ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମାଓ ସଂଗଠନ ମୂଳପୋଛ ହେବା ପରେ କ୍ୟାଡର ନକ୍ସଲ ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ର ମୁହାଁ ହୋଇଥିଲେ। ଛତିଶଗଡ଼ ଘଞ୍ଚ ଜଙ୍ଗଲ ନକ୍ସଲଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇଥିବାରୁ ସମସ୍ତ କ୍ୟାଡର ଓ କେନ୍ଦ୍ରୀୟ କମିଟି ସଦସ୍ୟ ସେଠାରେ ଆଡ୍ଡା ଜମାଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୨୬ ମାର୍ଚ୍ଚ ସୁଦ୍ଧା ଛତିଶଗଡ଼ ସମେତ ଦେଶରୁ ନକ୍ସଲଙ୍କୁ ମୂଳପୋଛ କରିବା ପାଇଁ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେବା ପରେ ଆରମ୍ଭ ହୋଇଥିଲା ଘନ ଘନ ଏନ୍‌କାଉଣ୍ଟର୍‌। ଯେଉଁଥିରେ ମୂଳପୋଛ ହୋଇଯିବାକୁ ଯାଉଛି ନକ୍ସଲ ସଂଗଠନ।  

Advertisment

ହାତ ଗଣତି କ୍ୟାଡର୍‌ଙ୍କୁ ନେଇ ପ୍ରସ୍ତୁତ ହେଉଛି ରଣନୀତି
ସ୍ଥିତି ସୁଦୃଢ଼ ପାଇଁ ଟାର୍ଗେଟ୍‌ରେ ନାବାଳକ ଓ ଯୁବବର୍ଗ

ପୁଲିସ ଓ ଯବାନଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମାଓ ଦମନ ଅଭିଯାନରେ ଗତ ଦୁଇ ବର୍ଷରେ ଛତିଶଗଡ଼ରେ ୯୯୫ରୁ ଊର୍ଦ୍ଧ୍ବ ନକ୍ସଲଙ୍କ ମୃତ୍ୟୁ ହୋଇଛି। ୧ ହଜାରରୁ ଊର୍ଦ୍ଧ୍ବ ଗିରଫ ହୋଇଥିବା ବେଳେ ଓ ୧୩୦୦ରୁ ଅଧିକ ନକ୍ସଲ ଆତ୍ମସମର୍ପଣ କଲେଣି। ଗତ କିଛି ମାସ ଧରି ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ କେନ୍ଦ୍ରୀୟ କମିଟି ମୁଖ୍ୟଙ୍କ ସମେତ ଟପ୍‌ କ୍ୟାଡର ମାଓବାଦୀ ନିହତ ହେବା ପରେ ନକ୍ସଲ ସଂଗଠନ ଦୁର୍ବଳ ହୋଇ ପଡ଼ିଛି। ଫଳରେ ଅନେକ କ୍ୟାଡର ନକ୍ସଲ ମାଓ ସଂଗଠନରୁ ମୁହଁ ଫେରାଇ ଆତ୍ମସର୍ମପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେଉଛନ୍ତି। ଅନ୍ୟପକ୍ଷରେ ମାଓ ନେତାଙ୍କ ଅସ୍ତ୍ର ବିରତିକୁ ପ୍ରସ୍ତାବକୁ ନେଇ ସଂଗଠନ ଦୁଇ ଭାଗ ହୋଇଛି। ଛତିଶଗଡ଼ କ୍ୟାଡର ନକ୍ସଲ ସରକାରଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ବେଳେ ତେଲେଙ୍ଗାନା ରାଜ୍ୟ କମିଟି କୌଣସି ଆଲୋଚନାକୁ ସମର୍ଥନ କରିବେ ନାହିଁ ବୋଲି ମନା କରି ଦେଇଛି। ଏପରି ସ୍ଥିତିରେ ନକ୍ସଲ ସଂଗଠନରେ ହାତଗଣତି ନକ୍ସଲ ରହିଥିବାରୁ ପୁଣି ସଂଗଠନକୁ ସୁଦୃଢ଼ କରିବା ପାଇଁ ଟପ୍ କ୍ୟାଡର ନକ୍ସଲ ଯୋଜନା ପ୍ରସ୍ତୁତ କରୁଛନ୍ତି। ଟାର୍ଗେଟରେ ରହିଛନ୍ତି ନାବାଳକ ଓ କମ ବୟସର ଯୁବକ।

ସୂଚନାନୁଯାୟୀ, ନକ୍ସଲ ଗାଁ ମାନଙ୍କରେ ମିଲିସିଆଙ୍କୁ ସକ୍ରିୟ କରିବା ସହ କିପରି ନାବାଳକ ସଂଗଠନ ସହ ଯୋଡ଼ି ହେବେ ସେ ନେଇ ପ୍ରୟାସ ଆରମ୍ଭ କରିଛନ୍ତି। ଛତିଶଗଡ଼ର ଦୁର୍ଗମ ଅଞ୍ଚଳର ପିଲାମାନେ ଅଶିକ୍ଷିତ ହୋଇ ରହିଥିବାରୁ ସେମାନଙ୍କୁ ପ୍ରଲୋଭନ ଦେଖାଇ ସଂଗଠନରେ ସାମିଲ୍‌ ପାଇଁ ଉଦ୍ୟମ ଚାଲିଛି। ଏବେ ନକ୍ସଲ ସଂଗଠନରେ ୧ ହଜାରରୁ କମ୍ ନକ୍ସଲ ରହିଥିବା ବେଳେ ମାତ୍ର ୮ରୁ ୧୦ ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ରହିଛନ୍ତି। ଏମାନଙ୍କୁ ଏକତ୍ରିତ ହେବାକୁ ପୁଲିସ ଦେଉନଥିବା ବେଳେ ସଂଗଠନକୁ ମଜଭୂତ କରିବା ପାଇଁ ଯୁବ ଏବଂ ନାବାଳକଙ୍କୁ ଟାର୍ଗେଟ କରିଛନ୍ତି ନକ୍ସଲ। ଗୁଇନ୍ଦା ସଜାଗ ରହିଥିବାରୁ ନକ୍ସଲଙ୍କ ସମସ୍ତ ଯୋଜନାକୁ ବିଫଳ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ପୁଲିସ୍‌ ଓ ସୁରକ୍ଷା ବାହିନୀ। ନକ୍ସଲ ସଂଗଠନରେ କିପରି ନାବାଳକ ଓ ଯୁବବର୍ଗଙ୍କୁ ସାମିଲ କରାଯାଉଛି ତାହାର ଫଟୋ ମିଳିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।