କରୋନାକୁ ହରାଇଲେ ୯୯ ବର୍ଷର ମଦନ

ନୂଆ ଜୀବନ ପାଇଲେ ଅସହାୟ ଶ୍ୟାମ ଗୁରୁ

କୁତ୍ରା (ସୁନ୍ଦରଗଡ଼) : ଚାରିଆଡ଼େ କରୋନାର ଆତଙ୍କରାଜ। ଏହିଭଳି ଏକ ଅବସ୍ଥାରେ ଜଣେ ୯୯ ବର୍ଷର ବୃଦ୍ଧ କରୋନାକୁ ପରାଜିତ କରିଛନ୍ତି। ୩୦ ଦିନ ଲଢ଼େଇ ପରେ ଜିତିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଓ ଠିକ୍‌ ଉପଚାର ହେଲେ କରୋନାକୁ ଯେ ପରାଜିତ କରିହେବ, ଏହା କରି ଦେଖାଇଛନ୍ତି। ଏହି ବୃଦ୍ଧ ବ୍ୟକ୍ତି ହେଉଛନ୍ତି, ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ସ୍ଥିତ ଟିମନା ଗାଁର ମଦନ ବାରିକ।

ଗତ ଏପ୍ରିଲ ୧୫ ତାରିଖରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥଲା। ଜ୍ବର ଓ କାଶ ବଢିବାକୁ ଲାଗିଲା। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ି ଯିବାରୁ ତାଙ୍କର ସାନପୁଅ ବିଭୀଷଣ ବାରିକ ତାଙ୍କୁ ସୁନ୍ଦରଗଡ଼ ସ୍ଥିତ ଏନ୍‌ଟିପିସି କୋଭିଡ ଡାକ୍ତରଖାନାକୁ ନେଇ ତାଙ୍କର ସିଟିସ୍କାନ କରାଇଥିଲେ। ପରୀକ୍ଷାରୁ ଜଣା ପଡ଼ିଥିଲା ଯେ ତାଙ୍କର ଫୁସଫୁସ ୭୦ ପ୍ରତିଶତ ସଂକ୍ରମିତ ହେବାସହ ତାଙ୍କର ଅକ୍ସିଜେନ ସ୍ତର ଖୁବ୍ କମି ଯାଇଛି। ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଭର୍ତ୍ତି ହେବାକୁ ଅନୁମିତି ଦେଇ ନଥିଲେ। ବାଧ୍ୟହୋଇ ବୃଦ୍ଧ ମଦନ ରିପୋର୍ଟ ଧରି ପୁଅ ସହିତ ଘରକୁ ଫେରି ଆସିଥିଲେ। ତା’ପରେ ଘରେ ମନକୁ ଦୃଢ଼କରି ନିଷ୍ଠାର ସହିତ ଘରୋଇ ଉପଚାର ଆରମ୍ଭ କରିଥିଲେ। ପରିବାର ଲୋକ ଦୀର୍ଘ ୩୦ ଦିନଧରି ତାଙ୍କର ସେବା କରିଥିଲେ। କ୍ରମେ ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେଇଥିଲା। ୩୦ ଦିନ ପରେ କରୋନାକୁ ପରାଜିତ କରି ସେ ସଂପୂର୍ଣ୍ଣ ସୁସ୍ଥ ହୋଇଥିଲେ।

ଶ୍ରୀ ବାରିକ ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଦୃଢ଼ ମନୋବଳ ଓ ପ୍ରବଳ ଇଚ୍ଛାଶକ୍ତି କାରଣରୁ କରୋନାକୁ ପରାଜିତ କଲେ ସେ ବୋଲି କହିଛନ୍ତି।

