୍ଷେ ତମାଖୁ ନିୟନ୍ତ୍ରଣ ପାଇଁ ସିଗାରେଟ୍‌ ଓ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଆଇନ ବା କୋଟ୍‌ପା ରହିଛି। ତେବେ ଏହା ରାଜ୍ୟରେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିବା ଦିଗରେ ବିଫଳ। ଗତ ବର୍ଷକ ମଧ୍ୟରେ ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ଧୂମପାନ କରିବା, ବିଦ୍ୟାଳୟଠାରୁ ୧୦୦ମିଟର ଦୂରରେ ତମାଖୁ ଦୋକାନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପ୍ରାୟ ୫ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି। ଚାରିଆଡ଼େ ଖୁଲମଖୁଲା ଭାବେ ଗୁଟ୍‌ଖା ବିକ୍ରି ଚାଲିଥିଲେ ହେଁ ନିୟମିତ ଚଢ଼ଉର ଅଭାବ ଯୋଗୁଁ ଦୋକାନୀ ଓ ବେଆଇନ ଭାବେ ଗୁଟ୍‌ଖା କାରବାର ବୃଦ୍ଧି ପାଉଛି। ସର୍ବସାଧାରଣରେ ଧୂମପାନ ପାଇଁ ଯେତିକି ଜରିମାନା ରହିଛି, ତାହା ଯଥେଷ୍ଟ ନୁହେଁ। ତେଣୁ ଲୋକମାନେ ଏହାକୁ ଖାତିର କରୁନାହାନ୍ତି। କେବଳ ଲୋକେ ସଚେତନ ହେଲେ ହିଁ ରାଜ୍ୟରେ ତମାଖୁର ବ୍ୟବହାର କମି ପାରିବ।

କ୍ୟାନ୍ସର୍‌ ପ୍ରତିରୋଧ ପାଇଁ ୭ଟି ଅଭ୍ୟାସ
ଧୂମପାନ କରନ୍ତୁ ନାହିଁ
ଚର୍ମକୁ ସୂର୍ଯ୍ୟଠୁ ଯଥାସମ୍ଭବ ଦୂରେଇ ରଖନ୍ତୁ
ସୁସ୍ଥକର ଖାଦ୍ୟ ଖାଆନ୍ତୁ
ଓଜନ ବଢ଼ିବାକୁ ଦିଅନ୍ତୁ ନାହିଁ ଏବଂ ଶାରୀରିକ ଭାବେ ସକ୍ରିୟ ରୁହନ୍ତୁ
ସୁରକ୍ଷିତ ଯୌନ ସମ୍ପର୍କ ରକ୍ଷା କରନ୍ତୁ
ରୋଗ ପ୍ରତିରୋଧକ କ୍ଷମତାକୁ ବଜାୟ ରଖନ୍ତୁ
ନିଜ ପରିବାରର ସ୍ବାସ୍ଥ୍ୟ ଇତିହାସ ଜାଣନ୍ତୁ ଓ ନିୟମିତ କ୍ୟାନ୍ସର ପରୀକ୍ଷା କରାଇ ନିଅନ୍ତୁ

ସମ୍ବନ୍ଧିତ ଖବର