ଭୁବନେଶ୍ୱର : ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତନ ନେଇ ସ୍ୱତନ୍ତ୍ର ରିଲିଫ୍ କମିସନର (ଏସ୍ଆରସି) ବୃଷ୍ଟିପାତ ନେଇ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତିି। ଏହି ତଥ୍ୟାବଳୀରୁ ରାଜ୍ୟର ମୋଟ ୯୯ଟି ବ୍ଲକରେ ସ୍ୱଳ୍ପବୃଷ୍ଟି ହୋଇଛି। ଆସନ୍ତା ୨୨ ତାରିଖ ସୁଦ୍ଧା ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାରେ ମରୁଡ଼ି ସଂପର୍କିତ ବିବରଣୀ ପ୍ରଦାନ କରିବାକୁ ସରକାର ନିର୍ଦେଶ ଦେଇଛନ୍ତିି। ଏହି ଦୃଷ୍ଟିରୁ ଏସ୍ଆରସିଙ୍କ ତଥ୍ୟ ଗୁରୁତ୍ୱ ବହନ କରୁଛି।
ଆଜି ସନ୍ଧ୍ୟାରେ ଏସ୍ଆରସି ପ୍ରଦାନ କରିଥିବା ତଥ୍ୟାନୁସାରେ ଜୁନ୍ ୧ରୁ ଅକ୍ଟୋବର ୧୭ ତାରିଖ ସୁଦ୍ଧା ରାଜ୍ୟରେ ଲଙ୍ଗ୍ ପିରିୟଡ୍ ଆଭରେଜ୍(ଏଲ୍ପିଏ) ଅନୁଯାୟୀ ବୃଷ୍ଟିପାତ ପରିମାଣ ୧୨୦୭.୨ ମିଲିମିଟର। କିନ୍ତୁ ଏହି ସମୟ ମଧ୍ୟରେ ହୋଇଛି ୧୧୧୭.୭ ମି.ମି. ବୃଷ୍ଟିପାତ। ଏଣୁ ଏଲ୍ପିଏଠାରୁ ୭.୪ ପ୍ରତିଶତ କମ୍ ରେକର୍ଡ ହୋଇଛି। ଗଜପତି ଜିଲ୍ଲାରେ ବୃଷ୍ଟିପାତ ୨୮.୨ ପ୍ରତିଶତ ଅଧିକ ହୋଇଛି। ୨୧ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ଦର୍ଶାଯାଇଛି। କିନ୍ତୁ ୮ଟି ଜିଲ୍ଲା ଯଥା: ଅନୁଗୁଳ, ବରଗଡ଼, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ଢେଙ୍କାନାଳ, କେନ୍ଦୁଝର ଏବଂ ଯାଜପୁର ଜିଲ୍ଲାରେ ବୃଷ୍ଟିପାତ ହାର ଏଲ୍ପିଏ ତୁଳନାରେ ୧୯ ପ୍ରତିଶତ କମ୍ ହୋଇଛି।
ବ୍ଲକ ହିସାବରେ ୫୧ଟି ବ୍ଲକରେ ସ୍ୱାଭାବିକ ପରିମାଣଠାରୁ ୧୯%ରୁ ଅଧିକ ବୃଷ୍ଟିପାତ ହୋଇଥିବା ବେଳେ ୧୬୪ଟି ବ୍ଲକରେ ବୃଷ୍ଟିପାତ ହାର ସ୍ୱାଭାବିକ। କିନ୍ତୁ ୭୬ ବ୍ଲକରେ ବୃଷ୍ଟିପାତ ହାର ସ୍ୱାଭାବିକ ପରିମାଣଠାରୁ ୧୯ରୁ ୩୯% କମ୍ ରହିଛି। ଆହୁରି ୨୦ଟି ବ୍ଲକରେ ଏହି ହାର ୩୯ରୁ ୫୯% କମ୍। ତେବେ ୩ଟି ବ୍ଲକ ଯଥା: ଢେଙ୍କାନାଳର ଓଡ଼ପଡ଼ାରେ ସ୍ୱାଭାବିକ ପରିମାଣଠାରୁ ୬୩% କମ୍ ଥିବା ବେଳେ କେନ୍ଦୁଝରର ହାଟଡିହିରେ ୬୧.୮% କମ୍ ଏବଂ ବଲାଙ୍ଗୀରର ବେଲ୍ପଡ଼ାରେ ୬୧.୧% କମ୍ ରେକର୍ଡ ହୋଇଛି। ତେବେ ସ୍ୱଳ୍ପବୃଷ୍ଟିପାତ ହୋଇଥିବା ୯୯ଟି ବ୍ଲକର ନାମ ଏସ୍ଆରସି ଦେଇନାହାନ୍ତି।