ଗେମ୍‌ ଖେଳିବାକୁ ମୋବାଇଲ ଫୋନ୍‌ ଦେଲେନି ମା’, ରସି ଲଗାଇ ଆତ୍ମହତ୍ୟା କଲା ନବମ ଶ୍ରେଣୀ ଛାତ୍ର

ଆନନ୍ଦପୁର: ଗେମ୍‌ ଖେଳିବାକୁ ମୋବାଇଲ ଫୋନ୍‌ ନମିଳିବାରୁ ୧୪ ବର୍ଷର ବାଳକ ଆତ୍ମହତ୍ୟା କରିଛି। କେନ୍ଦୁଝର ଜିଲ୍ଲା ଘସିପୁର ଥାନା ଅନ୍ତର୍ଗତ ଇନ୍ଦିପୁରା ଗାଁରେ  ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି।  ମୃତକର ନାମ ସୌମ୍ୟରଂଜନ ଜେନା।

ସୂଚନା ଅନୁସାରେ ଇନ୍ଦୁପୁରା ଗାଁର ଚନ୍ଦ୍ରଶେଖର ଜେନାଙ୍କ ପୁଅ ସୌମ୍ୟରଂଜନ ଶାଳପଡ଼ାରସ୍ଥିତ ଓଡ଼ିଶା  ଆଦର୍ଶ ବିଦ୍ୟାଳୟରେ ୯ମ ଶ୍ରେଣୀ ଛାତ୍ର ଥିଲା। ସେ ଆଜି ଅପରାହ୍ନ ୪ଟା ସମୟରେ ମୋବାଇଲରେ ଗେମ୍‌ ଖେଳିବାକୁ ମା’କୁ କହିଥିଲା। କିନ୍ତୁ ସୌମ୍ୟର ମା’ ମୋବାଇଲ ଦେଇ ନଥିଲେ। ବରଂ ପୁଅକୁ ପାଠ ପଢ଼ିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ସୌମ୍ୟ ଏହାକୁ ଶୁଣି ନଥିଲା। ଜିଦ୍‌ରେ ଅଟଳ ଥିବା ସୌମ୍ୟରଂଜନ ଘରର ଛାତ ଉପରକୁ ଚଢ଼ିଯାଇଥିଲା ଏବଂ ଏକ ଦଉଡ଼ି ବେକରେ ଲଗାଇ ଝୁଲି ପଡ଼ିଥିଲା।

ପରିବାର ଲୋକେ ସୌମ୍ୟକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭତ୍ତି କରିଥିଲେ। କିନ୍ତୁ ଡାକ୍ତରଖାନାରେ ପହଂଚିବା ପରେ ଡାକ୍ତର ସୌମ୍ୟରଂଜନକୁ ମୃତ ଘୋଷଣା କରିଥିଲେ। ଏହି ଅଭାବନୀୟ ଘଟଣାକୁ ନେଇ ଇନ୍ଦୁପୁରା ଗାଁରେ ଶୋକର ଛାୟା ଖେଳିଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର