ଟ୍ରେନ୍‌ କଣ୍ଡକ୍ଟର ଓ ଟିଟିଇ ଙ୍କ ସାଧୁତା; ୯୮ ହଜାର ଟଙ୍କା ସହ ସୁନା କାନଫୁଲ ପାଇ ଯାତ୍ରୀଙ୍କୁ ଫେରାଇଲେ

ବାଲେଶ୍ବର: ଏବେ ବି ମଣିଷପଣିଆ ବଂଚିଛି। ଯାହାକୁ ରେଳ ବିଭାଗର କର୍ମଚାରୀ ପ୍ରମାଣ କରି ଦେଖାଇଛନ୍ତି। ଜଣେ ଯାତ୍ରୀଙ୍କର ବ୍ୟାଗ୍‌ରେ ଥିବା ଟଙ୍କା ସହ ସୁନା ଗହଣା ଓ ଜରୁରୀ କାଗଜପତ୍ରକୁ ଟ୍ରେନ୍‌ ବଗିରୁ ପାଇବା ପରେ ଫେରାଇଥିବା ଜଣାଯାଇଛି। କର୍ମଚାରୀଙ୍କ ଏହି ସାଧୁତାକୁ ସବୁ ମହଲରୁ ପ୍ରଶଂସା କରାଯାଇଛି।
ସୂଚନା ମୁତାବକ, ପୁରୀ-ହାଉଡା ଏକ୍ସପ୍ରେସ୍‌ରେ ଜଣେ ଯାତ୍ରୀ କଟକରୁ ହାଉଡ଼ା ଯାଉଥିଲେ। ଗତକାଲି ରାତି ପାଖାପାଖି ୧ ଟା ସମୟରେ ଟ୍ରେନ୍‌ଟି ବାଲେଶ୍ବରର ଷ୍ଟେସନ୍‌ରେ ରୋକିଥିଲା। ଯାତ୍ରୀ ଜଣକ ପାଣି ଆଣିବାକୁ ଯାଇଥିଲେ। ହେଲେ ଟ୍ରେନ୍‌ଟି ଏହି ସମୟରେ ଛାଡ଼ିଦେଇଥିଲା। ଖଡ଼ଗପୁରରେ ଟ୍ରେନ୍‌ଟି ପହଞ୍ଚିବା ପରେ ୬ ନମ୍ବର ବଗିରେ ବ୍ୟାଗ୍‌ଟି ରହିଯାଇଥିବା ଦେଖି ଟିଟିଇ ମ‌ନୋଜ କୁମାର ଏ ସଂର୍ପକରେ ଉପରସ୍ଥ ଅଧିକାରୀ ତଥା ଟ୍ରେନ୍‌ କଣ୍ଡକ୍ଟର ଡିକେ ଶାହାଙ୍କୁ ଖବର ଦେଇଥିଲେ। ପରେ ଖଡ଼ଗପୁର ରେଳ ସୁରକ୍ଷା ବାହିନୀକୁ ବ୍ୟାଗ୍‌ଟିକୁ ହସ୍ତାନ୍ତର କରାଯାଇଥିଲା। ଏହି ବ୍ୟାଗ୍‌ ଭିତରୁ ୯୮ ହଜାର ଟଙ୍କା ସହିତ ଏକ ସୁନା କାନଫୁଲ ଓ ଜରୁରୀ କାଗଜପତ୍ର ରହିଥିଲା। ରେଳ ସୁରକ୍ଷା ବାହିନୀ ତଦନ୍ତ କରିବା ପରେ ଏହି ବ୍ୟାଗ୍‌ଟି ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ଦାଦପୁର ଅମରା ଅଞ୍ଚଳର ସେଖ ଗୁଲାମ୍‌ଙ୍କର ବୋଲି ଜଣାପଡ଼ିଥିଲା। ଆଜି ସେଖ୍‌ ଗୁଲାମ୍‌ଙ୍କୁ ସୁରକ୍ଷିତ ଭାବେ ବ୍ୟାଗ୍‌କୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର