୨୫ ଦିନରେ ୯୭ ଶିଶୁ ଶ୍ରମିକ ଉଦ୍ଧାର, ଗୋଟିଏ ବି ରୁଜୁ ହେଲାନି ମାମଲା

ନୟାଗଡ଼: ନୟାଗଡ଼ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି ମାଳମାଳ ଶିଶୁ ଶ୍ରମିକ। ହୋଟେଲ, ପରିବା ଦୋକାନ, ଇଟାଭାଟିଠାରୁ ଆରମ୍ଭ କରି ମାଟି ଖୋଳିବା ଆଦି କାର୍ଯ୍ୟାରେ ଶହ ଶହ ଶିଶୁ ଶ୍ରମିକ ନିୟୋଜିତ ଅଛନ୍ତି। ସରକାରଙ୍କର ସର୍ବଶିକ୍ଷା ଅଭିଯାନର ମୂଲ୍ୟ ଏମାନଙ୍କ ପାଇଁ କିଛି ମହତ୍ତ୍ବ ରଖେନାହିଁ। ଏହି ଭଳି ପରିସ୍ଥିତିରେ ଗତ ଅଗଷ୍ଟ ୧ ତାରିଖରୁ ଜିଲ୍ଲାରେ ପୁଲିସ, ଚାଇଲ୍ଡ ଲାଇନ୍‌ କର୍ତୃପକ୍ଷ, ଓ ଜିଲ୍ଲା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସହଯୋଗରେ ‘ପରୀ ୩’ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି। ଏହି କାର୍ଯ୍ୟକ୍ରମ ଜରିଆରେ ଗତ ୨୫ ଦିନ ମଧ୍ୟରେ ବିଭିନ୍ନ ବ୍ଲକ୍‌ରୁ ୯୭ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ୧୪ ବର୍ଷରୁ କମ୍ ନାବାଳକ ଶିଶୁ ଶ୍ରମିକଙ୍କ ସମେତ ୧୪ରୁ ୧୮ ବର୍ଷର ଶିଶୁ ଶ୍ରମିକ ମଧ୍ୟ ରହିଛନ୍ତି। କିନ୍ତୁ ଚାଇଲ୍ଡଲାଇନ୍‌ ଓ ପୁଲିସ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରୁଥିବାବେଳେ ଏଥିରେ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ତା’ର ଦାୟିତ୍ବ ନିର୍ବାହ କରୁନାହିଁ। କୌଣସି ବି ଗୋଟିଏ ଘଟଣାରେ ମାମଲା ରୁଜୁ କରିନାହିଁ। ଶିଶୁ ଶ୍ରମିକକୁ ନିଜ ବ୍ୟାବସାୟିକ ଅନୁଷ୍ଠାନରେ ରଖି କାର୍ଯ୍ୟ କରାଉଥିବା ନିଯୁକ୍ତିଦାତାଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡ ସମେତ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରିବା ନେଇ ଆଇନ ରହିଛି। କିନ୍ତୁ ଏଠାରେ ଆଇନ ତା’ ବାଟରେ ଗଲା ପରି ଲାଗୁନାହିଁ।

ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯିବା ସମୟରେ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ଅଧିକାରୀ ମଧ୍ୟ ଚାଇଲ୍ଡ ଲାଇନ୍‌, ପୁଲିସ ଓ ସିଡିପିଓଙ୍କ ଅଫିସ୍ ସହିତ ସାମିଲ ହୋଇ କାର୍ଯ୍ୟ କରିବା କଥା। କିନ୍ତୁ ‌ଶିଶୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଟିମ୍ ଯାଉଥିବାବେଳେ, ନୟାଗଡ଼ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟର ଅଧିକାରୀମାନେ ଏଥିରେ ସାମିଲ ହେଉ ନାହାନ୍ତି। ଅନେକ ବ୍ୟବସାୟିକ ପ୍ରତିଷ୍ଠାନରେ କାମ କରାଇବା ପାଇଁ ବୟସ୍କ ବ୍ୟକ୍ତିଙ୍କୁ ରଖିଲେ ଅଧିକ ଟଙ୍କା ଦେବାକୁ ପଡ଼ିବ ବୋଲି ଅତ୍ୟନ୍ତ ଚତୁରତାର ସହିତ ଅଭାବ ଅନଟନ ଥିବା ପରିବାରର ଛୋଟ ଛୋଟ ପିଲାଙ୍କୁ କିଛି ବ୍ୟବସାୟୀ ଶିକାର କରୁଛନ୍ତି। ଏପରିକି ସେମାନଙ୍କୁ ମଧ୍ୟ ଅନେକ ସମୟରେ ନିର୍ଯାତନା ଦେଉଥିବାର ଦେଖାଯାଇଥାଏ। ଉଦ୍ଧାର ହୋଇଥିବା ୯୭ ଶିଶୁ ଶ୍ରମିକଙ୍କ ମଧ୍ୟରୁ ସର୍ବାଧିକ ନୟାଗଡ଼ ଟାଉନ ସମେତ ଇଟାମାଟି ବଜାରରୁ ଉଦ୍ଧାର ହୋଇଛନ୍ତି। ଏଥିସହିତ ନୂଆଗାଁର ମୁଖ୍ୟ ବଜାର, ଓଡ଼ଗାଁ ବଜାର, ବାହାଡ଼ୋଝୋଲା, ମହିପୁର, ରଣପୁର ବଜାର ଆଦିରୁ ଉଦ୍ଧାର ହୋଇଛନ୍ତି। ଶିଶୁ ଶ୍ରମିକମାନଙ୍କୁ ଆଣି ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଇ ‌ତାଙ୍କ ବାପା, ମା’ଙ୍କ ଠାରୁ ଅଣ୍ଡର୍‌ଟେକିଂ ନିଆଯାଇ କେବଳ ଛାଡ଼ି ଦିଆଯାଉଛି। ଶିଶୁ ଶ୍ରମିକ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଜିଲ୍ଲା ଶ୍ରମ ବିଭାଗ କାହିଁକି ମାମଲା ରୁଜୁ କରୁ ନାହିଁ ବୋଲି ପ୍ରଶ୍ନ ଉଠିଛି। ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ସଚ୍ଚିଦାନନ୍ଦ ଜେନାଙ୍କୁ ପଚାରିବାରୁ ଏତେ ସଂଖ୍ୟକ ଶିଶୁ ଶ୍ରମିକ ଉଦ୍ଧାର ହୋଇଥିବା ଜାଣି ସେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହିତ ଏ ନେଇ ମାମଲା ରୁଜୁ କରିବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର