ଭୁବନେଶ୍ୱର: ଅବିଭକ୍ତ ଗଂଜାମ ଜିଲ୍ଲାରେ ୯୮୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ କେବଳ ଗଜପତି ଜିଲ୍ଲାରେ ୧୯୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ବାକି ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ୪ ହଜାର ୬୭୭ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରୁ ଅବିଭକ୍ତ ଗଂଜାମ ଜିଲ୍ଲାରୁ କେବଳ ୨୧.୧୦ ପ୍ରତିଶତ।

Advertisment

ଗଂଜାମ ଜିଲ୍ଲାରେ ଗତ ମାସ ୩ ତାରିଖରେ ସୁରତ ଫେରନ୍ତା ୨ ଜଣ ଯୁବକ ପ୍ରଥମ ଥର ପାଇଁ କରେନା ପଜିଟିଭ ଚିହ୍ନଟ ହୋଇଥିଲେ। ସେହିଦିନ ଠାରୁ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୭୯୬ ଜଣ ପଜିଟିଭ ଚିହ୍ନଟ ହୋଇ ସାରିଛନ୍ତି। ଗଂଜାମରେ ଗତ ୫ ତାରିଖ ଏକକାଳୀନ ୬୪ ଜଣ ଓ ୧୭ ତାରିଖରେ ୫୬ ଜଣ ରୋଗୀ ଚିହ୍ନଟ ହୋଇଥିଲେ। ଏଥିରୁ ୬୪୧ ଜଣ ସୁସ୍ଥ ହୋଇଥିବା ବେଳେ ୧୪୯ ଜଣ ରୋଗୀଙ୍କର ଚିକିତ୍ସା ଜାରି ରହିଛି। କିନ୍ତୁ ୬ ଜଣ ବ୍ୟକ୍ତି ଜୀବନ ହରାଇ ସାରିଛନ୍ତି।

-ଅବିଭକ୍ତ କଟକ ଜିଲ୍ଲାରେ ୧୦୯୨ (କଟକ ୩୬୬, ଯାଜପୁର ୩୫୮, କେନ୍ଦ୍ରାପଡ଼ା ୧୯୩ ଓ ଜଗତ୍‌ସିଂହପୁର ୧୭୫) ଜଣ କରୋନା ପଜିଟିଭ।
-ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ୪୫୭ (ବାଲେଶ୍ୱର ୨୭୭ ଓ ଭଦ୍ରକ ୧୮୦) ଜଣ କରୋନା ଆକ୍ରାନ୍ତ।
-ଅବିଭକ୍ତ ପୁରୀ ଜିଲ୍ଲାରେ ୭୩୬ (ଖୋର୍ଦ୍ଧା ୪୧୨, ପୁରୀ ୨୧୧ ଓ ନୟାଗଡ଼ ୧୧୩) ଜଣ କରୋନା ପଜିଟିଭ।
-ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ୧୩୫ (ବରଗଡ଼ ୫୦, ଦେବଗଡ଼ ୪୦, ସମ୍ବଲପୁର ୨୪ ଓ ଝାରସୁଗୁଡ଼ା ୨୧) ଜଣ କରୋନା ଆକ୍ରାନ୍ତ।

ଗଜପତି ଜିଲ୍ଲାକୁ ବଳମ୍ବରେ କରୋନା ଭାଇରସ ପହଞ୍ଚି ଥିଲେ ବି ଏଯାଏଁ ୨୮ ଦିନ ମଧ୍ୟରେ ୧୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ଜଣ ସୁସ୍ଥ ହୋଇଥିବା ବେଳେ ୧୧୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ତେବେ ଗଂଜାମ ଓ ଗଜପତି ଜିଲ୍ଲାରେ କରୋନା ଭାଇରସ ସଂକ୍ରମଣ ବଢ଼ିବାରେ ଲାଗିଛି ପଡୋଶୀ କୋରାପୁଟ ଓ ରାୟଗଡ଼ାକୁ ଚେତାବନୀ ଦେଉଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୨ ଲକ୍ଷ ୧୬ ହଜାର ୬୦୭ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଆଜି ପର୍ଯ୍ୟନ୍ତ ମୋଟ ୪୬୭୭ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି।