ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ୯୯ ପ୍ରତିଶତ ଚାଷଜମି ଜଳସେଚିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ମାରାଗୁଡ଼ା ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଛନ୍ତି। ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ନୂଆପଡ଼ା ଜିଲ୍ଲାର ୯୯ ପ୍ରତିଶତ ଚାଷଜମିକୁ ଜଳସେଚନ କରିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ଜିଲ୍ଲାରେ ଯେଉଁଠାରେ ନଦୀ, ନାଳ ରହିଛି ସେଠାରେ ଡ୍ୟାମ୍ ନିର୍ମାଣ କରାଯିବ। ତା’ ସହ ଜିଲ୍ଲାରେ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ କରାଯିବ। ବର୍ତ୍ତମାନ ଓଡ଼ିଶାରେ ଡବଲ୍ ଇଞ୍ଜିନ୍ର ସରକାର ଚାଲିଛି। ସେଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ତ୍ତମାନ ବିକାଶ ତ୍ବରାନ୍ବିତ ହୋଇଛି ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୧୮.୮୯ କୋଟି ଟଙ୍କା ବ୍ୟୟ ଅଟକଳରେ ୩୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ମାଳବିକା ଦେଓ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ବିଶିଷ୍ଟ ଲେଖକ ଦାଶ ବେନହୁର ଓ ଜିଲ୍ଲା ପରିଷଦ ସଭାପତି ଡଲି ମାଝୀ ଅତିଥି ଭାବେ ଯୋଗ ଦେଇଥିଲେ। ତରବୋଡ଼ ଜବାହର ନବୋଦୟ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ବାରା ବନ୍ଦେ ଉତ୍କଳ ଜନନୀ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ଖଡ଼ିଆଳ ବିରିଘାଟ ଜୟ ମା’ ଠାକୁରାଣୀ ଘୁମରା ଦଳ, ନୂଆପଡ଼ା ଜ୍ଞାନଜ୍ୟୋତି ବିଦ୍ୟାଳୟ, ପାୟଲ ସାଂସ୍କୃତିକ ଅନୁଷ୍ଠାନ, ନୂଆପଡ଼ା ନଟରାଜ ନୃତ୍ୟ ଏକାଡେମୀ, ଖୋର୍ଦ୍ଧା ଜଟଣୀର ଓଡ଼ିଶୀ ନୃତ୍ୟଦଳ, ନୀଳଶୈଳ ନୃତ୍ୟାଞ୍ଜଳି, ଭବାନୀପାଟଣା ନୃତ୍ୟକଳା ଅନୁଷ୍ଠାନ, ଗୋଲାମୁଣ୍ଡା ସମର୍ଥ ଦୃଷ୍ଟହୀନ ସଂଘ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ସଙ୍ଗୀତ ପରିବେଷଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/05/XCZDJ01DNIcuBWoccneS.jpg)