ନୂଆ ଜୀବନ ପାଇଲେ ଅସହାୟ ଶ୍ୟାମ ଗୁରୁ
କଟକ : ପଡ଼ୋଶୀଙ୍କ ସହାୟତାରେ ଚଳୁଥିଲେ ଅସହାୟ ବୃଦ୍ଧ। ହେଲେ କରୋନା କାଳରେ ଦେହ ଅସୁସ୍ଥ ହୋଇ ୭ ଦିନ ଝାଡ଼ାବାନ୍ତିରେ ପଡ଼ିବାରୁ ତାଙ୍କୁ କରୋନା ହୋଇଥିବା ସନ୍ଦେହ କରି ଆଉ କେହି ଭୟରେ ପାଖ ମାଡ଼ିଲେନି। ଘରର ଗୋଟିଏ କଣରେ ଫୁଙ୍ଗୁଳା ଦେହରେ ପଡ଼ି ରହିଥିଲେ ୭୫ ବର୍ଷୀୟ ବୃଦ୍ଧ ଶ୍ୟାମ ଗୁରୁ। ଖବର ପାଇ ସ୍ବେଚ୍ଛାସେବୀ ଅଭିମନ୍ୟୁ ଦାସ ଓ ଖାନନଗର ଗୁରୁସାହିର ଉମେଶ ଗୁରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବଡ଼ ମେଡିକାଲ ନେଇ ଚିକିତ୍ସା କରିଥିଲେ। ଦୀର୍ଘ ୧୮ ଦିନର ଚିକିତ୍ସା ପରେ ସେ ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଶ୍ୟାମଙ୍କ ପରିବାର କହିଲେ ସେ ଜଣେ ମାତ୍ର ବ୍ୟକ୍ତି। ସ୍ତ୍ରୀ କୌନ ଗୁରୁଙ୍କ ଦୃଷ୍ଟିଶକ୍ତି ହ୍ରାସ ପାଇଥିବାବେଳେ ଶାରୀରିକ ଅକ୍ଷମତା ଯୋଗୁଁ‌ ସେ ଜଣେ ପଡ଼ିଶା ଘରେ ଆଶ୍ରୟ ନେଇଛନ୍ତି। ଶ୍ୟାମଙ୍କ ଦୁଇ ପୁଅ ଆାରପାରିରେ। ନାତି, ନାତୁଣୀଙ୍କୁ କଲେଜ ଛକସ୍ଥିତ ଏକ ଆଶ୍ରମରେ ଛାଡ଼ି ଦିଆଯାଇଛି। ଘରେ ଏକା ରହୁଥିବାରୁ ଶ୍ୟାମଙ୍କୁ ପାଖ ପଡ଼ିଶା ଘର ଲୋକ ଖାଇବାକୁ ‌ଦେଇଥା’ନ୍ତି। ଚଳିତମାସ ଆରମ୍ଭ ବେଳକୁ ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ। ଦେହରେ ଜ୍ବର ଆସିଥିଲା। ସେତେବେଳକୁ ପାଖ ଘରମାନଙ୍କରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଥିଲେ। ତେଣୁ ଶ୍ୟାମଙ୍କୁ ମଧ୍ୟ କରୋନା ହୋଇଥିବା ପଡ଼ିଶା ଘରଲୋକେ ଆଶଙ୍କା କରି ତାଙ୍କ ପାଖ ମାଡ଼ି ନ ଥିଲେ। ଦିନକୁ ଦିନ ସେ ଅସୁସ୍ଥ ହେବାରୁ ଘର ଭିତରେ ଝାଡ଼ା, ବାନ୍ତି କରି ପକାଇଥିଲେ।

ପାଖାପାଖି ସପ୍ତାହେ ହେବ କେହି ଘର ପାଖକୁ ଯାଇ ନ ଥିବାରୁ ଘର ଭିତରୁ ପ୍ରବଳ ଦୁର୍ଗନ୍ଧ ହେଉଥିବା ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ। ଏହା ସତ୍ତ୍ବେ କାହା ମନରେ ସାହସ ଜୁଟି ପାରୁ ନ ଥିଲା। ତଥାପି ସାହିର ଉମେଶ ଗୁରୁ ଶ୍ୟାମଙ୍କ ସେବା କରିବା ପାଇଁ ଆଗକୁ ବଢିବା ସହିତ ଏଭଳି କାର୍ଯ୍ୟରେ ଅଭିଜ୍ଞତା ଥିବା ସ୍ବେଚ୍ଛ‌ାସେବୀ ଅଭିମନ୍ୟୁ ଦାସଙ୍କ ସହ ଯୋଗାଯୋଗ କରିଥିଲେ। ସେ ତୁରନ୍ତ ଆସି ଶ୍ୟାମଙ୍କ ଘର ପାଖରେ ପହଞ୍ଚି ଥିଲେ। ଅତ୍ୟନ୍ତ ସତର୍କତାର ସହ ଘର ସଫା କରିବା ପରେ ଶ୍ୟାମଙ୍କୁ ମଧ୍ୟ ପରିଷ୍କାର କରାଇଥିଲେ। ପରେ ଆମ୍ବୁଲାନ୍ସ ଡାକି ସେଥିରେ ଶ୍ୟାମଙ୍କୁ ଏସ୍‌ସିବି ମେଡିକାଲ ଅସହାୟ ରୋଗୀଙ୍କ ୱାର୍ଡରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କର କୋଭିଡ୍‌ ପରୀକ୍ଷା କରାଯିବା ପରେ ରିପୋର୍ଟ କିନ୍ତୁ ନେଗେଟିଭ୍‌ ଆସିଥିଲା। ସେଠାରେ ଦୀର୍ଘ ୧୮ ଦିନ ପର୍ଯ୍ୟନ୍ତ ଚିକିତ୍ସିତ ହେବା ପରେ ଶ୍ୟାମ ଚାଲିବାକୁ ସକ୍ଷମ ହୋଇଥିଲେ। ଅଭିମନ୍ୟୁ ଅସହାୟ ବୃଦ୍ଧଙ୍କୁ ଆଣି ଏବେ ପାଖ ପଡ଼ିଶାଙ୍କ ହେପାଜତରେ ଘରେ ଛାଡ଼ିଛନ୍ତି। ଏହି କାର୍ଯ୍ୟରେ ତାଙ୍କୁ ଶିଶିର, ସୁଶାନ୍ତ ଓ ମେଡିକାଲ୍‌ର ନର୍ସିଂ କର୍ମଚାରୀ ଅନୁ ଦିଦି ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର