ବ୍ରହ୍ମପୁର: ସହରାଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ରାଜ୍ୟ ସରକାର ‘ମୁକ୍ତା’ (ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା) ପ୍ରଣୟନ କରିଛନ୍ତି। ଏହା ଜରିଆରେ ପ୍ରତ୍ୟେକ ସହରାଞ୍ଚଳକୁ ପ୍ରତିବର୍ଷ ସ୍ବତନ୍ତ୍ର ଅର୍ଥ ବରାଦ କରାଯାଉଛି। ଚଳିତ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଗଞ୍ଜାମ ଜିଲ୍ଲା ନିମନ୍ତେ ମୋଟ ୭୬କୋଟି ୩୩ଲକ୍ଷ ଟଙ୍କା ମଂଜୁର ହୋଇଛି। ଏ ବର୍ଷ ଜିଲ୍ଲାରେ ମୋଟ ୯୭୧ଟି ପ୍ରକଳ୍ପ ମୁକ୍ତା ଯୋଜନାରେ ହାତକୁ ନିଆଯିବ। ଏହି ସମସ୍ତ କାମ ସମ୍ପୃକ୍ତ ଅଞ୍ଚଳର ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଜରିଆରେ ସମ୍ପାଦନ ହେବ। ଚଳିତ ଆର୍ଥିକ ବର୍ଷରେ ବ୍ରହ୍ମପୁର ମହାନଗରରେ ସର୍ବାଧିକ ୩୯୮ଟି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଗଞ୍ଜାମ ଜିଲ୍ଲାର ୧୬ଟି ଏନ୍‌ଏସି ଏବଂ ଗୋଟିଏ ମ୍ୟୁନସିପାଲଟି ପାଇଁ ୫୭୩ଟି ପ୍ରକଳ୍ପ ମଂଜୁର ହୋଇଥିବା ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ନୀଳମାଧବ ଭୋଇ ସୂଚନା ଦେଇଛନ୍ତି। କେତେକ ଏନ୍‌ଏସିରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇ କାମ ଆରମ୍ଭ ହୋଇ ସାରିଲାଣି। ଖୁବଶୀଘ୍ର ସମସ୍ତ ସହରାଞ୍ଚଳରେ ମୁକ୍ତା ଯୋଜନା କାମ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।

Advertisment

ମୁକ୍ତା ଯୋଜନାରେ ବିଭିନ୍ନ କାମ କରାଯାଉଛି। ବର୍ତ୍ତମାନ ଭୂତଳ ଜଳସ୍ତର ଧୀରେ ଧୀରେ କମୁ ଥିବାରୁ ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପକୁ ଅଧିକ ଗୁରୁତ୍ବ ଦିଆଯାଉଛି। ସେହିପରି ପାର୍କ, ପେଭର୍‌ ବ୍ଲକ୍‌ ରାସ୍ତା ଭଳି କାମ ହାତକୁ ନିଆଯାଉଛି। ଗଞ୍ଜାମ ଜିଲ୍ଲାର ୧୬ଟି ଏନ୍‌ଏସି ଓ ହିଂଜିଳିକାଟୁ ମ୍ୟୁନସିପାଲଟି ନିମନ୍ତେ ମଂଜୁର ହୋଇଥିବା ୫୭୩ଟି ପ୍ରକଳ୍ପ ମଧ୍ୟରୁ ୨୪୮ଟି ପ୍ରକଳ୍ପର ଏଷ୍ଟିମେଟ୍‌ ସରିଛି। ୧୬ଟି ପ୍ରକଳ୍ପର କାର୍ଯ୍ୟାଦେଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ବୁଗୁଡ଼ା ଏନ୍‌ଏସି ପାଇଁ ସର୍ବାଧିକ ୫୭ଟି ପ୍ରକଳ୍ପ ମଂଜୁର କରାଯାଇଛି। ମୁକ୍ତା ଯୋଜନାରେ ହେଉଥିବା କାମର ମାନକୁ ନେଇ ବିଗତ ବର୍ଷରେ ପ୍ରଶ୍ନ ଉଠିଥିଲା। ବିଶେଷ କରି ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ ଓ ତା’ର ସ୍ଥାନ ନିରୂପଣକୁ ନେଇ ବହୁ ଲୋକ ପ୍ରଶ୍ନ ଉଠାଇଥିଲେ। ଏଣୁ ଏଥର ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ତଦାରଖରେ ସମସ୍ତ କାମ କରାଯାଉଥିବା ସୂଚନା ଦିଆଯାଇଛି। ବ୍ରହ୍ମପୁର ମହାନଗର ନିମନ୍ତେ ମଂଜୁର ହୋଇଥିବା ୩୯୮ଟି ପ୍ରକଳ୍ପ ପାଇଁ ମୋଟ ୩୪କୋଟି ୭୬ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ବ୍ରହ୍ମପୁର ସହରରେ ଏହି ଯୋଜନାରେ ପେଭର୍‌ ବ୍ଲକ୍‌, ପାର୍କ ଓ ମୁକ୍ତାକାଶ ଜିମ୍‌ ନିର୍ମାଣକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଯେଉଁ ସ୍ଥାନରେ ରାସ୍ତା ତିଆରିରେ ସମସ୍ୟା ‌ଦେଖା ଦେଉଛି, ସେଠାରେ ପେଭର୍‌ ବ୍ଲକ୍‌ ପକାଯାଉଛି। ସେହିପରି ବ୍ରହ୍ମପୁର ସହରର ଫୁଟ୍‌ପାଥ୍‌ର ସୌନ୍ଦର୍ଯ୍ୟୀକରଣ ପାଇଁ ମଧ୍ୟ ପେଭର୍‌ ବ୍ଲକ୍‌ ପକାଯାଉଥିବା ଦେଖିବାକୁ ମିଳୁଛି।