ଘରୋଇ ସ୍କୁଲରେ ପଢ଼ିବାକୁ ୯୭୧୭ ଗରିବ ପିଲା ଯୋଗ୍ୟ

ଅଧିକ ଫି’ ଆଦାୟ କରାଯାଉଥିବା ଅଭିଯୋଗ

ଭୁବନେଶ୍ବର : ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଘ‌ରୋଇ ବିଦ୍ୟାଳୟର ୨୫% ସିଟ୍‌ରେ ଗରିବ ତଥା‌ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମଲେଖା ଚାଲିଛି। ୨୦୨୩-୨୪ ଶିକ୍ଷାବର୍ଷ ଲାଗି ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଚାଲିଥିବା ନାମଲେଖା ପ୍ରକ୍ରିୟାର ପ୍ରଥମ ରାଉଣ୍ଡ୍‌ ଲଟେରି ଉଠାଣ ଆଜି ଅନୁଷ୍ଠିତ ହୋଇଛି। ଏହି ପ୍ରକ୍ରିୟାରେ ନାମଲେଖା ଲାଗି ମୋଟ ୧୮ ହଜାର ୭୦୦ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ୯୭୧୭ ଛାତ୍ରଛାତ୍ରୀଙ୍କୁ ସିଟ୍‌ ଆଲଟ୍‌ କରାଯାଇଛି। ରାଜ୍ୟର ୪୦୭୧ ଘରୋଇ ବିଦ୍ୟାଳୟର ୩୮ ହଜାର ୨୫୧ ସିଟ୍‌ରେ ନାମଲେଖା ଅନୁଷ୍ଠିତ ହେଉଛି।

ଅନ୍ୟପକ୍ଷରେ ବେସରକାରୀ ସ୍କୁଲରେ ପଢ଼ୁଥିବା ଦୁର୍ବଳ ‌ଶ୍ରେଣୀର ପିଲାଙ୍କ ବହି ଖାତା, ମଧ୍ୟାହ୍ନଭୋଜନ, ସ୍କୁଲ ପୋଷାକ ବାବଦକୁ ରାଜ୍ୟ ସରକାର ୨୫ ହଜାର ୪୧ ଟଙ୍କା ଦେଉଛନ୍ତି। ଯେଉଁମାନେ ଏହି ସୁବିଧା ନେବେ ନାହିଁ ସେମାନଙ୍କୁ ୨୨ହଜାର ୧୯୭ ଟଙ୍କା ରାଜ୍ୟ ସରକାର ବେସରକାରୀ ଶିକ୍ଷାନୁଷ୍ଠାନକୁ ଦେବାର ନିୟମ ରହିଛି। ହେଲେ କିଛି ଶିକ୍ଷାନୁଷ୍ଠାନ ଚଞ୍ଚକତା କରି ରାଜ୍ୟ ସରକାର ଦେଉଥିବା ଟଙ୍କାକୁ ନେବା ସହ ପିଲାଙ୍କଠାରୁ ପୁଣି ଟଙ୍କା ଆଦାୟ କରୁଛନ୍ତି। ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ପିଲାଙ୍କୁ ଚଢ଼ା ଦରରେ ବହି ବିକ୍ରି କରିଛନ୍ତି। ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କା ନେଉଥିବା ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ କମିସନ ଅଭିଯୋଗ କରିଛି।

ଏନେଇ ସଙ୍ଗଠନ ରାଜ୍ୟ ମୁଖ୍ୟ ଶିବସୁନ୍ଦର ସ୍ୱାଇଁ, ଯୁଗ୍ମ ନିର୍ଦେଶକ ଶଶାଙ୍କ ଶେଖର ପଣ୍ଡା, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ନାରାୟଣ ସାହୁ, ସଦସ୍ୟ ରାକେଶ ମହାପାତ୍ର, ସୋନାଲି ନାୟକ ଗତକାଲି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।
ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ କୁହାଯାଇଛି ଯେ ଅଭିଭାବକ କିମ୍ବା ପିଲାମାନେ କୌଣସି ପ୍ରକାରେ ଅତିରିକ୍ତ ଶୁଳ୍କ ଦାବିରେ ବିଦ୍ୟାଳୟଠାରୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଅଭିଯୋଗ କରିପାରିବେ। ବିଦ୍ୟାଳୟର ସବିଶେଷ ବିବରଣୀ ସହିତ ଏକ ଲିଖିତ ଅଭିଯୋଗ ପତ୍ର, ଆବଣ୍ଟନ ପତ୍ରର କପି ଓ ଅଭିଯୋଗର କାରଣ ଇମେଲ୍ ଆଇଡି ‘[email protected]’ ମାଧ୍ୟମରେ ପଠାଇବାକୁ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର