୮ ତାରିଖରୁ ରାଜ୍ୟରେ ନବମ ଓ ଏକା‌ଦଶ ଶ୍ରେଣୀ କ୍ଲାସ୍‌ ବାତିଲ, କରୋନା ସଂକ୍ରମଣ ବ୍ୟାପିବା ଲାଗି ନିଷ୍ପତ୍ତି

ଭୁବନେଶ୍ବର: ବିଦ୍ୟାଳୟରେ ପାଠପଢ଼ା ନେଇ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଜି ବଡ଼ ନିଷ୍ପତ୍ତି ନେଇଛି। ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ବ୍ୟାପି ଚାଲିଥିବାରୁ ସମସ୍ତ ସରକାରୀ ଓ ଘରୋଇ ସ୍କୁଲରେ ଚାଲୁଥିବା ନବମ ଓ ଏକାଦଶ ଶ୍ରେଣୀର ପାଠପଢ଼ାକୁ ସରକାର ବାତିଲ କରିଦେଇଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏପ୍ରିଲ ୮ ତାରିଖରୁ ରାଜ୍ୟରେ ୯ମ ଓ ଏକାଦଶ ଶ୍ରେଣୀ ପାଇଁ ଅଫ୍‌ଲାଇନ୍‌ରେ ପାଠପଢ଼ା ହେବ ନାହିଁ। ଏପ୍ରିଲ ୩୦ ଯାଏଁ ଏହି ନିଷ୍ପତ୍ତି ଲାଗୁ ରହିବ। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ତୁରନ୍ତ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି। ୧୦ମ ଓ ଦ୍ବାଦଶ ଶ୍ରେଣୀ ପାଇଁ କ୍ଲାସ ଏପ୍ରିଲ ୨୫ ଯାଏଁ ଚାଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି।

ପରୀକ୍ଷା ନଥିବା ପିଲାଙ୍କୁ ତୁରନ୍ତ ହଷ୍ଟେଲ ଖାଲି କରିବାକୁ ନିର୍ଦେଶ ହୋଇଛି। ଯେଉଁମାନଙ୍କର ପରୀକ୍ଷା ଚାଲୁଛି ସେମାନେ ପରୀକ୍ଷା ସରିବା ମାତ୍ରେ ହଷ୍ଟେଲ ଖାଲି କରନ୍ତୁ। ଯେଉଁମାନଙ୍କ ପରୀକ୍ଷା ବାକି ଅଛି ଓ ସେମାନେ ହଷ୍ଟେଲରେ ରହୁଛନ୍ତି। ସେ କ୍ଷେତ୍ରରେ ଜଣେ ପିଲା ସିଙ୍ଗଲ ରୁମରେ ରହିବେ ଓ କୋଭିଡ ନିୟମ ମାନିବେ।

ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ୮ ତାରିଖରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିଥିଲା। ଏହା ପୂର୍ବରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ଜାନୁଆରି ଠାରୁ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଥିଲା। କରୋନା କଟକଣାରେ ସ୍କୁଲ ଖୋଲିଥିବାରୁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ମାର୍ଗଦର୍ଶିକା ଜାରି କରିଥିଲେ।  

Representation image

ଅନ୍ୟପକ୍ଷରେ ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଛି କରୋନା | ଲଗାତାର କିଛି ଦିନର ତଥ୍ୟକୁ ଅନୁଶୀଳନ କଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାର ଦେଖିବାକୁ ମିଳିଛି | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରେ ସର୍ବାଧିକ ରୋଗୀ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି | ସୁନ୍ଦରଗଡରେ ୧୪୭ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ ୧୧୮ ଜଣ, ଅନୁଗୁଳରେ ୧୭ ଜଣ, ବାଲେଶ୍ୱରରେ ୦୬ ଜଣ, ବରଗଡ଼ରେ ୪୮ ଜଣ, ଭଦ୍ରକରେ ୧୦ ଜଣ, ବଲାଙ୍ଗୀରରେ ୧୪ ଜଣ, କଟକରେ ୪୬ ଜଣ, ବୌଦ୍ଧରେ ୨ ଜଣ, ଢେଙ୍କାନାଳରେ ୩ ଜଣ ଓ ଜଗତସିଂହପୁରରେ ୯ ଜଣ ଚିହ୍ନଟ ହୋଇଛନ୍ତି |

ସମ୍ବନ୍ଧିତ ଖବର