ଭୁବନେଶ୍ୱର: ରାଜ୍ୟର ୨୧ଟି ଜିଲ୍ଲା ଜାତୀୟ ସିକିଲସେଲ ରକ୍ତହୀନତା ନିରାକରଣ ମିସନ୍ ଅଧୀନରେ ସାମିଲ ହୋଇଛି। ୨୦୨୩ ମସିହା ଜୁଲାଇରୁ ୨୦୨୫-୨୬ ଅବଧିରେ ରାଜ୍ୟରେ ୪୬.୬୫ଲକ୍ଷ ପରୀକ୍ଷା ହୋଇଛି। ଏଥିରେ ୯୭ହଜାର ୫୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସିକିଲସେଲ୍ ଓ ଥାଲାସେମିଆ ପରିଚାଳନା ବୈଠକରୁ ଏହି ସୂଚନା ମିଳିଛି।
ସିକିଲସେଲ୍ ରକ୍ତହୀନତା ନିରାକରଣ ମିସନ ଅଧୀନରେ ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ବୌଦ୍ଧ, ଦେବଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲା ରହିଛି। ବିଦ୍ୟାଳୟ ଓ ଆଙ୍ଗନବାଡ଼ି କେନ୍ଦ୍ରରେ ଜନ୍ମଠାରୁ ୧୮ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଆରବିଏସ୍କେ ଟିମ୍ ଓ ଗର୍ଭବତୀ ମହିଳାଙ୍କୁ ଆଣ୍ଟିନେଟାଲ୍ କେୟାର ସମୟରେ ସ୍କ୍ରିନିଂ କରାଯାଉଛି। ଆଦିବାସୀ ଅଞ୍ଚଳରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ୟୁନିଟ୍ ମାଧ୍ୟମରେ ପରୀକ୍ଷା ସୁବିଧା ଦିଆଯାଉଛି। ସହରରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ପରୀକ୍ଷା ସୁବିଧା ରହିଛି। ସେହିପରି ପ୍ରତ୍ୟେକ ପଞ୍ଜୀକୃତ ସିକିଲସେଲ ରୋଗୀଙ୍କୁ ଯାତାୟାତ ଖର୍ଚ୍ଚ ପାଇଁ ତାଙ୍କର ବ୍ୟାଙ୍କ ଖାତାକୁ ପ୍ରତିମାସ ୫ଶହ ଟଙ୍କା ଓ ମାଗଣା ରକ୍ତ ଯୋଗାଇ ଦିଆଯାଉଛି। ବ୍ଲଡ୍ ପ୍ୟାକ୍ ସର୍ଭିସ୍ ଚାର୍ଜରୁ ସେମାନଙ୍କୁ ମୁକ୍ତ କରାଯାଇଛି। ସରକାରୀ ଡାକ୍ତରଖାନାରେ ମାଗଣା ଔଷଧ ଦିଆଯାଉଛି। ୧୨ ବର୍ଷରୁ କମ୍ ବୟସର ଶିଶୁଙ୍କ ଅସ୍ଥି ମଜ୍ଜା ପ୍ରତିରୋପଣ ପାଇଁ ସର୍ବୋଚ୍ଚ ୧୦ ଲକ୍ଷ ଟଙ୍କା ଅର୍ଥ ସାହାଯ୍ୟ ଦିଆଯାଉଛି।
ସ୍ବାସ୍ଥ୍ୟ ସଚିବ ଅଶ୍ବତୀ ଏସ୍.ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ସିକିଲସେଲ ଓ ଥାଲାସିମିଆର ବର୍ତ୍ତମାନ ସ୍ଥିତି, ପ୍ରାରମ୍ଭିକ ସନ୍ଧାନ, ପ୍ରତିରୋଧୀମୂଳକ ବ୍ୟବସ୍ଥା, ଚିକିତ୍ସା ସୁବିଧା ଓ ରୋଗୀ ସେବା ସମ୍ପର୍କରେ ସମୀକ୍ଷା ହୋଇଥିଲା। ଏହାସହ ସ୍କ୍ରିନିଂ, ଜିନେଟିକ୍ କାଉନସେଲିଂ ଓ ନିଦାନ ସୁବିଧା ବାବଦରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦ୍ଦେଶିକା ବୃନ୍ଦା ଡି. , ଡା. ବିଜୟ ମହାପାତ୍ର, ସ୍ମିତା ବିଶ୍ୱାଳ, ଡା. ଜିତେନ୍ଦ୍ର ବେବର୍ତା, ଡା. ବିଶ୍ୱମୋହନ ମିଶ୍ର ଓ ଶ୍ରୀକାନ୍ତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/21/celldgdggd-2025-08-21-00-22-05.jpg)