ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କ ଜୀବିକା ପାଇଁ ଆଜି ରାଜ୍ୟ ସରକାର ହଜାରେ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ନ ଥିବା କ୍ଷେତ୍ରରେ, ଜାତୀୟ ଖାଦ୍ୟ ସୁରକ୍ଷା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନେ ମଧ୍ୟ ଏହି ସହାୟତା ପାଇପାରିବେ। ରାଜ୍ୟର ପ୍ରାୟ ୯୬ଲକ୍ଷ ପରିବାର ଏହି ସହାୟତା ପାଇବେ। ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୯୬୦ କୋଟି ଟଙ୍କା ବାଣ୍ଟିବେ।
ଏହି ସହାୟତା ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କୋଭିଡ ସମୟରେ ଗରିବ ଲୋକଙ୍କ ଆର୍ଥିକ ଦୁରାବସ୍ଥାକୁ ଲାଘବ କରିବା ପାଇଁ ଏହି ସହାୟତା ଦିଆଯାଉଛି। ୭ଦିନ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ଏହି ସହାୟତା ପ୍ରଦାନ କରାଯିବ। ଗରିବ ଲୋକଙ୍କ କଲ୍ୟାଣ ରାଜ୍ୟ ସରକାରଙ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ। କୋଭିଡର ପ୍ରଥମ ଓ ଦ୍ବିତୀୟ ଲହରୀ ଆମ ପାଇଁ ଆହ୍ବାନ ସୃଷ୍ଟି କରିଥିଲା। ଏହା ସେମାନଙ୍କ ଅର୍ଥିକ ଓ ସାମାଜିକ ଜୀବନ ଉପରେ ଗଭୀର ପ୍ରଭାବ ପକାଇଛି। କୋଭିଡର ପ୍ରଭାବ ଏପର୍ଯ୍ୟନ୍ତ ମଧ୍ୟ ଯାଇନାହିଁ।
ତେଣୁ ସେମାନଙ୍କର କଷ୍ଟକୁ ଦୂର କରିବା ପାଇଁ ରାଜ୍ୟ ସରକାର ଏହି ସହାୟତା ପ୍ରଦାନ କରୁଛନ୍ତି।
ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇ କହିଲେ ଯେ କୋଭିଡ ପରିଚାଳନାରେ ଓଡିଶା ଦେଶର ମଡେଲ ହୋଇପାରିଛି। ବିଏସ୍କେୱାଇ ଯୋଜନାରେ ଲୋକଙ୍କୁ ଯେଉଁ ସୁବିଧା ସୁଯୋଗ ମିଳୁଛି ଦେଶର ଅନ୍ୟ କୌଣସି ରାଜ୍ୟରେ ଏତେ ବ୍ୟାପକ ସ୍ବାସ୍ଥ୍ୟସେବା ମିଳୁନି।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମନ୍ତ୍ରୀ, ବିଧାୟକମାନେ ୩୧୪ଟି ବ୍ଲକର ହିତାଧିକାରୀମାନଙ୍କ ସହ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଖାଦ୍ୟ ଉତ୍ପାଦନ କମିସନର ଆର୍.କେ ଶର୍ମା ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।