ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୬ତମ ଜନ୍ମ ଉତ୍ସବ ଓ ସ୍ମୃତି ସମ୍ମାନ ପ୍ରଦାନ ସମାରୋହ

ଜ୍ଞାନ ପିପାସୁ ଥିଲେ ଜାନକୀ ବାବୁ: ଭଗବାନ ପ୍ରକାଶ

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକ ଥିଲେ ଜ୍ଞାନର ରତ୍ନ ଭଣ୍ଡାର। ସେ ଥିଲେ ଜ୍ଞାନ ପିପାସୁ। ରାଜନୀତିରେ ସର୍ବୋଚ୍ଚସ୍ତରକୁ ଯାଇ ମଧ୍ୟ କ୍ଷମତାର ଲୋଭ ତାଙ୍କୁ କେବେ ବି ସ୍ପର୍ଶ କରିପାରିନଥିଲା। ରାଜନୀତିକୁ ସାଧାରଣ ଲୋକଙ୍କ କଲ୍ୟାଣ ତଥା ସେବାର ଏକ ମାଧ୍ୟମ ବୋଲି ସେ ସବୁବେଳେ ବିବେଚନା କରୁଥିଲେ। ରାଜନୈତିକ କ୍ଷମତା ଶକ୍ତି ଅପେକ୍ଷା ଜ୍ଞାନ ଶକ୍ତିକୁ ସେ ଅଧିକ ଗୁରୁତ୍ବ ଦେଉଥିଲେ। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ‌ସେ ଜ୍ଞାନ ଆହରଣରେ ବ୍ୟସ୍ତ ରହୁଥିଲେ। ତାଙ୍କ ଭଳି ଜଣେ ଭଦ୍ର ମୁଖ୍ୟମନ୍ତ୍ରୀ ଓ ଲୋକପ୍ରିୟ ରାଜ୍ୟପାଳ ଦେଶରେ ବିରଳ। ଆଜି ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ସ୍ମୃତି ସଂସଦ ପକ୍ଷରୁ ‘ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୬ତମ ଜନ୍ମ ଉତ୍ସବ ଓ ସ୍ମୃତି ସମ୍ମାନ ପ୍ରଦାନ ସମାରୋହ’ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମିତି ସ୍ମୃତିଚାରଣ କରିଛନ୍ତି ବିଶିଷ୍ଟ ସ୍ତମ୍ଭକାର ଓ ଚିନ୍ତକ ପ୍ରଫେସର ଭଗବାନ ପ୍ରକାଶ।

ଅସୀମ ଧୈର୍ଯ୍ୟର ଅନ୍ୟନାମ ଜାନକୀବଲ୍ଲଭ: ସୌମ୍ୟରଂଜନ
ରାଜାରାମ ଶତପଥୀ, ଦାଶ ବେନହୁର ଓ ଗଦାଧର ମହାପାତ୍ରଙ୍କୁ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ

ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ସେ ଆହୁରି କହିଛନ୍ତି ଯେ ଓଡ଼ିଶାରେ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ଓ ମହାନଦୀରେ ଦ୍ବିତୀୟ ହୀରାକୁଦ ଡ୍ୟାମ୍‌ ଗଢ଼ିବାର ତାଙ୍କ ସ୍ବପ୍ନ ଅଧୁରା ରହିଯାଇଛି। କିନ୍ତୁ ତାଙ୍କର ବିକାଶଶୀଳ ଦୃଷ୍ଟିଭଙ୍ଗୀ ତଥା ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ବ ବଳରେ ଓଡ଼ିଶା ସବୁ ଦିଗରୁ ସମୃଦ୍ଧ ହୋଇପାରିଛି। କାର୍ଯ୍ୟକ୍ରମର ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସମ୍ପାଦକ, ଖଣ୍ଡପଡ଼ା ବିଧାୟକ, ସ୍ମୃତି କମିଟିର ମୁଖ୍ୟ ପରାମର୍ଶଦାତା ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ଜାନକୀ ବଲ୍ଲଭ ଥିଲେ ଅଦ୍ଭୂତ ପ୍ରତିଭାର ଅଧିକାରୀ ଏବଂ ସଫଳ କାହାଣୀର ନାୟକ। ସେ ଓଡ଼ିଆ ଲୋକଙ୍କୁ ଓ ଓଡ଼ିଆ ଭାଷାକୁ ପ୍ରଚଣ୍ଡ ଭଲ ପାଉଥିଲେ। ସେ ଅସୀମ ଧୈର୍ଯ୍ୟର ଅଧିକାରୀ ଥିଲେ। ତାଙ୍କୁ ଅତିକ୍ରମ କରି ତାଙ୍କ ଅଭାବବୋଧକୁ ପୂରଣ କରିପା‌ରିଲେ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ତିରୁପତି ସଂସ୍କୃତ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ହରେକୃଷ୍ଣ ଶତପଥୀ କହିଲେ ଯେ ନୂଆ ଓଡ଼ିଶାର ବିଶ୍ବକର୍ମା ହେଉଛନ୍ତି ଜାନକୀ ବଲ୍ଲଭ। ତାଙ୍କ ଭଳି ପୂଣ୍ୟାତ୍ମା ବହୁତ କମ୍‌ ଲୋକ ଅଛନ୍ତି।

ଆଜୀବନ ଜ୍ଞାନ ଆହରଣ ଓ ବିତରଣରେ ସେ ଥିଲେ ବିଶ୍ବରେ ଏକ ଜ୍ବଳନ୍ତ ଉଦାହରଣ। ରାଜନୈତିକ ସହିଷ୍ଣୁତା କ’ଣ, ତାହା ତାଙ୍କଠାରେ ଦେଖିବାକୁ ମିଳିଥିଲା। ଅନ୍ୟତମ ଅତିଥି ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଲେ ଯେ ଓଡ଼ିଶା ବିକାଶର ସବୁ ଦିଗକୁ ‌ଜାନକୀବାବୁ ପ୍ରାଧାନ୍ୟ ଦେଉଥିଲେ। ଶିକ୍ଷା, ସ୍ବାସ୍ଥ୍ୟ, ସାହିତ୍ୟ, ସଂସ୍କୃତି ସହ ଶିଳ୍ପ ବିକାଶକୁ ସେ ଗୁରୁତ୍ବ ଦେଉଥିଲେ। ହଜାର ଦିନରେ ହଜାର ଶିଳ୍ପର ଆହ୍ବାନ ‌ତାଙ୍କ ଭଳି ଜଣେ ଦୂରଦ୍ରଷ୍ଟା ହିଁ ଦେଇପାରନ୍ତି ବୋଲି ଶ୍ରୀ ରାଉତରାୟ କହିଥିଲେ। ଭୁବନେଶ୍ବରର ବିକାଶ ତାଙ୍କ ସମୟରେ ଅଧିକ ହୋଇଥିବା ବେଳେ ହାତୀଙ୍କ ସୁରକ୍ଷା ପାଇଁ ସେ ବହୁ ପଦକ୍ଷେପ ନେଇଥିଲେ ବୋଲି ସେ କହିଥିଲେ। ଏହି ଅବସରରେ ସାମ୍ବାଦିକତା ପାଇଁ ରାଜାରାମ ଶତପଥୀ, ସାହିତ୍ୟ ରଚନା ପାଇଁ ଦାଶ ବେନହୁର ଓ ପରିବେଶ ପାଇଁ ଗଦାଧର ମହାପାତ୍ରଙ୍କୁ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଆବାହକ ବିଶ୍ବମୋହନ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର