କଲେଜରେ ୯୫ ହଜାର ସିଟ୍‌ ଖାଲି : ସ୍ନାତକରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ, ଗୋଟିଏ ଦିନ ବଢ଼ାଗଲା ନାମଲେଖା ସମୟସୀମା

ଭୁବନେଶ୍ବର : ସ୍ନାତକ ପାଠ୍ୟକ୍ରମରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ। ଯୁକ୍ତ୨ ପାସ୍‌ କରିବା ପରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପଢ଼ିବା ଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଉ ଆଗଭଳି ଆଗ୍ରହ ଦେଖିବାକୁ ମିଳୁନି। ଯୁକ୍ତ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏଭଳି ଏକ ତଥ୍ୟ ପଦାକୁ ଆସିଛି। ଆଜି ଶେଷ ହେଉଥିବା ନାମଲେଖା ପରେ ବି ସ୍ନାତକରେ ୯୫ହଜାର ସିଟ୍‌ ଖାଲି ରହିଛି। କେତେକ କଲେଜରେ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା ଦୁଇ ଅଙ୍କ ଛୁଇଁ ନ ଥିବା ବେଳେ ଆଉ କେତେକ କଲେଜରେ ଛାତ୍ରଛାତ୍ରୀ ଚୟନ ହୋଇ ମଧ୍ୟ ନାମ ଲେଖାଇ ନାହାନ୍ତି। ଏଥର ସ୍ଥିତି ଏମିତି ହୋଇଛି ଯେ ପ୍ରତିବର୍ଷଠାରୁ ଅଧିକ ସିଟ୍‌ ଖାଲି ପଡ଼ିବାର ଆଶଙ୍କା ପ୍ରକାଶ ପାଇଛି। ଗୋଟିଏ ପଟେ ସଂସ୍କାର ନାଁରେ ଉଚ୍ଚଶିକ୍ଷା ବିଭାଗ ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ଏଭଳି ଭୟଙ୍କର ସ୍ଥିତି ଉପୁଜିଥିବାରୁ ଶିକ୍ଷାବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି।

ବିଗତ ୩ ବର୍ଷର ତଥ୍ୟ ଉପରେ ନଜର ପକାଇଲେ, ପିଲା ଅଭାବରୁ ପ୍ରାୟ ୨୨ଟି ସ୍ନାତକ କଲେଜରେ ତାଲା ପଡ଼ିଛି। ଏ ବର୍ଷ ବି କିଛି କଲେଜରେ ନାମଲେଖା ବନ୍ଦ ହୋଇଛି। ଏବେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି, ଆଗକୁ ଆଉ କେତେକ କଲେଜରେ ତାଲା ପଡ଼ିବାର ଆଶଙ୍କା ଦେଖାଦେଇଛି। ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍‌ ତଥ୍ୟ କହୁଛି, ରାଜ୍ୟରେ ଥିବା ୧୦୪୭ ଯୁକ୍ତ ୩ କଲେଜରେ ୨ ଲକ୍ଷ ୪୩ ହଜାର ୨୭୪ ସିଟ୍‌ ରହିଛି। ୨୦୧୯-୨୦ ଶିକ୍ଷାବର୍ଷରେ ନାମଲେଖା ଲାଗି ୨ ଲକ୍ଷ ୧୦ ହଜାର ୪୪୬ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୮୮ ହଜାର ୨୨୨ଜଣ ମନୋନୀତ ହୋଇଥିବା ବେଳେ ଆଜି ସୁଦ୍ଧା ୧ ଲକ୍ଷ ୪୮ ହଜାର ୧୨୮ ସିଟ୍‌ରେ ନାମଲେଖା ହୋଇଛି। ପ୍ରଥମ ପର୍ଯ୍ୟାୟରେ ଡକାଯାଇଥିବା ଆହୁରି ୪୦ ହଜାର ଛାତ୍ରଛାତ୍ରୀ ନାମ ଲେଖାଇ ନାହାନ୍ତି। କଳା ବିଭାଗରେ ୧ଲକ୍ଷ ୧୩ ହଜାର ୬୬୮ଜଣଙ୍କୁ ନାମଲେଖା ପାଇଁ ଡକାଯାଇଥିବା ବେଳେ ଫିଜିକାଲ ସାଇନ୍ସରେ ୨୯ ହଜାର ୨୯୪, ବାୟୋଲୋଜିକାଲ ସାଇନ୍ସରେ ୨୧ ହଜାର ୫୯୭, ବାଣିଜ୍ୟରେ ୧୮ ହଜାର ୬୨୪, ସ˚ସ୍କୃତରେ ୩ ହଜାର ୭୬୫ ଓ ସେଲ୍ଫ ଫାଇନାନ୍ସି˚ରେ ୧ ହଜାର ୨୭୪ ଜଣ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବା ପାଇଁ ମନୋନୀତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ କଳା ବିଭାଗରେ ୯୨ ହଜାର ୫୪୯ ଜଣ, ଫିଜିକାଲ ସାଇନ୍ସରେ ୨୨ ହଜାର ୫୪୩, ବାୟୋଲୋଜିକାଲ ସାଇନ୍ସରେ ୧୬ ହଜାର ୫୯୪, ବାଣିଜ୍ୟ ବିଭାଗରେ ୧୫ ହଜାର ୬୨୭ ଓ ସେଲ୍ଫ ଫାଇନାନ୍ସିଂରେ ୮୧୫ ଜଣ ନାମ ଲେଖାଇଛନ୍ତି।

