କରୋନାକୁ ହରାଇଲେ ୯୫ ବର୍ଷୀୟ ଡାକ୍ତର

ଏକାଧିକ ରୋଗରେ ପୀଡ଼ିତ ଥିଲେ, ୨୦ ଦିନର ଚିକିତ୍ସା ପରେ ସୁସ୍ଥ ହେଲେ

ରାଉରକେଲା: ବୟସ ୯୫ ବର୍ଷରୁ ଉର୍ଦ୍ଧ୍ବ ହେବ। ପେଶାରେ ସେ ଜଣେ ବିଶେଷଜ୍ଞ ଡାକ୍ତର। ଡାଏବେଟିକ୍, କିଡିନ୍‌, ହାର୍ଟ୍, ଫୁସ୍‌ଫୁସ୍ ଆଦି ଏକାଧିକ ରୋଗରେ ଆକ୍ରାନ୍ତ। ଏହାସହ ମେଦବହୁଳତା ବି ରହିଛି। ଏତେ ସବୁ ରୋଗ ଓ ମାତ୍ରାଧିକ ବୟସରେ କରୋନା ସଂକ୍ରମିତ ହେବାପରେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବା ସ୍ବାଭାବିକ୍ ଥିଲା। ତାହା ହିଁ ହେଲା। ଘରେ ରହି ପ୍ରାୟ ୭ ଦିନ ପର୍ଯ୍ୟନ୍ତ ଚିକିତ୍ସିତ ହେଲେ, ମାତ୍ର ସ୍ବାସ୍ଥ୍ୟାବସ୍ଥା ଗରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ପ୍ରାୟ ୧୩ ଦିନ ଧରି ଚିକିତ୍ସିତ ହେବାରେ ଶେଷରେ ସେ ସୁସ୍ଥ ହୋଇ ଫେରିଛନ୍ତି। ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ରାଉରକେଲାର ପ୍ରତିଷ୍ଠିତ ଦନ୍ତ ବିଶେଷଜ୍ଞ ଡା. ଏନ. ଲାଲ।

ବୟସାଧିକ୍ୟ ହେଲେ ସୁଦ୍ଧା ଡା. ଡାକ୍ତର ରୋଗୀଙ୍କ ସେବାରେ ନିୟୋଜିତ ଥିଲେ। ତେବେ କରୋନା ପ୍ରଥମ ଲହରବେଳେ ସଂକ୍ରମଣ ଆଶଙ୍କା ଥିବାରୁ ସେ ସେବାରୁ ଦୂରେଇ ରହିଥିଲେ। ପ୍ରାୟ ଦେଢ଼ ବର୍ଷ ହେଲା ଘ‌ରେ ରହିଥିଲେ। ତେବେ ହଠାତ୍ ଗତ ୭ ତାରିଖ ଦିନ ସାମାନ୍ୟ କୋଭିଡ୍ ଲକ୍ଷଣ ଦେଖାଦେଇଥିଲା। ଏଣୁ ବିଳମ୍ବ ନ କରି ଉକ୍ତ ଦିନ ହିଁ ତାଙ୍କର ସ୍ବାବ୍ ଟେଷ୍ଟ୍ କରାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିବାପରେ ସେ ଘରେ ସଙ୍ଗରୋଧରେ ରହିଥିଲେ। ପୁଅ ଡା. ଏଲ. ଲାଲଙ୍କ ଦେଖାରେଖାରେ ସେ ଘରେ ଚିକିତ୍ସିତ ହେଉଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ଗତ ୧୩ ତାରିଖ ଦିନ ଭେଷଜ ପଟେଲ ହସପିଟାଲରେ ଭର୍ତ୍ତି ହୋଇଥିଲେ। ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ସହ ଅକ୍ସିଜେନ ମାତ୍ରା ୮୨ ତଳକୁ ରହିଥିଲା; ଯାହାକି ଡାକ୍ତରଙ୍କୁ ମଧ୍ୟ ଚିନ୍ତାରେ ପକାଇଦେଇଥିଲା।

ତେବେ ଭେଷଜ ପଟେଲ ହସପିଟାଲର ଡା. ସମରେଶ ପଟେଲ ଓ ଡା. ଏ.କେ. ସିହ୍ନାଙ୍କ ନେତୃତ୍ବରେ ଏକ ଡାକ୍ତରୀ ଦଳ ଡା. ଲାଲଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ମଲ୍ଟି ଅର୍ଗାନ ସପୋର୍ଟ ଦିଆଯିବା ସହ ସ୍ବତନ୍ତ୍ର ଯତ୍ନ ନିଆଯାଇଥିଲା। ଏସବୁ କିନ୍ତୁ ଡା. ଲାଲଙ୍କ ମନୋବଳ ଭାଙ୍ଗି ପାରିନଥିଲା। ସୁସ୍ଥ ହୋଇ ଘରକୁ ଫେରିବାର ଜିଦ୍ ତାଙ୍କ ପାଖରେ ସ୍ପଷ୍ଟଭାବେ ଦେଖିପାରିଥିଲେ ଡାକ୍ତରୀ ଦଳ। ପ୍ରାୟ ୧୩ ଦିନ ଧରି ଚିକିତ୍ସିତ ହେବାପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ବୟସ ଓ ବିଭିନ୍ନ ଶାରୀରିକ ଅସୁସ୍ଥତା ସତ୍ତ୍ବେ କରୋନାକୁ ହରାଇ ପାରିଥିବା ଡା. ଲାଲ ଏବେ ଚର୍ଚ୍ଚାର ଶିରୋଣାମା ପାଲଟିଛନ୍ତି। ଡା. ଲାଲଙ୍କ ଏହି କରୋନା ବିରୋଧୀ ଲଢ଼େଇ ଓ ସୁଫଳ; ଅନ୍ୟ ଆକ୍ରାନ୍ତଙ୍କ ମନୋବଳକୁ ସୁଦୃଢ଼ କରିବାରେ ପ୍ରେରଣା ଯୋଗାଇଛି।

ସମ୍ବନ୍ଧିତ ଖବର