ସହରାଞ୍ଚଳ ବିକାଶର ସ୍ବରୂପ ଏମିତି; ୨ ବର୍ଷ ହେଲା ସୂଚନା ଫଳକରେ ଅଟକିଛି ୯୬ ଲକ୍ଷର ରାସ୍ତା କାମ

ସୁନ୍ଦରଗଡ଼: ରାସ୍ତା ଆରମ୍ଭରେ ଲାଗିଛି ପ୍ରକଳ୍ପ ସୂଚନା ଫଳକ। ଫଳକରେ ଉଲ୍ଲେଖ ରହିଛି ‘ସୁନ୍ଦରଗଡ଼ ମ୍ୟୁନିସିପାଲିଟି, ୨୦୧୯-୨୦ ଆର୍ଥିକ ବର୍ଷ। କାର୍ଯ୍ୟର ନାମ ବିଟୁମେନ ରୋଡ ଠାରୁ ଆଦର୍ଶ ନଗର ବାଏପାସ। ଅଟକଳ ମୂଲ୍ୟ-୯୬ ଲକ୍ଷ ୫୩ ହଜାର। ଏହି ସୂଚନା ଫଳକକୁ ଦେଖି ଦେଖି ୧ ବର୍ଷ ବିତିଗଲାଣି। କିନ୍ତୁ ଆଦର୍ଶନଗର ରାସ୍ତା ନିର୍ମାଣ ଆରମ୍ଭ ହୋଇପାରିନି। ଠିକାଦାର କେବଳ ଗୋଟିଏ ପାଖ ନାଳ ପ୍ରାୟ ୨ଶହ ମିଟର କଂକ୍ରିଟ ଢାଳି ଆର ପାଖ ରାସ୍ତା ଖୋଳି ଦେଇ ଅଧାପନ୍ତରିଆ ଭାବେ ଛାଡ଼ି ଦେଇଥିଲେ। ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ଠିକାଦାର ସେଠାରେ କେବଳ କିଛି ମେଟାଲ ପକାଇ ଦେଇଛନ୍ତି। ସହରାଞ୍ଚଳ ବିକାଶର ଅସଲ ସ୍ବରୂପକୁ ସାମ୍ନାକୁ ଆଣିଥିବା ଏହି ରାସ୍ତାଟି ଲମ୍ବି ଯାଇଛି ସୁନ୍ଦରଗଡ଼ ପୌରାଞ୍ଚଳ ୧୯ ନମ୍ବର ୱାର୍ଡ ବିଟୁମେନ ରୋଡରୁ ଆଦର୍ଶନଗର ବାଏପାସ ଯାଏ।

ଆଦର୍ଶନଗରଟି ସହରର ପୂର୍ବ ଦିଗକୁ ବାବେ ଲେଦ ପାଖରୁ ଆରମ୍ଭ ହୋଇ ଆରଟିଓ ଅଫିସ କଡ଼େ କଡ଼େ ରାଜ୍ୟ ରାଜପଥ ୧୦ ବିଜୁପଟ୍ଟନାୟକ ଛକ ପର୍ଯ୍ୟନ୍ତ ଓ ସେଠାରୁ ଦକ୍ଷିଣ ଦିଗ ବାଏପାସ ପଟକୁ ମହେଶଡିହି ସୀମାକୁ ଲାଗି ରହିଛି। ସହର ଏକ ପ୍ରମୁଖ ବସ୍ତି ଭାବେ ପରିଚିତ ଆଦର୍ଶନଗରରେ ପ୍ରାୟ ୩ ଶହରୁ ଅଧିକ ପରିବାର ବସବାସ କରନ୍ତି। କିନ୍ତୁ ବହୁ ବର୍ଷ ହେଲା ଏଠାରେ ରାସ୍ତା ଅବସ୍ଥା ଶୋଚନୀୟ। ଦଦରା ରାସ୍ତାରେ ଯାତାୟତ କଷ୍ଟକର ହୋଇପଡ଼ୁଥିବା ବେଳେ ପୌରପରିଷଦ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷରେ ମୁଖ୍ୟ ରାସ୍ତା ଓ ଉଭୟ ପାର୍ଶ୍ବରେ ପକ୍କା ନାଳ ନିର୍ମାଣ ପାଇଁ ୯୬ ଲକ୍ଷ ୫୩ ହଜାର ଟଙ୍କାର ମଞ୍ଜୁର କରାଯାଇଥିଲା।

ଠିକାଦାର ଟେଣ୍ଡର ପାଇବା ପରେ ଗୋଟିଏ ପାଖ ନାଳ ମାତ୍ର ୨ ଶହ ମିଟର କଂକ୍ରିଟ ଢାଳି ଆର ପାଖ ରାସ୍ତାକୁ ଖୋଳି ଛାଡ଼ି ଦେଇଥିବାରୁ ଲୋକଙ୍କ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହୋଇଥିଲା। ଲୋକଙ୍କ ଅଭିଯୋଗ ଓ ‘ସମ୍ବାଦ’ରେ ଏ ସମ୍ପର୍କିତ ପ୍ରକାଶ ପାଇବା ପରେ ଗତ ପୌର ନିର୍ବାଚନ ପୂର୍ବରୁ ଠିକାଦାର ଜଣକ ତରବରିଆ କିଛି ସ୍ଥାନରେ ଖାଲି ମେଟାଲ ପକାଇ ଦେଇ ଥିଲେ। କିନ୍ତୁ ଏଯାଏ ରାସ୍ତା କାମ ଆରମ୍ଭ ହୋଇ ନଥିବା ବେଳେ ବର୍ଷାରେ ରାସ୍ତାଟି ଅତି ଶୋଚନୀୟ ହୋଇ ପଡିଛି। ଗତ ମେ’ ମାସରେ ପୌରାଧ୍ୟକ୍ଷା ତନୟା ମିଶ୍ର ଆଦର୍ଶନଗରକୁ ଆସି ଗୋଟିଏ ସପ୍ତାହ ଭିତରେ କାର୍ଯ୍ୟ ଆରମ୍ଭ କରି ବର୍ଷା ପୂର୍ବରୁ ଶେଷ କରିବାକୁ ପ୍ରତିଶ୍ରୁତି ଦେଇ ଯାଇଥିଲେ। କିନ୍ତୁ ତାଙ୍କ ପ୍ରତିଶ୍ରୁତିକୁ ୨ ମାସ ବିତିଗଲାଣି, କିନ୍ତୁ ରାସ୍ତାା ସେମିତି ଦଦରା ହୋଇ ପଡ଼ି ରହିଛି। ପୌର ପରିଷଦ ଅଫିସକୁ ପଡ଼ାବାସୀ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ହେଲେ ସେମାନଙ୍କ ଦୁଃଖ ନା ଠିକାଦାର ଶୁଣୁଛନ୍ତି ନା ପୌର ପ୍ରଶାସନ। ଶେଷକୁ ଲୋକେ ଭିଜିଲାନ୍ସ ଓ ଲୋକପାଳଙ୍କ ପାଖରେ ଅଭିଯୋଗ କରିବେ ବୋଲି ମନସ୍ଥ କରିଛନ୍ତି।

ସମ୍ବନ୍ଧିତ ଖବର