ଗୋଟିଏ ଦିନରେ ପ୍ରଥମ, ଦ୍ବିତୀୟ ଡୋଜ୍‌ରେ ୯୯% ଟିକାକରଣ

ଆଣ୍ଟିବଡ଼ି ପାଇଁ ନମୁନା ସଂଗ୍ରହ କ୍ୟାପିଟାଲ ହସ୍ପିଟାଲରେ ହେବ ତ?

ଭୁବନେଶ୍ବର : ଟିକା ନେଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି କି ନାହିଁ, ଜାଣିବା ଲାଗି ଆଣ୍ଟିବଡି ପରୀକ୍ଷା କରାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ‘କୋଭାକ୍ସିନ୍’ ପାଇଁ କ୍ୟାପିଟାଲ ହସ୍ପିଟାଲ ଓ ‘କୋଭିସିଲ୍‌ଡ’ ଟିକା ପାଇଁ ଭିମ୍‌ସାର ବୁର୍ଲାରେ ଆଣ୍ଟିବଡି ପାଇଁ ନମୁନା ସଂଗ୍ରହ କେନ୍ଦ୍ର ଭାବେ ରାଜ୍ୟ ସରକାର ଚୟନ କରିଛନ୍ତି। ହେଲେ ଭିମ୍‌ସାରରେ ଆଣ୍ଟିବଡି ନମୁନା ସଂଗ୍ରହ ଆରମ୍ଭ ହୋଇସାରିଥିବା ବେଳେ ପଛରେ ପଡ଼ିଛି କ୍ୟାପିଟାଲ ହସ୍ପିଟାଲ। କ୍ୟାପିଟାଲ ହସ୍ପିଟାଲରେ ଆଜିଠାରୁ ଆଣ୍ଟିବଡି ନମୁନା ସଂଗ୍ରହ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ତାହା ସମ୍ଭବ ହୋଇପାରି ନାହିଁ। ଆସନ୍ତାକାଲିଠାରୁ କ୍ୟାପିଟାଲ ହସ୍ପିଟାଲରେ କରୋନା ଟିକା ନେଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ଆଣ୍ଟିବଡି ନମୁନା ସଂଗ୍ରହ ଆରମ୍ଭ ହେବ ବୋଲି କୁହାଯାଉଛି।

ଅପରପକ୍ଷରେ ଗତ ୧୫ ତାରିଖଠାରୁ ରାଜ୍ୟରେ ଦ୍ବିତୀୟ ଡୋଜ୍ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଭିମ୍‌ସାର କର୍ତୃପକ୍ଷ ସେହିଦିନଠାରୁ ପ୍ରଥମ ଡୋଜ୍‌ ନେଇ ଆଣ୍ଟିବଡି ନମୁନା ସଂଗ୍ରହ ଆରମ୍ଭ କରି ଦେଇଥିବା ସୂଚନା ମିଳିଛି। ଭିମ୍‌ସାରରେ ୫ଶହ ସ୍ବାସ୍ଥ୍ୟକର୍ମୀଙ୍କ ନମୁନା ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି। ଏ ଦୃଷ୍ଟିରୁ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ସମାନ ସଂଖ୍ୟକ ସ୍ବାସ୍ଥ୍ୟକର୍ମୀଙ୍କ ଆଣ୍ଟିବଡି ନମୁନା ସଂଗ୍ରହ କରାଯିବ। ଏହି ଦୁଇ କେନ୍ଦ୍ର ବାଦ୍ ଅନ୍ୟ କେନ୍ଦ୍ରରେ ଆଣ୍ଟିବଡି ନମୁନା ସଂଗ୍ରହ ପାଇଁ କୌଣସି ସୂଚନା ନ ଥିବା ଆରଏମ୍‌ଆରସି ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି ସୂଚନା ଦେଇଛନ୍ତି।

ରାଜ୍ୟରେ ଆଜି ଉଭୟ ପ୍ରଥମ ଓ ‌ଦ୍ବିତୀୟ ଡୋଜ୍‌ରେ ୯୯ପ୍ରତିଶତରୁ ଅଧିକ ଟିକାକରଣ ସମ୍ଭବ ହୋଇଛି। ପ୍ରଥମ ଡୋଜ୍ ପାଇଁ ୩୫୬ ଅଧିବଶେନରେ ୮୦୮୮ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୮୦୭୦ ସ୍ବାସ୍ଥ୍ୟକର୍ମୀ ଟିକା ନେଇଥିଲେ। ଯାଜପୁରରେ ସର୍ବାଧିକ ୪୫୬ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ଭଦ୍ରକରେ ସର୍ବନିମ୍ନ ୨୧ପ୍ରତିଶତ ଟିକାକରଣ ସମ୍ଭବ ହୋଇପାରିଛି। ଏ ପର୍ଯ୍ୟନ୍ତ ୨ଲକ୍ଷ ୯୬ହଜାର ୫୩୮ଜଣ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇସାରିଲେଣି। ସେହିପରି ସମାନ ସଂଖ୍ୟକ ଅଧିବେଶନରେ ଦ୍ବିତୀୟ ଡୋଜ୍ ପାଇଁ ୩୫,୩୨୪ଜଣଙ୍କୁ ଟିକା ଦେବା ପାଇଁ ସ୍ଥିର ହୋଇଥିବା ବେଳେ ୩୫,୧୫୩ଜଣ ଟିକା ନେଇଛନ୍ତି। ମାଲକାନଗିରିରେ ୧୯୨ ପ୍ରତିଶତ ଓ ସୁନ୍ଦରଗଡ଼ରେ ୪୪ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ସମୁଦାୟ ୫୩,୪୦୧ଜଣ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି।

ସମ୍ବନ୍ଧିତ ଖବର