ମାଟ୍ରିକ୍ ମୂଲ୍ୟାୟନର ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ: ନବମ ଶ୍ରେଣୀ ଟିସି ନେଇଥିବା ଛାତ୍ର ଦଶମ ପାସ୍ 

ସନ୍ଦେହରେ ପ୍ରଧାନଶିକ୍ଷକଙ୍କ ଭୂମିକା, ୫ ହଜାର ଲାଞ୍ଚ ଦେଇଥିବା କହିଲେ ଛାତ୍ର

ରାୟଗଡ଼ା: ଚଳିତ ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ ବିବାଦ ଶିକ୍ଷା ବିଭାଗର ପିଛା ଛାଡୁନି। ମାଟ୍ରିକ୍ ମୂଲ୍ୟାୟନ ପ୍ରକ୍ରିୟାକୁ ନେଇ ବହୁ ମେଧାବୀ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିବା ବେଳେ ନବମ ଶ୍ରେଣୀ ପଢ଼ୁଥିବା ଛାତ୍ର ଦଶମ ପାସ୍ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଟିକିର ହାଇସ୍କୁଲ ମାଟ୍ରିକ୍ ପରୀକ୍ଷା ଫଳରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି। ପାସ୍ ହୋଇଥିବା ଛାତ୍ର ପିଣ୍ଟୁ ମାଝି ହାଇସ୍କୁଲ୍ ପ୍ରଧାନ ଶିକ୍ଷକଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେଇଥିବା କହିଛନ୍ତି।

କାଶୀପୁର ବ୍ଲକ୍ ଭିତରମୁସକୁନି ଗ୍ରାମର ପାଲଙ୍ଗ ମାଝିଙ୍କ ପୁଅ ପିଣ୍ଟୁ ମାଝି ଟିକିରି ସରକାରୀ ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିଲେ। ୨୦୨୧ ଜାନୁଆରି ୧୮ ତାରିଖରେ ପିଣ୍ଟୁ ଅନ୍ୟତ୍ର ପାଠ ପଢ଼ିବା ପାଇଁ ସ୍କୁଲରୁ ଟିସି ନେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଲୋଚନ ଖରା ନିଜେ ପିଣ୍ଟୁଙ୍କୁ ଟିସି ଦେଇଥିଲେ। କିନ୍ତୁ ଟିସି ନେବା ପରେ ମଧ୍ୟ ଉକ୍ତ ସ୍କୁଲର ମାଟ୍ରିକ୍ ପରୀକ୍ଷା ଫଳ ତାଲିକାରେ ପିଣ୍ଟୁ ପାସ୍ କରିଥିବା ଉଲ୍ଲେଖ ରହିଛି। ୨୭୨ ନମ୍ବର ରଖି ପିଣ୍ଟୁ ଡି ଗ୍ରେଡରେ ପାସ୍ ହୋଇଥିବା ଜଣା ପଡିଛି। ବିଳମ୍ବରେ ହେଲେ ମଧ୍ୟ ଶିକ୍ଷା ବିଭାଗର ଏପରି ଖାମଖିଆଲି ନୀତି ସଂପର୍କରେ ଖବର ପଦାକୁ ଆସିବା ପରେ ମାଟ୍ରିକ୍ ମୂଲ୍ୟାୟନର ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଟିକିରି ହାଇସ୍କୁଲର ମୋଟ ୨୧୭ ପରୀକ୍ଷାର୍ଥୀଙ୍କ ମାର୍କ ଟେବୁଲେସନ୍ ହୋଇ ମାର୍ଚ୍ଚ ମାସରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲା। ଯେଉଁଥିରେ ଟିସି ନେଇଥିବା ପିଣ୍ଟୁ ମାଝିଙ୍କ ନାମକୁ ମଧ୍ୟ ଅନଲାଇନ ତାଲିକାରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ଫଳ ପ୍ରକାଶ ପରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ପିଣ୍ଟୁ ମଧ୍ୟ ଡି ଗ୍ରେଡରେ ପାସ୍ କରିଛି। ପରୀକ୍ଷା ଫଳ ପ୍ରକାଶ ପରେ ପିଣ୍ଟୁ ମାଝି ପାସ କରିଥିବା ସଂପର୍କରେ ପ୍ରଧାନ ଶିକ୍ଷକ ଲୋଚନ ଖରା ଅବଗତ ହୋଇଥିଲେ ମଧ୍ୟ ନିଜ ଦୋଷ ତ୍ରୁଟିକୁ ଲୁଚାଇବାକୁ ଏ ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ବା ମାଧ୍ୟମିକ ଶିକ୍ଷା ପରିଷଦକୁ ଅବଗତ କରିନଥିଲେ।

ଖବର ଲୋକ ଲୋଚନକୁ ଆସିବା ପରେ ପାସ୍ ହୋଇଥିବା ଛାତ୍ର ପିଣ୍ଟୁ ମାଝି ମାଟ୍ରିକ୍ ପାସ୍ କରିବା ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ଖରା ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଗଣମାଧ୍ୟମ ଆଗରେ ପ୍ରକାଶ କହିଛନ୍ତି। ଏ ସଂପର୍କରେ ପ୍ରଧାନ ଶିକ୍ଷକ ଶ୍ରୀ ଖରାଙ୍କୁ ପଚାରିବାରୁ ପିଣ୍ଟୁ ମାଝି ନବମ ନୁହେଁ ଦଶମ ଶ୍ରେଣୀରେ ପଢ଼ୁଥିଲେ। ତାଲିକା ପ୍ରସ୍ତୁତ ସମୟରେ ଭୁଲ୍ ଯୋଗୁ ଏପରି ବିଭ୍ରାଟ ହୋଇଛି। ଏଥି ପାଇଁ କୌଣସି ଲାଞ୍ଚ ନେଇନଥିବା ପ୍ରଧାନ ଶିକ୍ଷକ କହିଛନ୍ତି। ପ୍ରଧାନ ଶିକ୍ଷକ ଶ୍ରୀ ଖରାଙ୍କ ଏପରି ମନ୍ତବ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ନିଜେ ପିଣ୍ଟୁଙ୍କୁ ନବମ ଶ୍ରେଣୀର ଟିସି ପ୍ରଦାନ କରିଥିବା ବେଳେ ଦଶମ ଶ୍ରେଣୀ ମାଟ୍ରିକ୍ ପରୀକ୍ଷା ତାଲିକାରେ କିପରି ନାମ ଚଢ଼ିଲା ତାହା ତଦନ୍ତ ସାପେକ୍ଷ।

ସମ୍ବନ୍ଧିତ ଖବର