ରାଜଗାଙ୍ଗପୁର/ନୂଆଗାଁ/ବଣାଇ: ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ବୋଲି ଭାବନ୍ତି। ରାଜ୍ୟ ବିକାଶ ପଥରେ ଆଗେଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। ଧାର୍ମିକ ଅନୁଷ୍ଠାନ, ସ୍କୁଲ ଓ କଲେଜର ବିକାଶ ଜାରି ରହିଛି। ସୁନ୍ଦରଗଡ଼ ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ରାଜଗାଙ୍ଗପୁର, ବଣାଇ ଓ ନୂଆଗାଁ ବ୍ଲକରେ ଆୟୋଜିତ ସାଧାରଣ ସଭାରେ ଏହା କହିଛନ୍ତି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍। ଗତ ମାର୍ଚ୍ଚ ମାସରେ ସୁନ୍ଦରଗଡ଼ ଗସ୍ତ ସମୟରେ ତାଙ୍କୁ ମିଳିଥିବା ଦରଖାସ୍ତ ଗୁଡ଼ିକର ଆଧାରରେ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ପାଇଁ ସରକାର ମୋଟ ୯୭୦ କୋଟି ଟଙ୍କା ମଞ୍ଜୁର କରିଥିବା ଶ୍ରୀ ପାଣ୍ଡିଆନ୍ ଘୋଷଣା କରିଛନ୍ତି।
ଗୁରୁବାର ଦିନ ପ୍ରାୟ ସାଢ଼େ ୧୧ଟାରେ ଶ୍ରୀ ପାଣ୍ଡିଆନ୍ ରାଜଗାଙ୍ଗପୁର ଜାମପାଲି ଷ୍ଟାଡିୟମରେ ଆୟୋଜିତ ସଭାରେ ଉଦ୍ବୋଧନ ଦେଇ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀକୁ ବହୁତ ଭଲପାଆନ୍ତି। ତେଣୁ ଏହି ନିର୍ବାଚନମଣ୍ଡଳୀର ବିକାଶ ପାଇଁ ୧୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହାପରେ ଶ୍ରୀ ପାଣ୍ଡିଆନ୍ ଦିନ ପ୍ରାୟ ସାଢ଼େ ୧୨ଟାରେ ନୂଆଗାଁ ବ୍ଲକ ପୁରୁଣାପାଣିସ୍ଥ ସେଲ୍ ହକି ପଡ଼ିଆରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ସଭାରେ ସେ କହିଲେ, ଆମ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ ବରଂ କାମରେ ବିଶ୍ୱାସ କରନ୍ତି। ତେଣୁ ଲୋକଙ୍କ ପ୍ରତ୍ୟେକଟି ସମସ୍ୟାର ସମାଧାନ କରୁଛନ୍ତି। ନୂଆଗାଁ ଓ କୁଆରମୁଣ୍ଡାରେ ଦୁଇଟି ନୂଆ ଡିଗ୍ରି କଲେଜ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। ଶୁବ୍ ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ରାଉରକେଲାରେ ବିଶ୍ୱର ସର୍ବବୃହତ ହକି ଷ୍ଟାଡିଅମ (ବିର୍ସାମୁଣ୍ଡା ହକି ଷ୍ଟାଡିୟମ ପ୍ରତିଷ୍ଠା) ସହ ହକି ବିଶ୍ୱକପ୍ ଆୟୋଜନ କରି ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ପ୍ରତି ସମ୍ମାନ ଜଣାଇଛନ୍ତି। ମନ୍ଦିର, ମସଜିଦ, ଗୀର୍ଜା ଓ ଗୋଷ୍ଠୀକେନ୍ଦ୍ର ଉନ୍ନତୀକରଣ ମିଳିଥିବା ପ୍ରସ୍ତାବ ଆସନ୍ତା ୧୦ ଦିନ ମଧ୍ୟରେ କାର୍ଯ୍ୟକାରୀ ହେବ। ଅନ୍ୟ ଦରଖାସ୍ତଗୁଡ଼ିକ ସମ୍ପର୍କରେ ୩୦ ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ନିଶ୍ଚୟ ଉତ୍ତର ମିଳିବ ବୋଲି ସେ କହିଥିଲେ। ଆସନ୍ତା ୨ ମାସରେ ଜିଲ୍ଲାର ପ୍ରତି ପଞ୍ଚାୟତରେ ‘ଆମ ବ୍ୟାଙ୍କ ଯୋଜନା ଆରମ୍ଭ ହେବ। କେବଳ ଏତିକି ନୁହେଁ, ଫେବ୍ରୁଆରି ସୁଦ୍ଧା ଜିଲ୍ଲାର ପ୍ରତି ପଞ୍ଚାୟତରୁ ଲକ୍ଷ୍ମୀ ବସ୍ ଗଡ଼ିବ। ମା’ମାନଙ୍କୁ ସର୍ବନିମ୍ନ ଭଡା ମାତ୍ର ୫ଟଙ୍କା ଦେବାକୁ ହେବ ବୋଲି ସେ କହିଥିଲେ।
ନୂଆଗାଁ ପରେ ବଣାଇ ବ୍ଲକ ଅନ୍ତର୍ଗତ ବୈଦପାଲି ବାଳିକା ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଆୟୋଜିତ ସଭାରେ ଶ୍ରୀ ପାଣ୍ଡିଆନ୍ ଘୋଷଣା କରିଥିଲେ ଯେ ବଣାଇ କଲେଜ ବିକାଶ ପାଇଁ କୋଟିଏ ଟଙ୍କା, ଗୁରୁଣ୍ଡିଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଉନ୍ନତି ପାଇଁ ୨୫ ଲକ୍ଷ ଓ ବଣାଇ ଉପଖଣ୍ଡ ଡାକ୍ତରଖାନାରେ ଡାଇଲିସିସ୍ ସେବା ପାଇଁ ମୁଖ୍ୟମନ୍ତ୍ରୀ ୧ କୋଟି ୮୧ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ବଣାଇ ସବ୍ଡିଭିଜନ୍ର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଓ କଲେଜଗୁଡ଼ିକୁ ୫ଟି ଅଧୀନରେ ରୁପାନ୍ତରୀକରଣ କରାଯାଉଛି। ଆସନ୍ତା ୧୪ ତାରିଖ ସୁଦ୍ଧା ବଣାଇର ଧାର୍ମିକ ଅନୁଷ୍ଠାନଗୁଡ଼ିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିବେ। ଶ୍ରୀ ପାଣ୍ଡିଆନ୍ଙ୍କ ଏହି ସଭା ଗୁଡ଼ିକରେ ଶ୍ରମମନ୍ତ୍ରୀ ସାରଦା ନାୟକ, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଂଜନ ଘଡ଼େଇ, ହକିଇଣ୍ଡିଆ ସଭାପତି ଦିଲୀପ ତିର୍କି, ବିଧାୟକ ସୁବ୍ରତ ତରାଇ, ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ ପ୍ରମୁଖ ଉପସ୍ଥିତ ଥିଲେ।