ନବମ ଶ୍ରେଣୀ ଛାତ୍ର ଶକ୍ତି ପ୍ରସାଦ ମୃତ୍ୟୁ ଘଟଣା: ଡିଆଇଜିଙ୍କୁ ଭେଟି ନ୍ୟାୟ ମାଗିଲେ ମାଆ

ବ୍ରହ୍ମପୁର: ଗଞ୍ଜାମ ବ୍ଲକ୍‌ ହୁମ୍ମା ନିକଟ କଳାଯମୁନା ସ୍ଥିତ ସାଇ ସରସ୍ବତୀ ବିଦ୍ୟାମନ୍ଦିର ନବମ ଶ୍ରେଣୀର ଛାତ୍ର ଶକ୍ତିପ୍ରସାଦ ତ୍ରିପାଠୀ(୧୩)ଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। ପାଣିରେ ବୁଡ଼ି ଶକ୍ତିଙ୍କ ମୃତ୍ୟୁ ଘଟିଥିବା ଶବ ବ୍ୟବଛେଦ ରିପୋର୍ଟରେ ଉଲ୍ଲେଖ ରହିଛି। କିନ୍ତୁ ଶକ୍ତିଙ୍କୁ ହତ୍ୟା କରା ଯାଇଥିବା ତାଙ୍କ ପରିବାରବର୍ଗ ବାରମ୍ବାର ଅଭିଯୋଗ ଆଣୁଛନ୍ତି। ପୁଲିସ ହତ୍ୟା ମକଦ୍ଦମା ରୁଜୁ କରିଛି। ଏ ସବୁ ସତ୍ତ୍ବେ ତଦନ୍ତ ପ୍ରକ୍ରିୟାରେ ସନ୍ତୁଷ୍ଟ ନୁହନ୍ତି ମୃତ ଛାତ୍ର ଶକ୍ତି ପ୍ରସାଦଙ୍କ ମାଆ ମିନତି। ବୁଧବାର ମିନତି ବ୍ରହ୍ମପୁର ଆସି ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ସାକ୍ଷାତ କରି ନ୍ୟାୟ ଭିକ୍ଷା କରିଛନ୍ତି। ମିନତି କହିଛନ୍ତି, ପ୍ରକୃତ ହତ୍ୟାକାରୀ କିଏ ତାକୁ ଧରାଯାଉ। ଯେଉଁ ପିଲାମାନେ ଶକ୍ତିଙ୍କୁ ପୋଖରୀ ନିକଟରେ ଦେଖିଥିଲେ ସେମାନଙ୍କ ମଧ୍ୟରୁ ମୁଖ୍ୟ ସନ୍ଦେହରେ ରହିଥିବା ପିଲା ଦ୍ବୟଙ୍କୁ ଜେରା କରାଯାଉ। କିନ୍ତୁ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ। ଏହି ଘଟଣାକୁ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ହେଲେ ସମ୍ପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ଓ ପ୍ରକୃତ ହତ୍ୟାକାରୀ ଧରାପଡ଼ିବେ। ପ୍ରକୃତ ହତ୍ୟାକାରୀଙ୍କୁ ଧରି ନ୍ୟାୟ ଦେବାକୁ ସେ ନିବେଦନ କରିଛନ୍ତି।

ପ୍ରକାଶ ଥାଉ କି, ଗଞ୍ଜାମ ବ୍ଲକ ସନ୍ତୋଷପୁର ନିରଞ୍ଜନ ତ୍ରିପାଠୀଙ୍କ ନାତି ଶକ୍ତି ପ୍ରସାଦ। ମାଆ ମିନତି ଭୁବନେଶ୍ବରରେ ରହୁଥିବା ବେଳେ ଶକ୍ତି ପିଲାଟି ବେଳୁ ଅଜାଙ୍କ ଘରେ ରହୁଥିଲେ। ହୁମ୍ମା ନିକଟସ୍ଥ କଳାଯମୁନା ସ୍ଥିତ ସାଇ ସରସ୍ବତୀ ବିଦ୍ୟାମନ୍ଦିରରେ ନବମ ଶ୍ରେଣୀରେ ବିଦ୍ୟାଳୟ ହଷ୍ଟେଲରେ ରହି ପଢୁଥିଲେ। ଗତ ମାର୍ଚ୍ଚ ୧୬ ତାରିଖରେ ଗଣିତ ପରୀକ୍ଷା ଥିଲା। ପରୀକ୍ଷା ସରିବା ପରେ ଶକ୍ତି ଭୁବନେଶ୍ବର ମାଆଙ୍କ ପାଖକୁ ଯିବାର ଥିଲା। କିନ୍ତୁ ଭୁବନେଶ୍ବର ଯାଇ ନ ଥିଲେ। ମାର୍ଚ୍ଚ ୧୭ ତାରିଖ ଅପରାହ୍‌ଣରେ ବିଦ୍ୟାଳୟ ଠାରୁ ଶହେ ମିଟର ଦୂର ଏକ ପୋଖରୀରୁ ଶକ୍ତିଙ୍କ ଶବ ଉଦ୍ଧାର ହୋଇଥିଲା। ରମ୍ଭା ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶକ୍ତିଙ୍କୁ ହତ୍ୟା କରା ଯାଇଥିବା ସନ୍ଦେହ କରି ଅଜା ନିରଞ୍ଜନ ତ୍ରିପାଠୀ ରମ୍ଭା ଥାନାରେ ଏକ ଏତଲା ଦେଇଥିଲେ। ବାରମ୍ବାର ଅଭିଯୋଗ ପରେ ଗଞ୍ଜାମ ଏସ୍‌ପି ଏହି ଘଟଣାରେ ହସ୍ତକ୍ଷେପ କରିଥିଲେ। ଗତ ସେପ୍ଟେମ୍ବର ୨୫ ତାରିଖରେ ନିରଞ୍ଜନ ତ୍ରିପାଠୀ ରମ୍ଭା ଥାନାରେ ପୁଣି ଏକ ଏତଲା ଦେଇଥିଲେ। ତାଙ୍କ ନାତିଙ୍କୁ ହତ୍ୟା କରା ଯାଇଥିବା ସେ ଅଭିଯୋଗ କରିଥିଲେ। ପୁଲିସ ରୁଜୁ ହୋଇଥିବା ଅପମୃତ୍ୟୁ ମକଦ୍ଦମାକୁ ହତ୍ୟା ମକଦ୍ଦମାକୁ ରୂପାନ୍ତର କରିଥିଲା। ଏହି ଘଟଣାରେ ପୁଲିସ ୩୯୪(ଏ) ଏବ˚ ୨୦୨ ଦଫାରେ ଉକ୍ତ ସାଇ ସରସ୍ବତୀ ଶିଶୁ ମନ୍ଦିରର କତ୍ତୃପକ୍ଷ ତଥା ପ୍ରଧାନ ଶିକ୍ଷକ ସୁରେଶ ଗୌଡ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଇତିମଧ୍ୟରେ ସୁରେଶ ମଧ୍ୟ ଜୀମିନରେ ଆସି ସାରିଛନ୍ତି।

ସମ୍ବନ୍ଧିତ ଖବର