ଫେବ୍ରୁଆରି ସୁଦ୍ଧା ବଣ୍ଟାଯାଇଛି ୯୯% ପାଠ୍ୟପୁସ୍ତକ

ଭୁବନେଶ୍ବର: ରାଜ୍ୟ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ସ˚ସ୍ଥା ପକ୍ଷରୁ ରାଜ୍ୟର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳକୁ ୯୯ ପ୍ରତିଶତ ପାଠ୍ୟପୁସ୍ତକ ବିତରଣ ହୋଇସାରିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଆବଶ୍ୟକୀୟ ପାଠ୍ୟପୁସ୍ତକ ବିତରଣ କରିବା ଲକ୍ଷ୍ୟରେ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କାର୍ଯ୍ୟାଳୟ ପୁସ୍ତକ ବଣ୍ଟନ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୨ କୋଟି ୬୦ ଲକ୍ଷ ପୁସ୍ତକ ଆବଶ୍ୟକ। ସେଥିମଧ୍ୟରୁ ବର୍ତମାନ ସୁଦ୍ଧା ୨ କୋଟି ୫୩ ଲକ୍ଷ ପାଠ୍ୟପୁସ୍ତକ ସବୁ ଜିଲ୍ଲାକୁ ବିତରଣ କରାଯାଇଛି। ଏଥିସହ ୨୧ ଲକ୍ଷ ଉଜ୍ଜ୍ବଳ ଓ ଉତ୍‌ଥାନ ପୁସ୍ତକ ମଧ୍ୟ ରାଜ୍ୟର ବିଭିନ୍ନ ବ୍ଲକରେ ପହଞ୍ଚି ସାରିଲାଣି।

ରାଜ୍ୟ ବାହାରର ଓଡିଆ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ ସମୟରେ ପାଠ୍ୟପୁସ୍ତକ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରଥମ କିସ୍ତିରେ ଗୁଜୁରାଟର ସୁରଟକୁ ୩୫ ହଜାର ପୁସ୍ତକ ଯୋଗାଣ ପାଇଁ ସ୍ଥିର ହୋଇଛି।

ସୂଚନାଯୋଗ୍ୟ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପୁସ୍ତକ ବିତରଣ କାର୍ଯ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦ୍‌ଘାଟନ କରିଥିଲେ। ପ୍ରତିବର୍ଷ ପୁସ୍ତକ ବିତରଣ କାର୍ଯ୍ୟ ଜୁନ-ଜୁଲାଇ ମାସରେ ସମାପ୍ତ ହେଉଥିବା ବେଳେ ଚଳିତବର୍ଷ ଫେବ୍ରୁଆରି ଶେଷ ସୁଦ୍ଧା ୯୯% ପୁସ୍ତକ ବିତରଣ ଏକ ସଫଳତା। ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ବଳକା ପୁସ୍ତକ ଯୋଗାଇଦେବା ନିମନ୍ତେ ଅନୁଷ୍ଠାନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ବୋଲି ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କାର୍ଯ୍ୟାଳୟ ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର