କନ୍ଧମାଳ କରୋନା ମୁକ୍ତ, ଭଦ୍ରକରେ ୯୬.୫୮ ପ୍ରତିଶତ ରୋଗୀ ସୁସ୍ଥ

ଭୁବନେଶ୍ୱର: କରୋନା ଭାଇରସ୍‌ ରାଜ୍ୟପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ କନ୍ଧମାଳ ଜିଲ୍ଲା କରୋନା ମୁକ୍ତ ହୋଇଛି। କରୋନା ସଂକ୍ରମଣ ପାଇଁ ୨ ମାସ ପୂର୍ବରୁ ଚର୍ଚ୍ଚାରେ ଥିବା ଭଦ୍ରକ ଜିଲ୍ଲାରେ ମଧ୍ୟ ଏବେ ସ୍ଥିତି ଭଲ ଅଛି। ଜିଲ୍ଲାରେ ଏବେ ୯୬.୫୮ ପ୍ରତିଶତ ରୋଗୀ ସୁସ୍ଥ ହୋଇସାରିଛନ୍ତି। ଭଦ୍ରକରୁ ମୋଟ ୨୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ଆଜି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ସୁକଦେଇପୁର ଅଞ୍ଚଳରୁ ଜଣେ ଲୋକାଲ କଣ୍ଟାକ୍ଟ କେସକୁ ଠାବ୍‌ କରାଯାଇଛି। ତାଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଆଜି ତାଙ୍କୁ ଚିକିତ୍ସା ନିମନ୍ତେ କୋଭିଡ୍‌ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୧୦ ହଜାର ୬୩ ଜଣଙ୍କର ସ୍ୱାବ ଟେଷ୍ଟ କରାଯାଇଛି।

ନୂଆପଡ଼ା ଜିଲ୍ଲାରେ ଏଯାଏଁ ୮୨ ଜଣ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୭୮ ଜଣ ସୁସ୍ଥ ହୋଇସାରିଛନ୍ତି। କେବଳ ୪ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ସୁବର୍ଣ୍ଣପୁର ଜିଲ୍ଲାରେ ୩୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ବୌଦ୍ଧ ଜିଲ୍ଲାରେ ଏବେ ୫ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୪୦ ଜଣ ସୁସ୍ଥ ହୋଇଛନ୍ତି। କଳାହାଣ୍ଡିରେ ମଧ୍ୟ କରୋନା ନିୟନ୍ତ୍ରିତ ହୋଇପାରିଛି। ଜିଲ୍ଲାରେ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କିନ୍ତୁ ୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି। ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି।

ସମ୍ବନ୍ଧିତ ଖବର