୩ କରୋନା ଯୋଦ୍ଧାଙ୍କ ସହ ଭୁବନେଶ୍ୱରରୁ ଚିହ୍ନଟ ହେଲେ ୯କରୋନା ଆକ୍ରାନ୍ତ, ୧୫୮ରେ ପହଞ୍ଚିଲା ରାଜଧାନୀର ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ବର ୩ କରୋନା ଯୋଦ୍ଧା।  ଏହି ୯ଜଣ ନୂତନ କରୋନା ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮ରେ ପହଞ୍ଚିଛି | ଚିହ୍ନଟ ହୋଇଥିବା ୯ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଚନ୍ଦ୍ରଶେଖରପୁର ଅଞ୍ଚଳର ବିଡିଏ କଲୋନୀ ନିକଟରୁ ଚିହ୍ନଟ ହୋଇଥିବା ୨୯ବର୍ଷୀୟ ମହିଳା, ବିମାନବନ୍ଦର ନିକଟରେ ଥିବା ଭୀମପୁର ଅଞ୍ଚଳର ୪୬ ବର୍ଷୀୟ ବ୍ୟକ୍ତି, ଭୀମପୁର ୟୁନିଟ-୬ର ୨୩ବର୍ଷିୟ ମହିଳା, ଶାଲିଆ ସାହିର ନିରନକାରି ନଗରରୁ ୧୯ବର୍ଷିୟ ବ୍ୟକ୍ତି, କୋଭିଡ ଡାକ୍ତରଖାନାରୁ ୩ଜଣ କରୋନା ଯୋଦ୍ଧା(୩୬ବର୍ଷିୟ ବ୍ୟକ୍ତି, ୩୭ବର୍ଷିୟ ବ୍ୟକ୍ତି ଏବଂ ୩୦ବର୍ଷୀୟ ମହିଳା) ଥିବା ବେଳେ ଗଡ଼କଣା ମହିମା ନଗରରୁ ୨ଜଣ ସ୍ଥାନୀୟ ବ୍ୟକ୍ତି(୫୩ବର୍ଷୀୟ ବ୍ୟକ୍ତି, ୧୪ବର୍ଷିୟ ବାଳକ) କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି | ଏ ନେଇ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍(ବିଏମସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି | ଏହି ସବୁ ଅଞ୍ଚଳକୁ ଏବେ ସାନିଟାଇଜ କରାଯାଉଥିବା ବେଳେ ୯ଜଣ କରୋନା ଆକ୍ରାନ୍ତ କାହା କାହା ସଂସ୍ପର୍ଶରେ ଆସିଥିଲେ, ସେ ନେଇ ଅନୁସନ୍ଧାନ ଜାରି ରହିଛି |

ଚନ୍ଦ୍ରଶେଖରପୁରରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ବିହାରରୁ ଫେରିଥିବା ବେଳେ ବିମାନବନ୍ଦର ନିକଟରେ ଥିବା ଭୀମପୁର ଅଞ୍ଚଳରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଦିଲ୍ଲୀ, ଭୀମପୁର ୟୁନିଟ-୬ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ କୋଲକାତା, ଶାଲିଆ ସାହିର ନିରନକାରି ନଗରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଦିଲ୍ଲୀରୁ ଆସିଥିବା ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି | ସେହିଭଳି ଭୁବନେଶ୍ୱରର କୋଭିଡ ଡାକ୍ତରଖାନାରୁ ୩ଜଣ କରୋନା ଯୋଦ୍ଧା କରୋନା ସଂକ୍ରମିତ ହୋଇଥିବା ବେଳେ ଗଡ଼କଣା ମହିମା ନଗରରୁ ଚିହ୍ନଟ ଦୁଇ ଜଣ ସ୍ଥାନୀୟ ବ୍ୟକ୍ତି ଘରୋଇ ଡାକ୍ତରଖାନାର କର୍ମଚାରୀଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି | ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ଭୁବନେଶ୍ୱରରେ ୮୨ଜଣ ସୁସ୍ଥ ହୋଇଥିବା ସହ ୩ଜଣ ମୃତ୍ୟୁବରଣ କରିଛନ୍ତି | ଏହା ସହ ୭୨ଟି ସକ୍ରିୟ ମାମଲା ରହିଛି |

ସମ୍ବନ୍ଧିତ ଖବର