ଦମେଇପାଲିରେ ଅବକାରୀ ଚଢ଼ଉ, ୯୫୦ ଲିଟର ମଦ, ଫ୍ରିଜ୍‌ ଜବତ, ୪ ଜେଲ୍‌ ଗଲେ

ପାଟଣାଗଡ଼: ପାଟଣାଗଡ଼ ଅବକାରୀ ବିଭାଗ ଦମେଇପାଲି ଗ୍ରାମର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୯୫୦ ଲିଟର ମଦ ଓ ଏକ ଫ୍ରିଜ୍ ଜବତ କରିଛି। ଏହି କାରବାରରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇଛି। ସେମାନେ ହେଲେ ହରେକୃଷ୍ଣ ବରିହା, ବିଜୟ ବେହେରା, ବିଶ୍ବ ବରିହା ଓ ଖଗେଶ୍ବର ରଣା।

ସୂଚନା ଅନୁଯାୟୀ, ଦମେଇପାଲିରେ ସୋମବାର ବଲାଙ୍ଗୀର ଅବକାରୀ ସଦର ଆଇଆଇସି ସରୋଜ ପରିଡ଼ା ଓ ପାଟଣାଗଡ଼ ଓଆଇସି ସତ୍ୟନାରାୟଣ ଦାଶଙ୍କ ନେତୃତ୍ବରେ ଅତିରିକ୍ତ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ଅଭିଯୁକ୍ତ ହରେକୃଷ୍ଣଠାରୁ ୧୫୦ ଲିଟର ଦେଶୀମଦ, ବିଜୟ ବେହେରାଠାରୁ ଗୋଟିଏ ଫ୍ରିଜ୍ ସହ ୨୪ ବୋତଲ ବିଦେଶୀ ଓ  ୧୧୦ ଲିଟର ଦେଶୀମଦ, ବିଶ୍ବ ବରିହାଠାରୁ ୫୦ ଲିଟର ଓ ଖଗେଶ୍ବର ରଣାଠାରୁ ୧୨୦ ଲିଟର ଦେଶୀମଦ ଜବତ କରାଯାଇଥିଲା। ଦମେଇପାଲି ଗ୍ରାମର ଜଙ୍ଗଲ ଭିତରେ ମଧ୍ୟ ଚଢ଼ଉ କରାଯାଇଥିଲା। ସେଠାରୁ ୫୫୦ ଲିଟର ଦେଶୀମଦ ଓ ୬୪ କ୍ବିଣ୍ଟାଲ ମହୁଲ ପୋଚକୁ ନଷ୍ଟ କରାଯାଇଥିଲା। ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା। ଚଢ଼ଉରେ ପଦ୍ମଲୋଚନ ନାଏକ, ବଳରାମ ପଧାନ, ମଳୟ ପଧାନ, ଦୟାନିଧି ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର