ବ୍ରହ୍ମପୁର: ଭାରତ ସରକାରଙ୍କ ଆୟୁଷ ବିଭାଗର କେନ୍ଦ୍ରୀୟ ଚିକିତ୍ସା ପରିଷଦ ପକ୍ଷରୁ ସ୍ନାତକୋତ୍ତର ଡିଗ୍ରି ପାଉଥିବା ଆୟୁର୍ବେଦ ଡାକ୍ତରମାନେ ଅସ୍ତ୍ରୋପଚାର କରିପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ) ପକ୍ଷରୁ ବିରୋଧ କରାଯାଇଛି। ଏଥିସହ ନୀତି ଆୟୋଗ ସମସ୍ତ ଚିକିତ୍ସା ପଦ୍ଧତିର ଏକତ୍ରୀକରଣ କରିବା ପାଇଁ ପ୍ରକାଶ କରିଥିବା ଗେଜେଟ୍କୁ ମଧ୍ୟ ବିରୋଧ କରାଯିବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଆଇଏମ୍ଏ ଦାବି କରିଛି। ଏ ନେଇ ଆଜି ଆଇଏମ୍ଏ ତରଫରୁ ରାଜ୍ୟବ୍ୟାପୀ ନର୍ସିଂହୋମ୍ ଗୁଡ଼ିକର ଓପିଡି ସେବା ଏବଂ ସାଧାରଣ ସେବାକୁ ବନ୍ଦ କରାଯାଇଛି ବୋଲି ରାଜ୍ୟ ସଭାପତି ଡା. କମଳାକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ବର୍ତ୍ତମାନ ସମୟରେ ଏଲୋପାଥି, ଆୟୁର୍ବେଦିକ ଓ ହୋମିଓପାଥିକ ବିଭାଗର ଏକତ୍ରୀକରଣ କରାଗଲେ ଚକିତ୍ସା ବିଜ୍ଞାନ କ୍ଷେତ୍ରରେ ବହୁ ବାଧାବିଘ୍ନ ସୃଷ୍ଟି ହେବ। ଜନସାଧାରଣଙ୍କୁ ଏହାର କୁପରିଣାମ ଭୋଗିବାକୁ ପଡ଼ିବ। କାରଣ ସମସ୍ତଙ୍କ ଚିକିତ୍ସା ପଦ୍ଧତି ଭିନ୍ନ। ଏହି ସମସ୍ତ ବିଭାଗକୁ ନିଜସ୍ବ ପ୍ରଣାଳୀରେ ରୋଗୀଙ୍କ ଚିକିତ୍ସା କରିବା ଦିଗରେ ଆବଶ୍ୟକ ସୁବିଧା ସହଯୋଗ ପ୍ରଦାନ କରିବା ଆବଶ୍ୟକ। କିନ୍ତୁ ଏହାର ଏକତ୍ରୀକରଣ କରି ଚିକିତ୍ସା ସେବାକୁ ତ୍ବରାନ୍ବିତ କରିବା ଚିନ୍ତା ଯୁକ୍ତିଯୁକ୍ତ ନୁହେଁ। ଏଭଳି କରିବା ଦ୍ବାରା ବହୁ ଜଟିଳ ପରିସ୍ଥିତି ସୃଷ୍ଟି ହେବ। ଏଣୁ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିଙ୍କୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ରାଜ୍ୟ ସଭାପତି ଡା. ପାଣିଗ୍ରାହୀ କହିଛନ୍ତି।
ବ୍ରହ୍ମପୁରରେ ଆଜି ଆଇଏମ୍ଏର ପ୍ରାୟ ୯୬୫ଜଣ ସଦସ୍ୟ ଓପିଡି ସେବା ବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ। ସହରରେ ଥିବା ସମସ୍ତ ନର୍ସିଂହୋମ୍ ଏବଂ କ୍ଲିନିକ୍ରେ ଓପିଡି ସେବା ବନ୍ଦ ରହିଥିଲା। କିନ୍ତୁ ଜରୁରୀକାଳୀନ ସେବା ଯେପରି କାଜୁଆଲ୍ଟି, ଲେବର୍ ରୁମ୍, ଆଇସିୟୁ, କ୍ରିଟିକାଲ୍ କେୟାର୍ ଭଳି ସେବା ଜାରି ରହିଥିଲା। ବିଜ୍ଞପ୍ତି ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଭାପତି ଡା. ପାଣିଗ୍ରାହୀ ଓ ସମ୍ପାଦକ ଡା. ବ୍ରଜକିଶୋର ଦାଶ କହିଛନ୍ତି। ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଭାରତୀୟ ଚିକିତ୍ସକ ସଂଘର କେନ୍ଦ୍ରୀୟ ପରିଷଦ ବୈଠକରେ ନିଷ୍ପତ୍ତି ହେବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/mkcg.jpg)