ଯାଜପୁର/ସଦର/ଟାଉନ : ଚଳିତବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଯାଜପୁର ଜିଲ୍ଲାରେ ପାସ୍‌ ହାର ୯୬.୪୫ ପ୍ରତିଶତ ରହିଥିବା ବେଳେ ଗତବର୍ଷ ତୁଳନାରେ ବୃଦ୍ଧି ପାଇଛି। ଜିଲ୍ଲାରେ ୩୫୫ ଜଣ ଛାତ୍ରଛାତ୍ରୀ ୯୦  ପ୍ରତିଶତରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି।

Advertisment

ସୂଚନା ଅନୁସାରେ, ଯାଜପୁର ଜିଲ୍ଲା‌ରେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବାପାଇଁ ୪୪୩ ସ୍କୁଲର ୨୪୩୨୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେଥିମଧ୍ୟରୁ ୪୪୯ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ମାତ୍ର ଜଣେ ଛାତ୍ର କପି କରି ଧରି ପଡ଼ିଥିଲେ। ହେଲେ ଜିଲ୍ଲାରେ ଏ-୧ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଗତବର୍ଷ ଅପେକ୍ଷା ହ୍ରାସ ପାଇ ୪୭୧ରୁ ୩୫୫କୁ ଖସି ଯାଇଛି। ଅନ୍ୟପକ୍ଷରେ ଗତବର୍ଷ ୯୨ ପ୍ରତିଶତ ପାସ୍‌ ହାର ଥିବା ବେଳେ ଚଳିତ ବର୍ଷ ୯୬ ପ୍ରତିଶତ ହୋଇଛି। ବରୀ ବ୍ଲକ୍‌ର ଶ୍ରେୟାଶ୍ରୀ ଜେନା ୫୯୦ ନମ୍ବର ରଖି ଜିଲ୍ଲା ଟପର୍‌ ହୋଇଛନ୍ତି। ସେହିପରି ବଡ଼ଚଣା ବ୍ଲକ୍‌ ବାଲିଚନ୍ଦ୍ରପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ନିତୀଶ କୁମାର ସାହୁ ୫୮୭ ନମ୍ବର ରଖି ଦ୍ବିତୀୟ ସ୍ଥାନ ଓ ବ୍ୟାସନଗରସ୍ଥିତ ଏନ୍‌ସି ହାଇସ୍କୁଲର ଛାତ୍ରୀ ସୌମ୍ୟାଶ୍ରୀ ସ୍ନେହ‌ା ଦାଶ ୫୮୧ ନମ୍ବର ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି।

ପରୀକ୍ଷା ଫଳରେ ଏ-୧ରେ ୩୫୫ ଜଣ, ଏ-୨ରେ ୨୦୭୦ ଜଣ, ବି-୧ରେ ୪୨୫୫ ଜଣ, ବି-୨ରେ ୫୫୮୬ ଜଣ, ସି-ରେ ୫୧୭୭, ଡି-ରେ ୩୬୫୭ ଜଣ, ଇ-ରେ ୨୩୬୪ ପାସ୍‌ କରିଥିବା ବେଳେ ୪୧୩ ଜଣ ଛାତ୍ରଛାତ୍ରୀ ଫେଲ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୮୩୧ ଜଣ ଛାତ୍ର ଓ ୧୧୬୩୩ ଜଣ ଛାତ୍ରୀ ରହିଛନ୍ତି। ମୋଟ ୨୩୪୬୪ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ସେହିପରି ଏକ୍ସରେଗୁଲାର ପରୀକ୍ଷାରେ ୧୧୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୮ ଜଣ ଅନୁପସ୍ଥିତ ଓ ୯୧ ଜଣ ପାସ୍‌ କରିଛନ୍ତି। ଯାହାର ପାସ୍‌ ହାର ୭୬.୪୭ ପ୍ରତିଶତ ରହିଛି। ସେମାନଙ୍କ ମଧ୍ୟରୁ ୬୨ ଜଣ ଛାତ୍ର ଓ ୨୯ ଜଣ ଛାତ୍ରୀ ରହିଛନ୍ତି।