ଯୁକ୍ତ ୩ କଲେଜରେ ନାମଲେଖା ପାଇଁ ଗତବର୍ଷ ତୁଳନାରେ ଏଥର କମ୍‌ ପିଲା ଆବେଦନ କରିଛନ୍ତି। ୨୦୧୮-୧୯ରେ ୨ ଲକ୍ଷ ୨୧ ହଜାର ୨୮୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୮୮ ହଜାର ୯୬୦ ଜଣ ମନୋନୀତ ହୋଇଥିଲେ। ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେଇଥିବା ଅଧିକାଂଶ ଛାତ୍ରଛାତ୍ରୀ ସ୍ନାତକ ପଢ଼ିବାକୁ ଚାହିଁନାହାନ୍ତି। ମାତ୍ର ୧ ଲକ୍ଷ ୬୯ ହଜାର ୪୧୯ ଜଣ ଯୁକ୍ତ୩ରେ ନାମଲେଖା ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୫୦ ହଜାର ୯୩୯ ଜଣ ନାମଲେଖା ପାଇଁ ମନୋନୀତ ହୋଇଥିଲେ।

ଅନ୍ୟପକ୍ଷରେ ଯୁକ୍ତ ୩/ସ୍ବୟ˚ଶାସିତ କଲେଜ, ସେଲ୍ଫ ଫାଇନାନ୍ସି˚(ଡିଗ୍ରି) କଲେଜ/ସ˚ସ୍କୃତ(ଶସ୍ତ୍ରୀ) କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟସୀମାକୁ ବୃଦ୍ଧି କରାଯାଇଛି। ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ପ୍ରକାଶ ପାଇଥିବା ଯୋଗ୍ୟ ଛାତ୍ରଛାତ୍ରୀମାନେ ଜୁଲାଇ ୨୫ ତାରିଖ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ନାମ ଲେଖାଇପାରିବେ। ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଫି’ ଦାଖଲ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ଅଗଷ୍ଟ ୫ରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତଥା କଟ୍‌-ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅଗଷ୍ଟ ୬ରୁ ୧୧ ମଧ୍ୟରେ ହେବ। ବଳକା ସିଟ୍‌ ଲାଗି ଅଗଷ୍ଟ ୧୪ରେ ସ୍ପଟ୍‌ ସିଲେକ୍ସନ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବା ସହ ଅଗଷ୍ଟ ୧୭ରେ ନାମଲେଖା ହେବ। ଅଗଷ୍ଟ ୮ରୁ ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ଅଗଷ୍ଟ ୨୪ରୁ ଡ୍ରେସ୍‌କୋଡ୍‌ ଲାଗୁ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର