୯୫ ବର୍ଷର କୋଭିଡ୍ ହିରୋ ଉଦୟ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ରେଡ୍‌କ୍ରସ୍ ପାଣ୍ଠିରୁ ୫ହଜାର ସହାୟତା, ଉଦ‌ୟ ହେଉଛନ୍ତି କୋଭିଡ୍ ହିରୋ: ଜିଲ୍ଲାପାଳ

ବ୍ରହ୍ମପୁର/ଛତ୍ରପୁର: ବୟସ ୯୫ ବର୍ଷ। କିନ୍ତୁ ସେ ଜୀବନ ଯୁଦ୍ଧରେ ହାର୍‌ ମାନି ନାହାନ୍ତି। ଆଉ କରୋନା ଭଳି ଭୟଙ୍କର ମହାମାରୀକୁ ହରାଇ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଓ ଧୈର୍ଯ୍ୟ ବଳରେ ଅସାଧ୍ୟକୁ ବି ସାଧ୍ୟ କରିବା ସମ୍ଭବ ବୋଲି ପ୍ରମାଣ କରି ଦେଖାଇଛନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି, ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍‌ ଅନ୍ତର୍ଗତ ଚାକୁଣ୍ଡା ଗ୍ରାମର ଉଦୟନାଥ ବିଶୋୟୀ। ବୟସର ସାୟାହ୍ନରେ କରୋନା କବଳରୁ ନିଜକୁ ମୁକ୍ତ କରିବାରେ ସେ ସଫଳ ହୋଇଛନ୍ତି। ଏଥିପାଇଁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦୟନାଥକୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇବା ସହ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଧ୍ୟ ଉଦୟନାଥଙ୍କୁ ‌କୋଭିଡ୍ ହିରୋ ବୋଲି କହି ତାଙ୍କ ଧୈର୍ଯ୍ୟ ଓ ସାହସକୁ ପ୍ରଶଂସା କରିଛନ୍ତି। ଡାକ୍ତର ମାନଙ୍କ ଉତ୍ସର୍ଗୀକୃତ ସେବାର ଏହା ନିଦର୍ଶନ ବୋଲି ଟ୍ବିଟ୍ କରି କହିଛନ୍ତି।

ସେହିପରି ବ୍ଲକ୍ ପ୍ରଶାସନ ପକ୍ଷରୁ ତାଙ୍କୁ ରେଡ୍‌କ୍ରସ୍ ପାଣ୍ଠିରୁ ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସୋରଡା ବିଡିଓ ସୀମାଞ୍ଚଳ ମଣ୍ଡଳ ଆଜି ଉଦୟନାଥଙ୍କ ଘରକୁ ଯାଇ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ‘କରୋନାକୁ ନେଇ ଭୟଭୀତ ହେବା ନାହିଁ। ଏହାର ମୁକାବିଲା କରିବା। ମେଡିକାଲରେ ସମସ୍ତ ପ୍ରକାର ସୁବିଧା ସହ ଉତ୍ତମ ଚିକିତ୍ସା ପ୍ରଦାନ କରାଯାଉଛି। ସମସ୍ତଙ୍କ ସେବା ଓ ଭଗବାନଙ୍କ ଆର୍ଶୀବାଦରୁ ଏହି ମହାମାରୀକୁ ମୁଁ ହରାଇ ଘରକୁ ଫେରିଛି’ ବୋଲି ଉଦୟନାଥ କହିଛନ୍ତି। ଉଦୟନାଥଙ୍କୁ କିଛି ଦିନ ତଳେ ଥଣ୍ଡା ଓ ଜ୍ବର ହୋଇଥିଲା। ଗତ ୬ ତାରିଖ‌ରେ ତାଙ୍କର ସ୍ବାବ୍ ନମୁନା ପରୀକ୍ଷା କରାଯାଇଥିଲା। ୯ ତାରିଖରେ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଶୀତଳାପଲ୍ଲୀସ୍ଥିତ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଥିଲା। ୧୮ ତାରିଖରେ ଉଦୟନାଥ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏବେ ସେ ଘରୋଇ ସଙ୍ଗରୋଧରେ ରହିଛନ୍ତି।

ସମ୍ବନ୍ଧିତ ଖବର