ବିଦେଶକୁ ରପ୍ତାନି ହୋଇଛି ୯୭୫ କେଜି ମିଲେଟ

ଭୁବନେଶ୍ବର : ଚଳିତବର୍ଷ ପୂର୍ବ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରୁ ୯୭୫ କେ.ଜି ମିଲେଟ ଦୁବାଇ ଓ ୟୁଏଇକୁ ଏପିଇଡିଏ(କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ରପ୍ତାନି ବିକାଶ କର୍ତୃପକ୍ଷ) ମାଧ୍ୟମରେ ରପ୍ତାନି କରାଯାଇଛି। ୨୦୧୮-୧୯ ମସିହାରୁ ଚାଷୀମାନଙ୍କଠାରୁ ଉତ୍ପାଦିତ ହେଉଥିବା ମାଣ୍ଡିଆକୁ ଆଦିବାସୀ ଉନ୍ନୟନ ସମବାୟ ନିଗମ ଓଡ଼ିଶା(ଟିଡିସିସି) ମାଧ୍ୟମରେ ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ କରାଯିବାର ବ୍ୟବସ୍ଥା ରହିଥିବା ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସ୍ବାଇଁ କହିଛନ୍ତି ଯେ ୨୦୧୭ ମସିହାରୁ ରାଜ୍ୟରେ ଓଡ଼ିଶା ମିଲେଟ ମିସନ କାର୍ଯ୍ୟକାରୀ ହେଉଛି। ଏହି ଯୋଜନାରେ ହେକ୍ଟର ପ୍ରତି ମାଣ୍ଡିଆ ଜାତୀୟ ଶସ୍ୟ ଉତ୍ପାଦନ ପାଇଁ ଚାଷୀମାନଙ୍କୁ ୩ବର୍ଷ ପର୍ଯ୍ୟନ୍ତ ଡିବିଟି ମାଧ୍ୟମରେ ବିଭିନ୍ନ ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ସୁବିଧା ରହିଛି। ଏହି ସୁଯୋଗ ପ୍ରତ୍ୟେକ ଚାଷୀ ସର୍ବାଧିକ ୨ ହେକ୍ଟର ମାଣ୍ଡିଆ ଜାତୀୟ ଶସ୍ୟ ଚାଷ ପାଇଁ ପାଇପାରିବେ। ୨୦୧୭-୧୮ରୁ ୨୦୨୧-୨୨ ପର୍ଯ୍ୟନ୍ତ ଚାଷୀମାନଙ୍କୁ ପ୍ରୋତ୍ସାହନ ରାଶି ବାବଦରେ ୬୩୧୩,୦୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ୨୦୨୨-୨୩ ବର୍ଷଠାରୁ ଏହି ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରାଯିବାର ବ୍ୟବସ୍ଥା କରାଯାଇଛି। ୨୦୨୧-୨୨ ମସିହାରେ ୧୫୬.୦୬ ମେଟ୍ରିକ୍ ଟନ୍‌ ମାଣ୍ଡିଆ ଉତ୍ପାଦନ ହୋଇଛି। ୨୦୧୮-୧୯‌‌ରେ ୧୭,୯୮୫ କ୍ବିଣ୍ଟାଲ, ୨୦୧୯-୨୦ରେ ୯୪,୭୪୫, ୨୦୨୦-୨୧ରେ ୨,୦୩,୮୪୩, ୨୦୨୧-୨୨ରେ ୩,୨୩,୦୧୯ ଓ ୨୦୨୨-୨୩ରେ ୩,୮୫,୧୭୩ କ୍ବିଣ୍ଟାଲ ମାଣ୍ଡିଆ କିଣାଯାଇଥିବା ବେଳେ ଏହାକୁ ୩୭,୫୭୦ କୃଷକ ବିକ୍ରି କରିଛନ୍ତି। ଚାଷୀଙ୍କ ଆୟବୃଦ୍ଧି ସଂପର୍କରେ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ଦ୍ବାରା ଏକ କ୍ଷେତ୍ରସ୍ତରୀୟ ମୂଲ୍ୟାଙ୍କନ(ମିଡ ଟର୍ମ ଇଭାଲ୍ୟୁସନ୍‌) କରାଯାଇଛି। ପୁଷ୍ଟିଶସ୍ୟର ଚାଷ ଦ୍ବାରା ୨୦୧୬-୧୭ ମୂଳବର୍ଷ ତୁଳନାରେ ଚାଷୀଙ୍କ ଆୟ ୯୪୩ ଟଙ୍କାରୁ ୨୦୨୧-୨୨ ମଧ୍ୟରେ ୧୩୦୪୨ ଟଙ୍କାକୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର