ଭୁବନେଶ୍ବର : ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟର ପାଠାଗାର ସୁଦୃଢ଼ କରାଯିବ। ଛାତ୍ରଛାତ୍ରୀଙ୍କ ଲାଗି କେଉଁ ବହି କିଣାଯିବ, ସେନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ତାଲିକା ପ୍ରକାଶ କରାଯାଇଛି। ଯେଉଁଥିରେ ୧୦ଟି ବର୍ଗର ୯୬୨ ଖଣ୍ଡ ପୁସ୍ତକ ରହିଛି। ଲେଖକ, ପ୍ରକାଶନୀ ସଂସ୍ଥା, କେଉଁ ବର୍ଷର ପବ୍ଲିକେସନ୍, ଦାମ କେତେ ରହିଛି ଆଦି ବିଷୟରେ ବି ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି। ବିଦ୍ୟାଳୟ ଅଧୀନରେ ଥିବା ପାଣ୍ଠିରୁ ପୁସ୍ତକଗୁଡ଼ିକ କ୍ରୟ କରାଯାଇ ପାଠାଗାରରେ ରଖାଯିବ। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଏ ଦିଗରେ ପଦକ୍ଷେପ ନେବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପୁସ୍ତକ ତାଲିକା ଓ ଅତିରିକ୍ତ ନିର୍ଦେଶାବଳୀ ପ୍ରଦାନ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶକ କହିଛନ୍ତି।
ଆହୁରି କୁହାଯାଇଛି ଯେ ଅନୁମୋଦିତ ପୁସ୍ତକ ତାଲିକା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ୨୦୧୮-୧୯ରେ ଅନୁମୋଦିତ ଓ ଆଦର୍ଶ ବିଦ୍ୟାଳୟ ପାଇଁ ପ୍ରସ୍ତୁତ ଇଂରାଜୀ ପୁସ୍ତକ ତାଲିକା ମଧ୍ୟ ୨୦୨୦-୨୧ ପାଇଁ ଉପଲବ୍ଧ ପାଣ୍ଠିରୁ କ୍ରୟ କରିପାରିବେ। ଏହାବ୍ୟତୀତ ଆଦର୍ଶ ବିଦ୍ୟାଳୟ ପାଇଁ ଉପଲବ୍ଧ ୨୦% ଅର୍ଥର ସୀମା ଅନୁଯାୟୀ ସେମାନଙ୍କ ସ୍ତରରେ ଉପଯୁକ୍ତ ଓ ଉପଯୋଗୀ ପାଠାଗାର ବହି ଚୟନ କରିପାରିବେ। ଏବେ ଅନୁମୋଦିତ ପୁସ୍ତକ ତାଲିକା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଦ୍ୟାଳୟରେ ରଖାଯାଇଥିବା ପାଣ୍ଠିରୁ କ୍ରୟ ପାଇଁ ଏବଂ ୨୦୧୮-୧୯, ୨୦୧୯-୨୦ରେ ଖର୍ଚ୍ଚ ହୋଇ ନଥିବା ବାଲାନ୍ସ କ୍ରୟ ପାଇଁ ପ୍ରଯୁଜ୍ୟ ହେବ।
ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ(ହାଇସ୍କୁଲ)ର ପାଠଗାରଗୁଡ଼ିକୁ ପୁଣିଥରେ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର କିଛି ମାସ ତଳେ ଅଣ୍ଟା ଭିଡ଼ିଥିଲେ। ପାଠାଗାର ଲାଗି କେଉଁ ସବୁ ବିଷୟର ପୁସ୍ତକ ଆବଶ୍ୟକତା ରହିଛି, କେମିତି ପୁସ୍ତକ କିଣାଯିବ, ସେନେଇ ଫେବ୍ରୁଆରି ମାସରେ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍ଲାଇନ୍ ପ୍ରକାଶ ପାଇଥିଲା। ପ୍ରକାଶନୀ ସଂସ୍ଥାମାନଙ୍କଠାରୁ ଆବେଦନପତ୍ର ଗ୍ରହଣ କରିବା ପରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଚୟନ କମିଟି ଗଠନ କରାଯାଇ ପୁସ୍ତକଗୁଡ଼ିକୁ ଯାଞ୍ଚ କରାଯାଇଥିଲା। ତା' ପରେ କିଣିବା ଲାଗି ଅନୁମତି ପ୍ରଦାନ କରାଯାଇଛି। ବିଜ୍ଞାନ, କମ୍ପ୍ୟୁଟର୍, ଡିସ୍କଭରି, ଇନ୍ଭେନ୍ସନ୍, ପପୁଲାର ସାଇନ୍ସ, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଜୀବନୀ, ଭ୍ରମଣ କାହାଣୀ, ଇତିହାସ, ସାଂସ୍କୃତିକ, କ୍ଷୁଦ୍ର ଗଳ୍ପ, ଉପନ୍ୟାସ, ଗଦ୍ୟ ବହି, ବ୍ୟାକରଣ, ଅଭିଧାନ ଆଦି ପୁସ୍ତକକୁ ପ୍ରାଥମିକତା ଦିଆଯାଇଛି। ଓଡ଼ିଆ ଭାଷାର ବହିକୁ ଅଧିକ ଗୁରୁତ୍ବ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Books_New-e1611252343470.jpg)