୩ କୁଳପତି ଦୌଡ଼ରେ ୯୭ ପ୍ରଫେସର: ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ୩୮, କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ୩୯ ଆଶାୟୀ
ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ରେ ୨୦ ପ୍ରଫେସର
ଭୁବନେଶ୍ବର: ନୂଆ କରି ପ୍ରତିଷ୍ଠା ହୋଇଥିବା ରାଜ୍ୟର ୩ଟି ବିଶ୍ବବିଦ୍ୟାଳୟ କୁଳପତି ପଦବି ଲାଗି ଆବେଦନ ଶେଷ ହୋଇଛି। କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ରେ ସର୍ବାଧିକ ୩୯ ଜଣ ପ୍ରଫେସର ସାମିଲ ହୋଇଛନ୍ତି। ଯେତେବେଳେ କି ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ରେ ୩୮ ଓ କଟକସ୍ଥିତ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ କୁଳପତି ପଦ ପାଇଁ ୨୦ ଜଣ ଆବେଦନ କରିଛନ୍ତି। ଆବେଦନ ପ୍ରକ୍ରିୟା ସରିଥିବାରୁ ଖୁବ୍ଶୀଘ୍ର ୩ ଜଣିଆ ସର୍ଚ୍ଚ କମିଟି ଗଠନ କରାଯାଇ କୁଳପତି ନିଯୁକ୍ତ ହେବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉତ୍କଳ ସମେତ ବ୍ରହ୍ମପୁର, ସମ୍ବଲପୁର, ରେଭେନ୍ସା, ଉତ୍ତର ଓଡ଼ିଶା, ଫକୀର ମୋହନ ବିଶ୍ବବିଦ୍ୟାଳୟର କେତେଜଣ ବରିଷ୍ଠ ପ୍ରଫେସର ୩ଟି ଯାକ କୁଳପତି ଦୌଡ଼ରେ ରହିଛନ୍ତି। ଦିଲ୍ଲୀ ସମେତ ଉତ୍ତର ପୂର୍ବ ରାଜ୍ୟର ବିଶ୍ବବିଦ୍ୟାଳୟଗୁଡ଼ିକରେ ପ୍ରଫେସର ଥିବା କେତେଜଣ ଓଡ଼ିଆ ଆବେଦନ କରିଥିବା ସୂଚନା ମିଳିଛି। ଏମିତିକି ଗତ ୯ଟି ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ରୁ ଅଳ୍ପରେ ବାଦ୍ ପଡ଼ିଥିବା କେତେଜଣ ପ୍ରଫେସର ଏଥର ଦୌଡ଼ରେ ବି ଅଛନ୍ତି। ଜଣେ ପୂର୍ବତନ କୁଳପତିଙ୍କ ନାମରେ ଅନିୟମିତତା ନେଇ ଏକାଧିକ ଅଭିଯୋଗ ଥିଲେ ମଧ୍ୟ ସେ ଆବେଦନ କରିଥିବା ସୂଚନା ମିଳିଛି।
ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବାରୁ ଫର୍ମଗୁଡ଼ିକୁ ଏବେ ଯାଞ୍ଚ କରାଯାଉଛି। ଏହାପରେ ୩ ଜଣିଆ ସର୍ଚ୍ଚ କମିଟି ଗଠନ କରାଯିବ। ଯେଉଁଥିରେ ୟୁଜିସି ସମେତ ରାଜ୍ୟପାଳ ତଥା କୁଳାଧିପତିଙ୍କ ପ୍ରତିନିଧି ରହିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ଏହି କମିଟି ସଦସ୍ୟ ଭାବେ ଚୟନ କରାଯିବ। ଆସନ୍ତା ୧୦ ଦିନ ମଧ୍ୟରେ ଏହି ସବୁ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାପରେ ଆଶାୟୀଙ୍କ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରାଯାଇ ସର୍ଚ୍ଚ କମିଟିକୁ ଦିଆଯିବ। ସର୍ଚ୍ଚ କମିଟିର ସଦସ୍ୟମାନେ ଆବେଦନକାରୀଙ୍କ ସାକ୍ଷାତକାର ନେବା ପରେ ସେଥିମଧ୍ୟରୁ ୩ ଜଣଙ୍କ ନାମ କୁଳାଧିପତି ତଥା ରାଜ୍ୟପାଳଙ୍କୁ ପଠାଇବେ।